ଓଡ଼ିଆ ସାହିତ୍ୟକୁ ନୂଆ ଦିଶା ଦେଖାଇଛି ‘ମହୁରି’ -ଗୃହମନ୍ତ୍ରୀ

● କବି ଲକ୍ଷ୍ମୀ ନାରାୟଣ ହୋତା ପାଇଲେ ମହୁରି ସମ୍ମାନ

କଳାହାଣ୍ଡି: କୌଣସି ବିଷୟରେ ଭାଷଣ ଦେବା ସହଜ କିନ୍ତୁ ଲେଖିବା ସହଜସାଧ୍ୟ ନୁହେଁ। କଥାକୁ ଲିଖନ ରୂପ ଦେବା ଏକ କଠିନ କାମ। ଏହି ସାହିତ୍ୟ ପ୍ରତିନିଧିତ୍ବ ଦେବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ତେବେ ଏହି ସାହିତ୍ୟର ପ୍ରଚାର ପ୍ରସାର ଦିଗରେ କାମ କରୁଥିବା ‘ମହୁରି’ ପତ୍ରିକା ଓଡ଼ିଶାର ପ୍ରଗତିର ଦିଶାକୁ ବଦଳାଇବା ଦିଗରେ ଏକ ଦାୟିତ୍ୱବାନ କାର୍ଯ୍ୟ ନିଭଉଛି। ରାଜ୍ୟକୁ ହେଉଥିବା ଅପନିନ୍ଦା ତଥା ବିକାଶର ଗତିପଥକୁ କେବଳ ସାହିତ୍ୟ ହିଁ ବାଟ ଦେଖେଇପାରିବ। ଏଥିପାଇଁ ରାଜ୍ୟର ସମସ୍ତ ସାହିତ୍ୟିକ ଆଗେଇ ଆସି ସୃଜନମନସ୍କ ହେବା ଆବଶ୍ୟକ ବୋଲି ରାଜ୍ୟ ଗୃହ, ଶିଳ୍ପ, ଶକ୍ତି ତଥା ଏମ୍.ଏସ୍.ଏମ୍.ଇ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର ମତପ୍ରକାଶ କରିଛନ୍ତି। କଳାହାଣ୍ଡି କବିତା ଆନ୍ଦୋଳନର ଏକ ଶାଶ୍ୱତ ସ୍ପନ୍ଦନ ‘ମହୁରି’ ପତ୍ରିକାର ତ୍ରୟୋଦଶ ବାର୍ଷିକ ଉତ୍ସବ ‘ମହୁରି ମହୋତ୍ସବ-୨୦୨୦’ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ ଏପରି କହିଥିଲେ।

ଭବାନୀପାଟଣା ସ୍ଥିତ ହୋଟେଲ ଭାଗିରଥି ସମ୍ମିଳନୀ କକ୍ଷରେ ଆୟୋଜିତ ସମାରୋହରେ ‘ମହୁରି’ର ମୁଖ୍ୟ ସଂପାଦକ ଭବାନୀ ଶଙ୍କର ନିଆଲ ଅଧ୍ୟକ୍ଷତା କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ଼ ବେଦାନ୍ତ ଆଲୁମିନା ଲିମିଟେଡର ମାନବ ସମ୍ବଳ ବିଭାଗ ମୁଖ୍ୟ ନୋବଲ୍ ଶର୍ମା, ଓଡ଼ିଶା ସଂଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ, ଖ୍ୟାତନାମା କବି ରାମକୃଷ୍ଣ ପ୍ରମୁଖ ମଂଚାସୀନ ଥିଲେ। ଏହି ଅବସରରେ କଳାହାଣ୍ଡି ଥିଏଟର୍ ପକ୍ଷରୁ ମହୁରି ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା। ମହୁରି ପୁରସ୍କାର-୨୦୨୦ ଗ୍ରହଣ କରିଥିଲେ ବିଶିଷ୍ଟ କବି ଲକ୍ଷ୍ମୀ ନାରାୟଣ ହୋତା।

‘ମହୁରି’ ସଂପାଦକ ସୁକାନ୍ତ ସାହୁ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିବା ବେଳେ ସହ-ସଂପାଦକ ସୁଧୀର କୁମାର ଧଙ୍ଗଡ଼ାମାଝୀ ଧନ୍ୟବାଦ ଅର୍ପଣ କରିଥିଲେ। ମଂଚ ପରିଚାଳନା କରିଥିଲେ ବିଶିଷ୍ଟ ଲେଖିକା ଡ. ସୁନୀତି ମୁଣ୍ଡ। । ଓଡ଼ିଆବାର୍ତ୍ତା.ଇନ୍ ଓ ସୂର୍ଯ୍ୟକାନ୍ତି ଟିଭି ପକ୍ଷରୁ ମହୋତ୍ସବର ସିଧାପ୍ରସାରଣ କରାଯାଇଥିଲା। ‘ମହୁରି’ ସହ-ସଂପାଦକ ସୁଶୀଲ କୁମାର ବାଗ, ଡିଲେଶ୍ୱର ରଣା ଓ ବିରଞ୍ଚି ନାରାୟଣ ମୁଣ୍ଡ, କଳାକାର ଲିଲେଶ ସାହୁ, ସୁକନ୍ୟା ଦାସ, ସାବିତ୍ରୀ ମହାରଣା, ସୁବାସ ପଟ୍ଟନାୟକ, ଶିବୁ ପଟ୍ଟନାୟକ, କବି ଦକ୍ଷ ସାହୁ, ଡିଙ୍ଗର ନାଏକ, ଲିପ୍ସାମୟୀ ଦୁବେ, ସୁନିତା ଧଙ୍ଗଡ଼ାମାଝୀ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.