ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଧାନ ଓ କପା ସହିତ ୧୪ଟି ଖରିଫ୍ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ପ୍ରସ୍ତାବ ଗୃହୀତ ହୋଇଛି। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି। ଦେଶର କୃଷକ ଭାଇ ଭଉଣୀଙ୍କ ସାମୁହିକ ସ୍ବାର୍ଥକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀଙ୍କ ଏହି ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ବାଗତ କରିବା ସହ ଧନ୍ୟବାଦ ଦେଇଛନ୍ତି। ଏହାଦ୍ବାରା ଓଡ଼ିଶାର କୃଷକ ମାନେ ବିଶେଷ ଭାବେ ଉପକୃତ ହେବେ ବୋଲି ସେ କହିଛନ୍ତି। ବୁଧବାର କେନ୍ଦ୍ର ସରକାର ଧାନ, ରାଗି, ବାଜରା, ମକା, କପା ସମେତ ୧୪ ଖରିଫ ଫସଲର ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ବୃଦ୍ଧି କରିଛନ୍ତି। କେନ୍ଦ୍ର କ୍ୟାବିନେଟ ଏହାକୁ ଅନୁମୋଦନ କରିଥିବା ସୂଚନ ଦେଇଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।