ଉନ୍ମୋଚିତ ହେଲା ଗାଳ୍ପିକ ଗଙ୍ଗାଧର ବିଶ୍ୱାଳଙ୍କ ‘ଷୋଡ଼ଶ’ ଗଳ୍ପ ସଂକଳନ

• ଗଙ୍ଗାଧରଙ୍କ ଗଳ୍ପରେ ଥାଏ ସାମାଜିକ ଜୀବନର ବାସ୍ତବ ଚିତ୍ର ଓ ଅନପ୍ରେଡିକ୍ଟେବୁଲ୍ ଉପସଂହାର, କହିଲେ ଅତିଥି

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି) : ଶୁକ୍ରବାର ସନ୍ଧ୍ୟାରେ ସହରର ଏସିପିଏଲ୍ ସମ୍ମିଳନୀ କକ୍ଷରେ ସୁପ୍ରତିଷ୍ଠିତ ଗାଳ୍ପିକ ଗଙ୍ଗାଧର ବିଶ୍ୱାଳଙ୍କ ଗଳ୍ପ ସଙ୍କଳନ ‘ଷୋଡ଼ଶ’ ଉନ୍ମୋଚିତ ହୋଇଯାଇଛି।

କବି ପ୍ରଶାନ୍ତ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ଅତିଥି ଭାବେ କବି କୃଷ୍ଣ କୁମାର ମହାନ୍ତି ଯୋଗ ଦେଇ ଗଙ୍ଗାଧରଙ୍କ ଗଳ୍ପରେ ଜୀବନାନୁଭୁତି ଠୁଳ ହୋଇଥାଏ ବୋଲି କହିବା ସହ ଗାଳ୍ପିକ ନିଜେ ହିଁ ଗୋଟିଏ ଗଳ୍ପ ଏବଂ ସେ ଗଳ୍ପରେ ନିଜକୁ ହିଁ ଦେଖାଇଥାନ୍ତି ଅଧିକ।

ଅନ୍ୟ ଅତିଥି ଭାବେ କବି ଉତ୍ପଳ ମହାନ୍ତି, ‘ସେଇଠୁ ଆରମ୍ଭ’ର ସମ୍ପାଦକ କବି ଶୁଭେନ୍ଦୁ ଦାସ, ଫକୀରମୋହନ ସାହିତ୍ୟ ପରିଷଦର ସଭାପତି ଡକ୍ଟର ସୁବାସଚନ୍ଦ୍ର ପାତ୍ର, ଏଚଡିଏଫସି ବ୍ୟାଙ୍କର ଉପ ସଭାପତି ସମରେନ୍ଦ୍ର ବିହାରୀ ପ୍ରମୁଖ ଯୋଗ ଦେଇ ଗଳ୍ପ ପୁସ୍ତକଟିର ଉନ୍ମୋଚନ କରିଥିଲେ।

ଗାଳ୍ପିକର ନିଜସ୍ଵ ଅନୁଭବ ଗଳ୍ପକୁ ଗତିଶୀଳ କରି ସହଜରେ ପାଠକଙ୍କ ପାଖରେ ପହଞ୍ଚାଏ। ପ୍ରତ୍ୟେକ ସ୍ରଷ୍ଟା ନିଜର ବିଚାର ଓ ଦୃଷ୍ଟିକୋଣକୁ ପୁସ୍ତକରେ ଲେଖି ପାଠକକୁ ପ୍ରଭାବିତ କରିବାକୁ ଚାହେଁ। ଯାହା ପାଠକଙ୍କ ମନ ଓ ହୃଦୟକୁ ସହଜରେ ଛୁଇଁବା ସହ ଏକ ନୂଆ ଆବେଗ ସୃଷ୍ଟି କରେ ତାହା ଭଲ ଗପ ପଦବାଚ୍ୟ ହୋଇଥାଏ। ‘ଷୋଡ଼ଶ’ର ନାମକରଣ ଗପ ବହିଟିକୁ ନିଶ୍ଚିତ ଭାବେ ଚର୍ଚ୍ଚାକୁ ଆଣିବ ବୋଲି ଅତିଥିମାନେ ନିଜ ନିଜ ବକ୍ତବ୍ୟରେ କହିଥିଲେ।

ଗାଳ୍ପିକ ଶ୍ରୀ ବିଶ୍ୱାଳ ନିଜ ଗଳ୍ପର ଉପାଦାନ ଓ ବିଷୟବସ୍ତୁ ଉପରେ ସମ୍ୟକ ଦୃଷ୍ଟି ରଖିଥ‌ିବା ବେଳେ କବି ସିତାଂଶୁ ଲେଙ୍କା ପ୍ରକାଶକୀୟ ଅଭିବ୍ୟକ୍ତି ରଖିଥିଲେ। ବିଶିଷ୍ଟ ସମାଲୋଚକ ଡକ୍ଟର ଶିରୀଷ ଚନ୍ଦ୍ର ଜେନା, ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ଓଡିଆ ବିଭାଗ ମୁଖ୍ୟ ଡକ୍ଟର ସନ୍ତୋଷ କୁମାର ନାୟକ ପ୍ରମୁଖ ଗଙ୍ଗାଧରଙ୍କ ଗଳ୍ପ ସମ୍ପର୍କରେ ନିଜ ନିଜର ଅଭିବ୍ୟକ୍ତି ରଖୁଥିଲେ। ପ୍ରାରମ୍ଭରେ ଗୀତିକା ଯୋଗସ୍ମିତା ବିଶ୍ଵାଳ ସ୍ଵାଗତ ଅଭିଭାଷଣ ସହ ଅତିଥିଙ୍କ ପରିଚୟ ଦେଇଥିବା ବେଳେ ଗୀତିକା ଜ୍ୟୋତିପର୍ଣ୍ଣା ବିଶ୍ଵାଳ ଧନ୍ୟବାଦ ଅର୍ପଣ କରିଥିଲେ।

ଉଲ୍ଲେଖଥାଉ କି ‘ପକ୍ଷୀଘର’ ପକ୍ଷରୁ ପ୍ରକାଶିତ ‘ଷୋଡ଼ଶ’ ସଂକଳନ ପୂର୍ବରୁ ଗାଳ୍ପିକ ଗଙ୍ଗାଧରଙ୍କର ୧୫ଖଣ୍ଡ ଗଳ୍ପ ସଙ୍କଳନ ପ୍ରକାଶ ପାଇ ପାଠକୀୟ ଆଦୃତି ଲାଭ କରିସାରିଛି। ଏହି ଉନ୍ମୋଚନ ଆସରରେ କବି ଅଭୟ ଦାସ, ଔପନ୍ୟାସିକ ସୃଷ୍ଟିଧର ପରିଡା, ବ୍ୟଙ୍ଗ ସ୍ରଷ୍ଟା ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀ, ଗାଳ୍ପିକ ନିବାରଣ ଜେନା, ଗାଳ୍ପିକ ସଞ୍ଜୟ ପଣ୍ଡା, ରାଜେଶ ଗିରି, ମଧୁସୂଦନ ମିଶ୍ର, ପ୍ରତ୍ୟାଶା ପ୍ରିୟମ୍ବଦା ମହାନ୍ତି ପ୍ରମୁଖ ବହୁ ଶ୍ରୋତା ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.