କେସିଙ୍ଗା ଆଦର୍ଶ ଥାନା ଗେଟ୍ ନିକଟରେ ଖୋଲିଥିବା ଠିପି ବନ୍ଦ ବିଦେଶୀ ମଦ ଦୋକାନକୁ ନେଇ ବଢୁଛି ଜନ ଅସନ୍ତୋଷ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅଞ୍ଚଳରେ ଦିନକୁ ଦିନ ଚୋରା ଓ ବିଦେଶୀ ନକଲି ମଦ କାରବାର ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି। ଅବକାରୀ ଓ ପୁଲିସ ବିଭାଗ ଏହି ଚୋରା ମଦ କାରବାର କୁ ରୋକିବାରେ ବିଫଳ ହେଉଥିବା ବେଳେ ବିଦେଶୀ ମଦ ଦୋକାନ ମାଲିକ ମାନେ ପୁଲିସ ଓ ଅବକାରୀ ବିଭାଗ ସହିତ ସଲାସୁତରା ରଖି ନିଜର ବ୍ୟବସାୟ ଚଲେଇଥିବା ସାଧାରଣରେ ଆଲୋଚନାର ବିଷୟ ହେଉଛି। ପ୍ରାୟତଃ କେସିଙ୍ଗା ସହର ତଥା ଗ୍ରାମାଞ୍ଚଳରେ ପ୍ରତ୍ୟେକ ଛକରେ ଦେଶୀ ଓ ବିଦେଶୀ ମଦ ଦୋକାନର ଆସର ଯେପରି କି ସରକାର ଙ୍କ ନିର୍ଦ୍ଦେଶରେ ଚାଲୁଥିବା ଭଳି ମନେ ହେଉଛି । ଯାହାକୁ ନେଇ ଅବକାରୀ ବିଭାଗ ଓ ପୁଲିସ ପ୍ରଶାସନର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯଦି ୩ ଶହ କି.ମି ରୁ କେସିଙ୍ଗା ସହର ଦେଇ ଚୋରାରେ ଗଞ୍ଜେଇ ଚାଲାଣ ହେଉଥିବା ବିଷୟ ସ୍ଥାନୀୟ ପୁଲିସ ସୁରାକ ପାଇ ଚଢ଼ଉ କରି ଧରିବାରେ ସଫଳ ହୋଇ ଅଭିଯୁକ୍ତ ମାନଙ୍କୁ ଜେଲ ପଠେଇ ପାରୁଛି ହେଲେ କେସିଙ୍ଗା ସହର ତଥା ଆଖପାଖ ଅଞ୍ଚଳକୁ ସ୍କୁଟି ଓ ମୋଟର ସାଇକେଲ ମାଧ୍ୟମରେ ଏପରିକି ନିଜ ଥାନା ସମ୍ନାରୁ ଚାଲାଣ ହେଉଥିବା ଚୋରା ଓ ନକଲି ମଦ ର ସୁରାକ କିଭଳି ପାଉନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି। କେସିଙ୍ଗା ଉପଖଣ୍ଡ ପୁଲିସ ଆରକ୍ଷୀ ଅଧିକ୍ଷକଙ୍କ ଅଧୀନରେ ମ.ରାମପୁର ଥାନା, ନର୍ଲା ଥାନା, ବିଶ୍ୱନାଥପୁର,କର୍ଲ।ମୁଣ୍ଡା ଓ ଲାଞ୍ଜିଗଡ଼ ଥାନା ଆସୁଥିବା ବେଳେ ସେହି ଥାନା ଅଞ୍ଚଳ ମାନଙ୍କରୁ ଏସଡିପିଓ ଙ୍କ କାର୍ଯ୍ୟାଳୟ କୁ ଅନେକ ବୁଦ୍ଧିଜୀବୀ ତଥା ବିଭିନ୍ନ ବ୍ୟକ୍ତି ବିଶେଷ ଆସିଥାନ୍ତି ହେଲେ ସବୁବେଳେ ଆଦର୍ଶ ଥାନା ମୁଖ୍ୟ ଗେଟ ସମ୍ମୁଖରେ ମଦୁଆ ଙ୍କ ଭିଡ଼ ଲାଗିରହିଥିବା ଅଭିଯୋଗ ହେଉଛି। ବେଳେବେଳେ ଅନେକ ମହିଳା ମଦୁଆ ଙ୍କ ହାବୁଡ଼ରେ ପଡି ଅଶାଳୀନ ବ୍ୟବହାର ର ଶିକାର ହୋଇଥିବା ମଧ୍ୟ ନଜରକୁ ଆସିଛି। ଆଦର୍ଶ ଥାନା ମୁଖ୍ୟ ଗେଟ୍ ତଥା ଜାତୀୟ ରାଜପଥ କଡ଼ରେ ଥିବା ସହରର ୧ ନମ୍ବର ଠିପି ବନ୍ଦ ବିଦେଶୀ ମଦ ଦୋକାନ ରେ ଅସଲି ମଦ ମିଳୁଛି ବୋଲି ପ୍ରଚାର ହେବାରୁ ଏହି ମଦ ଦୋକାନୀ ନିଜ ଟାର୍ଗେଟ ଠାରୁ ଅଧିକ ମଦ ବିକ୍ରୟ କରୁଥିବା ବେଳେ ଆଖପାଖ ମଦ ଦୋକାନ ରୁ ମଧ୍ୟ ବେଆଇନ ଭାବେ ମଦ ଆଣି ବିକ୍ରୟ କରୁଥିବା ମଧ୍ୟ ସାଧାରଣରେ ଚର୍ଚ୍ଚା ହେଉଛି। କିଛି ମାସ ତଳେ କେସିଙ୍ଗା ଅବକାରୀ ବିଭାଗ ଦ୍ଵାରା କେସିଙ୍ଗା ଥାନା