ନବରଙ୍ଗପୁର ଜିଲ୍ଲା ରାଜମିସ୍ତ୍ରୀ ମହାସଂଘର ବୈଠକ

ଓଡ଼ିଆ ବାର୍ତ୍ତା/ ଉମରକୋଟ: ଉମରକୋଟ ସ୍ଥିତ ବିଶ୍ଵକର୍ମା ରାଜମିସ୍ତ୍ରୀ ସଂଘର ସଭା ଗୃହ ଠାରେ ନବରଙ୍ଗପୁର ଜିଲ୍ଲା ରାଜମିସ୍ତ୍ରୀ ମହାସଂଘର ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉମରକୋଟ ସଂଘର ସଭାପତି ବଳି ମଙ୍ଗରାଜଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ରାଜ ମିସ୍ତ୍ରୀ ମହାସଂଘର ସଭାପତି ବିପିନ ନାଗ ଯୋଗ ଦେଇଥିବାବେଳେ ଜିଲ୍ଲା ସାଧାରଣ ସଂପାଦକ ପର୍ଶୁରାମ ନାୟକ ମଞ୍ଚ ସଂଯୋଜନା କରିଥିଲେ। ଏଥିରେ ଜିଲ୍ଲାର ୧୦ ଗୋଟି ବ୍ଲକରୁ ଶାଖା ସଂଘର ସଭାପତି, ସଂପାଦକ, କୋଷାଧ୍ୟକ୍ଷ ଓ ସଦସ୍ୟ, ପ୍ରାୟ ଏକ ଶହରୁ ଉର୍ଦ୍ଧ୍ବ ରାଜମିସ୍ତ୍ରୀ ଯୋଗ ଦେଇଥିଲେ। ବୈଠକରେ ଜିଲ୍ଲା  ଶ୍ରମିକ ଭବନ ନିର୍ମାଣ, ଜିଲ୍ଲା ରାଜମିସ୍ତ୍ରୀ ମହାସଂଘର ପଞ୍ଜିକରଣ କରାଇବା, ଆସନ୍ତା ୨୫ ତାରିଖ ଭିତରେ ପୁଣି ଜିଲ୍ଲା ମହାସଂଘର ଜରୁରୀ କାଳୀନ ବୈଠକ ବସି ଶ୍ରମିକ ଦିବସର ଆୟବ୍ୟୟ ଉପସ୍ଥାପନ କରିବା ଆଦି ବିଷୟ ସହ ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରାଯାଇଥିଲା। ଏଥିରେ ତେନ୍ତୁଳିଖୁଣ୍ଟି, ଇନ୍ଦିରବତୀ, ଖାତିଗୁଡା, ନନ୍ଦାହାଣ୍ଡି, ନବରଙ୍ଗପୁର, ପାପଡାହାଣ୍ଡି, ଉମରକୋଟ, ଝରିଗାଁ, ଚନ୍ଦାହାଣ୍ଡି, ରାଇଘର, ବ୍ଲକର ଓ ଜିଲ୍ଲା ଶାଖା ସଂଘର ସଦସ୍ୟମାନେ ଯୋଗ ଦେଇଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.