କେସିଙ୍ଗା-ବେଲଗାଁ ଲାଇନ୍ ଦେଉଛି ଅସହ୍ୟ ଦୁଃଖ

ଶକ୍ତି ମନ୍ତ୍ରୀଙ୍କ ଜିଲ୍ଲାରେ ବିଜୁଳି ନାଟ

କର୍ଲାମୁଣ୍ଡାରେ ବିଜୁଳି ଅବସ୍ଥା ଦେଖି ‘କାନ୍ଦ୍ କାନ୍ଦ୍ ବାଗିର୍ ଲାଗୁଛେ’

କଳାହାଣ୍ଡି, (ନରୋତ୍ତମ ସେଲମା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକରେ ବିଜୁଳି ଯୋଗାଣର ଅବସ୍ଥା ଦେଖି ‘କାନ୍ଦ୍ କାନ୍ଦ୍ ବାଗିର୍ ଲାଗୁଛେ’ ବୋଲି ଚର୍ଚ୍ଚା ହେଉଛି । ଗତକାଲି ପ୍ରାୟ ସନ୍ଧ୍ୟା ୬ଟା ପୂର୍ବରୁ ହଠାତ୍ ବିଦ୍ୟୁତ ସେବା ବ୍ୟାହତ ହେଲା ଯେ ଆଜି ଅପରାହ୍ନ ୪ଟାରେ ଆସିଲା । ବିନା ବର୍ଷା, ବିନା ପବନରେ ୨୨ ଘଂଟା ଧରି ନିରବଚ୍ଛିନ୍ନ ବିଦ୍ୟୁତ ବ୍ୟାହତ ହେବା ଘଟଣା ଉପଭୋକ୍ତା ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି କରୁଛି । କେବଳ ଗତକାଲି କି ଆଜିର ଘଟଣା ନୁହେଁ, ପ୍ରାୟ ବିନା କାରଣରେ ଲାଇନ କଟୁଛି । ପଚାରିଲେ କେସୀଙ୍ଗା-ବେଲଗାଁରେ ଫଲଟ୍ ଅଛି ବୋଲି କହୁଛନ୍ତି ତ କେତେବେଳେ ୩୩ କେଭିରେ ବ୍ୟାଘାତ ହେଉଥିବା କୁହାଯାଉଛି । ବାରମ୍ବାର ବିଦ୍ୟୁତ ସେବା ବ୍ୟାହତ ହେବା ଘଟଣା ଏଠି ଦେହସୁହା ହେଲାଣି । ପୂର୍ବରୁ ଏଇ ଅଂଚଳକୁ ମଦନପୁର ପଟୁ ବିଜୁଳି ଯୋଗାଣ ହେଉଥିଲା । ସେତେବେଳେ ବଣପାହାଡ ଦେଇ ବିଜୁଳି ତାର ଆସୁଥିବାରୁ ସାମାନ୍ୟ ପବନ କି ବର୍ଷା ହେଲେ ଗଛ ଭାଙ୍ଗି ସେବା ବ୍ୟାହତ ହେଉଥିଲା ।

ପରବର୍ତୀ ସମୟରେ କର୍ଲାମୁଣ୍ଡାରେ ଷ୍ଟକଚର ସ୍ଥାପନ ହେବାପରେ କେସିଙ୍ଗା-ବେଲଗାଁ ଠାରୁ ବିଦ୍ୟୁତ ଯୋଗାଣ ହେଲା ।ଲୋକେ ଭାବିଲେ ଏଥର ଆମ୍ଭ ଦୁଃଖ ଗଲା । କିନ୍ତୁ ଏପଟୁ ଯେଗାଣ ହେବା ପରଠୁ ସେଇ ପୂର୍ବ ପରି ସ୍ଥିତି ଲାଗି ରହିଛି । ବରଂ ଆହୁରି ଯେଗାଣ ବାଧାପ୍ରାପ୍ତ ହେଉଛି । ଏଇ କେସିଙ୍ଗା-ବେଲଗାଁ ପର୍ଯ୍ୟନ୍ତ ଲାଇନ ସଂଯୋଗ କୌଣସି ନା କୌଣସି କାରଣରୁ କଟିଗଲେ ସଜାଡିବାରେ ବିଳମ୍ବ ହେଉଥିବାରୁ ଏଇ ଅଂଚଳବାସୀ ଅନ୍ଧାରରେ ରହୁଛନ୍ତି । ବିଦ୍ୟୁତ ଯୋଗାଣରେ ଏବେଠୁ ଅବ୍ୟବସ୍ଥା ଦେଖି ଖରା ମାସରେ କିପରି ପରିସ୍ଥିତି ହେବ, ସେ ନେଇ ଚିନ୍ତିତ ହେଲେଣି ସାଧାରଣ ଲୋକେ । ଏହାର ସ୍ଥାୟୀ ପ୍ରତିକାର ପାଇଁ ଦାବୀ ହେଉଛି । ଶକ୍ତି ମନ୍ତ୍ରୀଙ୍କ ନିଜସ୍ୱ ଜିଲ୍ଲାରେ ବାରମ୍ବାର ବିଜୁଳି ବିଭ୍ରାଟ ହେଉଥିବାରୁ ଜନସଧାରଣଙ୍କ ମନରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.