ଓଡ଼ିଆ ବାର୍ତ୍ତା/ କଲ୍ୟାଣସିଂହପୁର (ପଦ୍ମନ ଭତ୍ରା): ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତ ୧୫ନମ୍ବର ୱାର୍ଡ ଘାଗୁଡିମାଳ ଗ୍ରାମର ଅଜିତ ନାଗବଂଶଙ୍କ ନିଖୋଜ ପୁଅର ମୃତ ଦେହକୁ ଠାବ କଲା ପୁଲିସ । ଆଜି ସକାଳେ ଅଜିତ ଓ ଗ୍ରାମର କିଛି ଲୋକ ଘାଗୁଡିମାଳ ନାଳର ମଶାଣି ତୁଠକୁ ଶୌଚ ପାଇଁ ଯାଇଥିଲେ । ସେଠାରେ ପଚା ଦୁର୍ଗନ୍ଧ ହେବାରୁ ଖୋଜାଖୋଜି କରିଥିଲେ । ଲଟା ମୂଳରେ ଶିଶୁର ମୃତ ଦେହ ଦେଖିଥିଲେ । ପୁଅ ପିନ୍ଧିଥିବା ସାର୍ଟକୁ ଦେଖି ବାପା ଅଜିତ ଚିହ୍ନି ପାରି ସ୍ଥାନୀୟ ପୁଲିସକୁ ଯୋଗାଯୋଗ କରିଥିଲେ । ଉକ୍ତ ଖବର ପାଇ ଥାନା ଅଧିକାରୀ ନୀଳକଣ୍ଠ ବେହେରା ଓ ଏସଆଇ ପୁରୁଷୋତ୍ତମ ଜାନି ଘଟଣାସ୍ଥଳରେ ପହଞ୍ଚି ଉପରିସ୍ତ ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ । ଉକ୍ତ ଖବର ପାଇ ଏସ.ଡି.ପି.ଓ ଗୌରହରି ସାହୁ ଓ ତଦନ୍ତକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଶିଶୁର ମୃତ ଶରୀରକୁ କୋରାପୁଟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପରୀକ୍ଷା ନିମନ୍ତେ ପଠାଇଛନ୍ତି । ଶିଶୁଟି ଏତେ ଦୂର କେମିତି ଆସି ମୃତ୍ୟୁ ହୋଇଛି କିନ୍ତୁ ଆମେ କାହାରିକୁ ସନ୍ଦେହ କରିନାହୁଁ ବୋଲି ପରିବାରର ବାପା ଅଜିତ ନାଗବଂଶ, ଜେଜେବାପା ଯୁଧିଷ୍ଠିର ନାଗବଂଶ, ଜେଜେମା ଶ୍ରାବଣୀ ନାଗବଂଶ ଓ ମାଆ ଲିପି ନାଗବଂଶ କହିଛନ୍ତି । ପ୍ରକାଶ ଥାଉ କି ୧୧ତାରିଖ ମଙ୍ଗଳବାର ସନ୍ଧ୍ୟାରେ ଏକ ବର୍ଷ ଛଅ ମାସର ଶିଶୁ ନିଖୋଜ ହୋଇଥିବା ବୁଧବାର ସକାଳୁ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ନେଇ ସ୍ଥାନୀୟ ପୁଲିସ ଘାଗୁଡିମାଳ ଯାଇ ତଦନ୍ତ କରିଥିଲେ । ସେହିଦିନ ସନ୍ଧ୍ୟାରେ ଏସ.ଡି.ପି.ଓ ଆସି ତଦନ୍ତ କରିଥିଲେ । ଏହାପରେ ସନ୍ଧାନି କୁକୁର ଆଣି ତଦନ୍ତ କରିଥିଲେ । ହେଲେ ବି ଶିଶୁର କୌଣସି ସନ୍ଧାନ ପାଇନଥିଲେ । ଜବାନ ଓ ପୁଲିସ ମିଳିତରେ ଗ୍ରାମ ନିକଟସ୍ଥ ପାହାଡ଼, ନାଳ, ଗୁଡ଼ିଆ, ବଣ ସବୁ ଖୋଜାଖୋଜି କରିଥିଲେ ସୁଦ୍ଧା କୌଣସି ସନ୍ଧାନ ନ ପାଇ ନିରାଶ ହୋଇ ଫେରିଥିଲେ । ଉକ୍ତ ଶିଶୁକୁ କିଏ ଅପହରଣ କରି ନେଇଥିବା ସନ୍ଦେହ କରିଥିଲେ । ଆଜି ପୁଲିସ ଶିଶୁର ମୃତ ଦେହ ଠାବ କରିଛି ।