ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରେ ସୋମବାର ଦ୍ଵିତୀୟ ଦିନରେ ପୁଣି ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଦ୍ଵିତୀୟ ଦିନ ରଥଯାତ୍ରା ସାରି ତିନି ଠାକୁର ମାଉସୀ ମନ୍ଦିରେ ପହଞ୍ଚି ମାଉସୀଙ୍କ ହାତରୁ ଭୋଗ ଖାଉଛନ୍ତି। ଏବେ ମାଉସୀ ମନ୍ଦିରେ ଭକ୍ତମାନେ ଶ୍ରୀଜୀଉମାନଙ୍କୁ ଦର୍ଶନ କରୁଛନ୍ତି। ନର୍ଲାରେ ଏନେଇ ଉତ୍ସବର ମହୋଲ ଦେଖା ଦେଇଛି। ଏହି ୮ ଦିନ ଧରି ପ୍ରତ୍ୟହ ସନ୍ଧ୍ୟାରେ ମାଉସୀ ମନ୍ଦିର ସମ୍ଭମୁଖରେ କମିଟି ତରଫରୁ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ସୂଚନା ମିଳିଛି। ରଥଯାତ୍ରା ଦିନ ରଥ ନର୍ଲା ଚାରିଛକରୁ ବହାରି ପଞ୍ଚାୟତ ବିପଣି କେନ୍ଦ୍ରରେ ରହିଯାଇଥିଲା। ପ୍ରସିଦ୍ଧ ସଙ୍କୀର୍ତ୍ତନ ଗୁରୁ ବିଜୟ ପଣ୍ଡା ଠାକୁର ମାନଙ୍କ ରାତ୍ରୀ ରହଣୀର ବ୍ୟବସ୍ଥା କରିଥିଲେ। ସୋମବାର ଦ୍ୱିତୀୟ ଦିନ ସନ୍ଧ୍ୟା ୫.୩୦ ରେ ପୁଣି ରଥଟଣା ଅନୁଷ୍ଠିତ ହୋଇଥିଲା। ନର୍ଲା ନବୋଦୟ ଛକରେ ରଥ ରହିବା ପରେ ପଣ୍ଡାମାନେ ଶ୍ରୀଜୀଉ ମାନଙ୍କୁ ଧାଡ଼ି ପହଣ୍ଡିରେ ମାଉସୀ ମା ମନ୍ଦିରକୁ ନେଇ ଯାଇଥିଲେ। ଏବେ ମାଉସୀ ମନ୍ଦିରରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ତିନି ଠାକୁର।