ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଓଡ଼ିଶାର ସଂସ୍କୃତି ଓ ସାହିତ୍ୟର ଗୌରବମୟ ଐତିହ୍ୟକୁ ସମ୍ମାନ ଜଣାଇବା ସହ ରାଜ୍ୟର ମହାନ ସନ୍ତାନମାନଙ୍କ ଅବଦାନକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ସଂପ୍ରତି ବାଲେଶ୍ଵର ସହର ସ୍ଥିତ ସଦଭାବନା ସଭାଗୃହରେ ଓଡ଼ିଶାର ବରପୁତ୍ରମାନଙ୍କ ଉପରେ ଏକ ଆଲୋଚନା ଚକ୍ର ‘ବନ୍ଦନୀୟ ବରପୁତ୍ର’ ଏବଂ ଜିଲ୍ଲାର କବିମାନଙ୍କୁ ନେଇ ଏକ କବିତା ପାଠୋତ୍ସବ ଆୟୋଜିତ ହୋଇଯାଇଛି।
ଏହି ସଭାରେ ସମ୍ମାନିତ ଅତିଥି ଭାବେ ବିଧାୟକ, ଜଳେଶ୍ଵର ଶ୍ରୀ ଅଶ୍ଵିନୀ କୁମାର ପାତ୍ର, ବିଧାୟିକା, ବସ୍ତା ଶ୍ରୀମତୀ ସୁବାସିନୀ ଜେନା, ଅଧ୍ୟକ୍ଷ, ବାଲେଶ୍ଵର ଜିଲ୍ଲା ପରିଷଦ ଶ୍ରୀ ନାରାୟଣ ପ୍ରଧାନ, ବାଲେଶ୍ଵର ପୌରାଧ୍ୟକ୍ଷା ଶ୍ରୀମତୀ ସବିତା ସାହୁ, ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ ଓ ବାଲେଶ୍ଵର ଉପ ଜିଲ୍ଲାପାଳଙ୍କ ଡକ୍ଟର ମଧୁସ୍ମିତା ସାମନ୍ତରାୟ, ମଂଚାସୀନ ଥିଲେ I
ସଭା ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଜଳନ, ମାଲ୍ୟାର୍ପଣ ଓ ରାଜ୍ୟ ସଙ୍ଗୀତ “ବନ୍ଦେ ଉତ୍କଳ ଜନନୀ” ଗାନ କରାଯାଇଥିଲା। ସ୍ଵାଗତ ସମ୍ଭାଷଣ ପରେ ଓଡ଼ିଶାର ବରପୁତ୍ରମାନଙ୍କ ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରେରିତ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା।
ପରବର୍ତ୍ତୀ ଅଧିବେଶନରେ ଓଡ଼ିଶା ସାହିତ୍ୟ ଏକାଡେମୀ ସଂଯୋଜକ ଶ୍ରୀ ଶିରିଶ ଚନ୍ଦ୍ର ଜେନାଙ୍କ ସଭାପତିତ୍ଵରେ ଓଡ଼ିଶାର ମହାନ ସନ୍ତାନମାନଙ୍କ ଜୀବନ ଓ କୃତି ଉପରେ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା । ବରେଣ୍ୟ ଅତିଥି ଶ୍ରୀ ବିପିନ ବିହାରୀ ବିଶ୍ଵାଳ ବକ୍ତବ୍ୟ ରଖିଥିଲେ I ଶ୍ରୀଧର ସ୍ଵାମୀ ସ୍ମୃତି ପରିଷଦ, ରେମୁଣାର ଉପଦେଷ୍ଟା ଶ୍ରୀ ଭାଗବତ ପ୍ରସାଦ ଦାସ ପଣ୍ଡିତ ଶ୍ରୀଧର ସ୍ଵାମୀ ଓ ଶ୍ରୀ ବଳଦେବ ବିଦ୍ୟାଭୂଷଣଙ୍କ ଉପରେ ବକ୍ତବ୍ୟ ଦେଇଥିବା ବେଳେ ଗବେଷକ ଶ୍ରୀ ଲକ୍ଷ୍ମୀକାନ୍ତ ତ୍ରିପାଠୀ ଭକ୍ତକବି ଦୀନକୃଷ୍ଣ ଦାସଙ୍କ ଉପରେ ବକ୍ତବ୍ୟ ଦେଇଥିଲେ I ସେହି ଭଳି ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଡଃ ସନ୍ତୋଷ କୁମାର ନାୟକ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଉପରେ ବକ୍ତବ୍ୟ ଦେଇଥିଲେ, ଅବସରପ୍ରାପ୍ତ ପ୍ରଫେସର ଡଃ ରବୀନ୍ଦ୍ର ବିହାରୀ କବିବର ରାଧାନାଥ ରାୟଙ୍କ ଉପରେ ବକ୍ତବ୍ୟ ରଖିଥିଲେ ଓ ଶେଷରେ ‘ମନୋଜାୟନ’ର ସମ୍ପାଦକ ଶ୍ରୀ ସୁବାସ ଚନ୍ଦ୍ର ପାତ୍ର ପଦ୍ମଭୂଷଣ ମନୋଜ ଦାସଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ I
ଶେଷ ଅଧିବେଶନରେ ଆୟୋଜିତ କବିତା ପାଠୋତ୍ସବରେ ଜିଲ୍ଲାର ୫୦ ଜଣ ବିଶିଷ୍ଟ କବି ଓ କବୟିତ୍ରୀ ନିଜର କବିତା ପାଠ କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଧାକର ନାୟକ ଅଭିଭାଷଣ ଦେଇଥିଲେ । କବିତା ଆସରକୁ ଓଡ଼ିଶା ସାହିତ୍ୟ ଏକାଡେମୀର ସଂଯୋଜକ ଶ୍ରୀ ସୁରଞ୍ଜନ ପାତ୍ର ସଂଚାଳନ କରିଥିବା ବେଳେ ଶ୍ରୀମତୀ ଜ୍ୟୋତ୍ସ୍ନାରାୟ ମହାପାତ୍ର ଓ ଶ୍ରୀ ମଧୁସୂଦନ ମିଶ୍ର କବିତା ସଂଯୋଜନା କରିଥିଲେ । ଶେଷରେ ଓଡିଶା ସାହିତ୍ୟ ଏକାଡେମୀ ସଂଯୋଜକ ଶ୍ରୀ ଚନ୍ଦ୍ରମୋହନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ I ଉକ୍ତ ସମସ୍ତ କାର୍ଯ୍ୟକ୍ରମ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ମନସ୍ବିନୀ ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଏଥିରେ ସହଯୋଗ କରିଥିଲେ I