ଅନ୍ତର୍ଗତ ବେଲଖଣ୍ଡି ପଲସାପଡା ରୁ ନକଲି ମଦ ତିଆରି କରୁଥିବା ଏକ ଘରୁ ଚଡାଉ କରି ବିପୁଳ ପରିମାଣର ନକଲି ମଦ ଜବତ କରି ଜଣକୁ କୋର୍ଟ ଚାଲାଣ କରିଥିଲା। ହେଲେ ଉକ୍ତ ନକଲି ମଦ କାରବାର କାହା ସହିତ ତାର ଲିଙ୍କ ଅଛି ତାକୁ ବାହାର କରିବାରେ ଅବକାରୀ ବିଭାଗ ବିଫଳ ହୋଇଥିଲା। ହେଲେ ବେଲଖଣ୍ଡି ଅଞ୍ଚଳର ଅନେକ ଲୋକ କେସିଙ୍ଗା ପୁଲିସ ଥାନା ନିକଟରେ ଥିବା ୧ ନମ୍ବର ଠିପି ବନ୍ଦ ଦୋକାନର ମ୍ୟାନେଜର ବହୁ ସମୟ ଉକ୍ତ ନକଲି ମଦ ବିକ୍ରେତା ଙ୍କ ସହ ପଲସାପଡା ଛକ ଠାରେ ଅନେକ ଥର ଦେଖିଥିବା ସେମାନେ ପ୍ରକାଶ କରିଛନ୍ତି। ସେହିପରି ଗତ ନଭେମ୍ବର ମାସରେ ବେନିୟମ ଭାବେ ଉକ୍ତ ଠିପି ବନ୍ଦ ବିଦେଶୀ ମଦ ଦୋକାନରୁ ଏକ ବାଇକ୍ ଯୋଗେ ଗ୍ରାମାଞ୍ଚଳ କୁ ମଦ ଚାଲାଣ କରିବା ସମୟରେ କେସିଙ୍ଗା ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ଧରାପଡିଥିଲା ଓ ସ୍ଥାନୀୟ ପୁଲିସ ବାଇକ୍ ସହିତ ୪୨ ଲିଟର ରୁ ଅଧିକ ବିଦେଶୀ ମଦ ଜବତ କରିବା ସହ ଏକ ମାମଲା ରୁଜୁ କରି ଦୋକାନର ଜଣେ କର୍ମଚାରୀକୁ ଗିରଫ କରିଥିଲା। ହେଲେ ଥାନା କେଶ୍ ମାମଲାକୁ କୋହଳ କରିବା ପାଇଁ ରଫାଦଫା କରିବା ନିମନ୍ତେ ସଂପୃକ୍ତ ଦୋକାନ ମାଲିକର ସମ୍ପର୍କୀୟ ଜରିଆରେ କେତେକ ସାମ୍ବାଦିକ ଙ୍କ ସହିତ ମୁଲଚାଲ ହୋଇଥିଲା । ତେବେ କେସିଙ୍ଗା ଥାନା ଅଞ୍ଚଳରେ ଯେଉଁଭଳି ଭାବେ ଦିନକୁ ଦିନ ନକଲି ଚୋରା ବିଦେଶୀ ମଦ କାରବାର ବୃଦ୍ଧି ପାଉଛି ତାହାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ମଦ ମୃତ୍ୟୁ ର ବିଭୀଷିକା କୁ ଏଡାଇ ଦିଆଯାଇନପାରେ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ଆଦର୍ଶ ଥାନା ମୁଖ୍ୟ ଗେଟ୍ ନିକଟରେ ଥିବା ଠିପି ବନ୍ଦ ବିଦେଶୀ ମଦ ଦୋକାନ କୁ ନେଇ ବୃଦ୍ଧି ପାଉଥିବା ଜନ ଅସନ୍ତୋଷ ଉପରେ କଳାହାଣ୍ଡି ଜିଲ୍ଲା ଅବକାରୀ ଅଧିକ୍ଷକ ରଞ୍ଜନ ନାଏକଙ୍କ ପ୍ରତିକ୍ରିୟା ନେବାରୁ ସରକାରଙ୍କ ଗାଇଡ ଲାଇନ୍ କୁ ଅନୁଧ୍ୟାନ କରି ଠିପି ବନ୍ଦ ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ଅନୁମତି ଦିଆଯାଇଛି ବୋଲି କହିଛନ୍ତି। ତେବେ ଆଦର୍ଶ ଥାନା ସହିତ ପାଖରେ ଷ୍ଟେଟ ବ୍ୟାଙ୍କ,ଅଗ୍ରସେନ ଭବନ ଭଳି ଅନ୍ୟାନ୍ୟ ଧର୍ମାନୁଷ୍ଠାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ଥିବା ପାଖରେ ଠିପି ବନ୍ଦ ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ଅନୁମତି ଦିଆଯିବା ବିଷୟକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏଥିପ୍ରତି ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.