ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ‘ହରି’ କହିଲେ ସମସ୍ତେ ଭଗବାନଙ୍କୁ ବୁଝନ୍ତି, ଆଉ ଲୋକେ ହରିଙ୍କୁ ମନାସି ନିଜ ସୁଖ ଦୁଃଖ ଗୁହାରନ୍ତି ଓ କୁଶଳରେ ରଖିବାକୁ ମନୋସ୍କାମନା କରନ୍ତି l ହେଲେ ଆଜି ଆମେ ଏମିତି ଜଣେ ହରିଙ୍କୁ ଭେଟିଛୁ ଯିଏ ନିଜ ଦୁଃଖ ଲୋକଙ୍କ ଠାରେ ବଖାଣି ହରଙ୍କ (ଶିବ ମନ୍ଦିର) ଦ୍ୱାରରେ ଭିକ୍ଷା ବୃତ୍ତି କରି ଚାହା ଆଉ ବିସ୍କୁଟ ତ କେବେ କେମିତି କିଏ ଭାତ ଗଣ୍ଡେ ଦେଲେ ଜୀବନ ଜିଉଁଛନ୍ତି l କଥାଟା ଅଡୁଆ ଲାଗୁଥିଲେ ମଧ୍ୟ ସତ। ଆମେ କହୁଛୁ ଜଣେ ହରି ନାମକ ବ୍ୟକ୍ତିଙ୍କ ଜୀବନ ଶୈଳୀ ଉପରେ l କୋକସରା ବ୍ଲକ ମୋଟେର ପଞ୍ଚାୟତ ବାଟିଗୁଡା ଗ୍ରାମର ହରି କର l ବୟସ ଷାଠିଏରୁ ଉର୍ଦ୍ଧ, ନା ଅଛି ଆଧାର, ନା ଅଛି ରାସନ କାର୍ଡ, ନା ବାର୍ଦ୍ଧକ୍ୟ ଭତ୍ତା ଓ ରହିବାକୁ ଘର l ପରିବାର କହିଲେ ନିଜେ ହିଁ ଜଣେ l ଯୌବନ ଅବସ୍ଥାରେ ଯେମିତି ସେମିତି କାମଧନ୍ଦା କରି ଚଳି ଯାଉଥିଲେ l ବର୍ତମାନ ବାର୍ଦ୍ଧକ୍ୟରେ ଉପନୀତ l ସମସ୍ତ ସରକାରୀ ସୁବିଧାରୁ ବହୁଦୂରରେ l କୁସୁମଖୁଣ୍ଟି ନୀଳକଣ୍ଠେଶ୍ଵର ମନ୍ଦିର ସାଜିଛି ତାଙ୍କ କର୍ମ ଭୂମି । ଜାତୀୟ ରାଜପଥ ୨୬ ର କଡରେ ଥିବା ଦୋକାନର ଛାଇ ହିଁ ତାଙ୍କ ବାସସ୍ଥଳୀ ଓ ରାଜରାସ୍ତାରେ ଯାଉଥିବା ସହୃଦୟ ବ୍ୟକ୍ତିଙ୍କ ଦାନ ଓ ମନ୍ଦିରର ଭିକ୍ଷା ବୃତ୍ତିରେ ଚାହା ଓ ବିସ୍କୁଟ ହେଉଛି ତାଙ୍କ ଆହାର l ତାହା ପୁଣି ଆଶା ବାଡ଼ି ଓ ଗୁରୁଣ୍ଡି ଗୁରୁଣ୍ଡି ଯାଇ ଲୋକଙ୍କୁ ହାତ ପତେଇଲେ ପେଟ ଟିକେ ଓଦା ହୁଏ l ସରକାର ସମସ୍ତଙ୍କ ପାଇଁ ବହୁ ଯୋଜନା କରିଛନ୍ତି ହେଲେ ଆଜି ଯାଏଁ ହରି କୌଣସି ଯୋଜନା ପାଇଁ ଚିହ୍ନଟ ହୋଇନାହାନ୍ତି l ଆଜି ଯାଏଁ କିଏ ପଚାରି ନାହାନ୍ତି ଏ ବ୍ୟକ୍ତି ଜଣକ କିଏ ବୋଲି l ନା ରାଜନେତା ନା ଶାସକ ପ୍ରଶାସକ କାହା ନଜରରେ ଆସି ନାହାନ୍ତି ହରି l ଏ ହରିଙ୍କ ଦୁଃଖ ବୁଝିବ କିଏ ? ସରକାରୀ ସୁବିଧାରୁ ବଞ୍ଚିତ ହରିଙ୍କୁ ସମସ୍ତ ସୁବିଧା ଯୋଗେଇ ଦେବାକୁ ଦାବୀ କରିଛନ୍ତି ନିତିଦିନ ଦୁଃଖ ଦେଖୁଥିବା ବ୍ୟକ୍ତି l ଏଭଳି ସ୍ଥିତିରେ ଭତ୍ତା, ରାସନ କାର୍ଡ ଓ ଘର ଖଣ୍ଡିଏ ଯୋଗେଇ ଦେବା ପାଇଁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାକୁ ଗଣମାଧ୍ୟମ ଆଗରେ ଗୁହାରି କରିଛନ୍ତି ହରି କର l ଏନେଇ କୋକସରା ବିଡ଼ିଓ ଡ଼ ହିମାଞ୍ଚଳ ମାଝୀଙ୍କୁ ପଚାରିବାରୁ ଖୁବ ଶୀଘ୍ର ତାଙ୍କ ଆଧାର କାର୍ଡ ବନେଇ ସମସ୍ତ ସୁବିଧା ଯୋଗେଇ ଦିଆଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି l ଏନେଇ ମୋଟେର ସରପଞ୍ଚ ବାସନ୍ତୀ ନାଏକଙ୍କୁ ପଚାରିବାରୁ ଆମେ ତାଙ୍କୁ ନେଇ ଆଧାର କାର୍ଡ ବନେଇ ସରକାରୀ ଯୋଜନାରେ ସାମିଲ କରିବୁ ବୋଲି କହିଥିଲେ l