ଶ୍ରବଣ ଶକ୍ତି ହରାଇଲେ ବଲିଉଡର ଲୋକପ୍ରିୟ ଗାୟିକା ଅଲକା ୟାଗନିକ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ବଲିଉଡର ଲୋକପ୍ରିୟ ଗାୟିକା ଅଲକା ୟାଗନିକ ନ୍ୟୁରୋ ଜନିତ ସମସ୍ୟାରେ ପୀଡ଼ିତ ହୋଇ ନିଜର ଶ୍ରବଣ ଶକ୍ତି ହରାଇଛନ୍ତି। ଏନେଇ ସେ ନିଜ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି, ଯାହାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ନିରାଶା ଦେଖାଦେଇଛି। କିଛି ଶୁଣିପାରୁନାହାନ୍ତି ବଲିଉଡର ଲୋକପ୍ରିୟ ଗାୟିକା ଅଲକା ୟାଗନିକ। ରେୟାର ସେନସୋରିନ୍ୟୁରାଲ ନର୍ଭ ହିୟରିଂ ଲସ୍ରେ ପୀଡ଼ିତ ହୋଇଛନ୍ତି ଅଲକା ୟାଗନିକ। ଏନେଇ ନିଜେ ଅଲକା ନିଜର ସୋସିଆଲ ମିଡିଆ ଆକାଉଂଟରେ ସୂଚନା ଦେଇଛନ୍ତି। ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ତାଙ୍କର ଶ୍ରବଣ ଶକ୍ତି ଚାଲିଯାଇଥିବା କହିଛନ୍ତି। ଅଲକା ଲେଖିଛନ୍ତି, କିଛି ସପ୍ତାହ ତଳେ ଯେତେବେଳେ ମୁଁ ବିମାନ ଯାତ୍ରା କରି ବାହାରକୁ ବାହାରିଲି ହଠାତ ଅନୁଭବ କଲି ଯେ ମୁଁ କିଛି ଶୁଣିପାରୁନାହିଁ। କିଛି ସପ୍ତାହ ହେଲା ମୁଁ କାହିଁକ ମୋ କାର୍ୟ୍ୟରୁ ବିରତ ରହିଥିଲି ଓ କାହିଁକି ସାମ୍ନାକୁ ଆସୁନାହିଁ ବୋଲି ମୋତେ ଅନେକ ଲୋକ ପ୍ରଶ୍ନ ପଚାରିଛନ୍ତି। ବର୍ତ୍ତମାନ ଘଟଣାର କିଛି ଦିନ ପରେ ର୍ମୁ ସାହାସ ଯୁଟାଇ ସମସ୍ତଙ୍କ ସାମ୍ନାକୁ ଆସିଛି। ମୁଁ ମୋର ବନ୍ଧୁ ଓ ପ୍ରଶଂସକଙ୍କୁ ଏ ସମ୍ପର୍କରେ କହିବାକୁ ଚାହୁଁଛି। ମୁଁ ରେୟାର ସେନସୋରିନ୍ୟୁରାଲ ନର୍ଭ ହିୟରିଂ ଲସ୍ରେ ପୀଡ଼ିତ । ଭାଇରାଲ ସଂକ୍ରମଣ ଯୋଗୁଁ ଏହି ସମସ୍ୟା ହୋଇଥିବା ଡାକ୍ତର କହିଛନ୍ତି। ହଠାତ ଏପରି ଏକ ବଡ଼ ଧକ୍କା ମୋତେ ଆଶ୍ଚର୍ୟ୍ୟ କରିଛି। ମୁଁ ଏଥିରୁ ମୁକ୍ତି ପାଇବାକୁ ଚେଷ୍ଟା କରୁଛି। ମୋ ପାଇଁ ସମସ୍ତେ ପ୍ରାର୍ଥନା କରନ୍ତୁ। ମୋ ପ୍ରଶଂସକଙ୍କୁ କହିବା ପାଇଁ ଚାହୁଁଛି ଯେ ଉଚ୍ଚ ଶବ୍ଦରେ ସଙ୍ଗୀତ ଶୁଣନ୍ତୁନାହିଁ ଏବଂ ହେଡଫୋନ୍ ବ୍ୟବହାର କରିବାକୁ ବିରତ ରୁହନ୍ତୁ। ସମସ୍ତଙ୍କ ଭଲପାଇବା ଓ ସମର୍ଥନ ଯୋଗୁଁ ମୁଁ ଖୁବ୍ ଶୀଘ୍ର ପୁଣି ଆଗଭଳି ଫେରିବାକୁ ଆଶା କରୁଛି। ଅଲକା ୟାଗନିକ ଏହି ରୋଗରେ ପୀଡ଼ିତ ହୋଇ ନିଜର ଶ୍ରବଣ ଶକ୍ତି ହରାଇବା ତାଙ୍କ ପ୍ରଶଂସକଙ୍କୁ ବଡ଼ ଧକ୍କା ଦେଇଛି। ତେବେ ଏପରି ସମୟରେ ନିଜେ ଅଲକା ମଧ୍ୟ ତାଙ୍କ ପାଇଁ ପ୍ରାର୍ଥନା କରିବାକୁ ସମସ୍ତଙ୍କୁ ଅପିଲ କରିଛନ୍ତି। ଏବଂ ସୁସ୍ଥ ହୋଇ ଶୀଘ୍ର ପୁଣି ଆଗଭଳି କାମ କରିବେ ବୋଲି ଆଶା ରଖିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.