ରାଜ୍ୟ ସ୍ତରୀୟ ପୁରନ୍ଦର ନାଟ ମହୋତ୍ସବ ଉଦଘାଟିତ

ସୁବର୍ଣ୍ଣପୁରର ନାଟ୍ୟ ପରମ୍ପରା ଖୁବ ପ୍ରାଚୀନ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁରର ରୟାଲ ପଡିଆ ମୁକ୍ତ ମଞ୍ଚରେ ବିଶିଷ୍ଟ ବାଦ୍ୟକାର ତଥା କଳାକାର ପୁରନ୍ଦର ବାରିକଙ୍କ ସ୍ମୃତିରେ ପ୍ରଥମ ପୁରନ୍ଦର ନାଟ ମହୋତ୍ସବ ଉଦଘାଟିତ ହୋଇଯାଇଛି। ଉଦଘାଟନୀ ଦିନରେ ୨ଟି କୋଶଲି – ସମ୍ବଲପୁରୀ ନାଟକ ମଞ୍ଚସ୍ଥ ହୋଇଥିବାବେଳେ ଦର୍ଶକଙ୍କ ମନ ମୋହିଛି। କାରୁଣ୍ଡ କଳାମଞ୍ଚ ଭବାନୀପାଟଣା ର “ଝରକା” ଏବଂ ପଦମପୁର ର ଲୁ ପକ୍ଷରୁ ପରିବେଷିତ “ରଙ୍ଗଭୂମି” ନାଟକ ଭିନ୍ନ ଭିନ୍ନ ସାମାଜିକ ବାର୍ତ୍ତାକୁ ନେଇ ପରିପୃଷ୍ଟ ହୋଇ ଉଭୟ ନାଟକ ଗତିଶୀଳ ହୋଇଛି। ନିର୍ଦ୍ଦେଶକ ପ୍ରଦୀପ ଡି. ମାଝୀଙ୍କ ନିର୍ଦ୍ଦେଶନାରେ ପରିବେଷିତ ନାଟକ ଝରକାରେ ମଣିଷ ପ୍ରଥମେ ନିଜେ ନିଜକୁ ଦେଖିବା ସହ ପ୍ରତିଟି ମୁହୂର୍ତ୍ତରେ ନିଜ ପରୀକ୍ଷାଗାରରେ ନିଜକୁ ପରଖିବା ଜରୁରୀ ବୋଲି ନାଟକ ଜରିଆରେ ପ୍ରଦର୍ଶିତ ହୋଇଛି। ମଣିଷ ଅନ୍ୟକୁ ଦେଖିବା ପୂର୍ବରୁ ନିଜର ବିବେକରୂପୀ ଝରକାକୁ ଦେଖିବା ଜରୁରୀ ବୋଲି ଏହି ନାଟକରେ ବାର୍ତ୍ତା ରହିଛି। ଠିକ ସେହିପରି, ପଦମପୁରର ମୂର୍ଦ୍ଧନ୍ୟ ନାଟ୍ୟସଂସ୍ଥା ‘ଲୁ’ ର କଳାକାରଙ୍କ ଦ୍ବାରା ମଞ୍ଚସ୍ଥ ଏବଂ ନିର୍ଦ୍ଦେଶକ ଜଗନ୍ନାଥ ସେଠଙ୍କ ନିର୍ଦ୍ଦେଶିତ ରଙ୍ଗଭୂମି ନାଟକରେ ମଣିଷର ମଣିଷପଣିଆ ଏବଂ ମଣିଷ ଭିତରେ ଥିବା ଦେବଗୁଣକୁ ଉଜ୍ଜୀବିତ ରଖି ସମାଜ ପ୍ରେରିତ କରିବାକୁ ନାଟକର ମୁଖ୍ୟ ନାୟକ ସୁରେ ଚରିତ୍ର ମାଧ୍ୟମରେ ବାର୍ତ୍ତା ଦିଆଯାଇଛି। ନାଟକ ଉପସ୍ଥିତ ଦର୍ଶକଙ୍କୁ ଭାବ ବିଭୋର କରି ଦେଇଥିଲା। ଏହି ନାଟ ମହୋତ୍ସବକୁ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ ଓ ଅଞ୍ଜଳିନା ପ୍ରଧାନ, ସୁମତି ତ୍ରିପାଠୀ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିବାବେଳେ ବର୍ଷିୟାନ କଳାକାର ପୁରନ୍ଦର ବାରିକଙ୍କ ସ୍ମୃତିଚାରଣ ପୂର୍ବକ ସୁବର୍ଣ୍ଣପୁରର ନାଟ୍ୟ ପରମ୍ପରା ଖୁବ ପୁରୁଣା ଓ ବଳିଷ୍ଠ ବୋଲି କହିଥିଲେ। ଉଦଘାଟନୀ ପର୍ବରେ ନାଟକ ମହୋତ୍ସବର ମୁଖ୍ୟ ସଂଯୋଜକ ନାଟ୍ୟଶ୍ରୀ ଗଦାଧର ବାରିକ, ସମ୍ପାଦକ ଦିଲୀପ ପାତ୍ର, କୋଷାଧ୍ୟକ୍ଷ ନିଶାନ୍ତ ମହାନ୍ତି, ସ୍ବର୍ଗତ ପୁରନ୍ଦର ବାରିକଙ୍କ ତିନି ପୁଅ ଆନନ୍ଦ ବାରିକ, ସାନନ୍ଦ ବାରିକ ଓ ଅରବିନ୍ଦ ବାରିକ ପ୍ରମୁଖ କାର୍ଯ୍ୟକର୍ତ୍ତା ସାମିଲ ହୋଇ ସ୍ୱର୍ଗତ ପୁରନ୍ଦର ବାରିକଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ପୁରନ୍ଦର ବାରିକ ସ୍ମୃତି କମିଟି ପକ୍ଷରୁ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ନାଟକ ମହୋତ୍ସବ ୩ଦିନ ଧରି ହେବାକୁ ଥିବାବେଳେ ପଶ୍ଚିମ ଓଡିଶାର ପ୍ରମୁଖ ୮ଟି ନାଟ୍ୟ ସଂସ୍ଥା ପକ୍ଷରୁ ନାଟକ ପରିବେଷିତ ହେବ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.