ଚାଷୀଙ୍କ ଜମି ଉପରେ ସରକାରୀ ରାସ୍ତା: ସଡ଼କ ଅବରୋଧ ପରେ ଫିଟିଲା ସମାଧାନର ବାଟ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ପଞ୍ଚାୟତ ସାପ୍ତାହିକ ହାଟରୁ ଛିଲପାଭଟା ପଡାକୁ ସଂଯୋଗ କରୁଥିବା ନୂତନ ରାସ୍ତାଟି ଜଣେ ଚାଷୀଙ୍କ ଜମି ଉପରେ ନିର୍ମାଣ ହୋଇଥିଲା। ଏଥିପାଇଁ ଉକ୍ତ ଚାଷୀ ଜଣକ ଗତ ୯ ତାରିଖ ଶୁକ୍ରବାର ଦିନ ରାସ୍ତାର ଦୁଇ ପାର୍ଶ୍ଵରେ ଗଛ ଡାଳ ପକେଇ ଅବରୋଧ କରିଥିଲେ। ତେଣୁ ୮ ଦିନ ହେଲା ସ୍ଥାନୀୟ ଲୋକେ ଯାତାୟାତରେ ଘୋର ସମସ୍ୟା ଭୋଗୁଥିଲେ। ପ୍ରାପ୍ତ ସୂଚନା ଆଧାରରେ ୨୦୨୦ ମସିହା ଏପ୍ରିଲ ୫ରେ ଲାଞ୍ଜିଗଡ଼ ପଞ୍ଚାୟତ ଦ୍ବାରା ମନରେଗା ଯୋଜନାରେ ୫ ଲକ୍ଷ ଅଟକଳ ମୂଲ୍ୟରେ ଲାଞ୍ଜିଗଡ଼ ପଞ୍ଚାୟତ ସାପ୍ତାହିକ ହାଟରୁ ଛିଲପାଭଟା ପଡାକୁ ରାସ୍ତା ନିର୍ମାଣ ହୋଇଥିଲା। ଏହି ରାସ୍ତା ଲାଞ୍ଜିଗଡ଼ ଛିଲପାଭଟାର ଚାଷୀ ମହେନ୍ଦ୍ର ରାଉତଙ୍କ ଚାଷ ଜମି ଉପରେ ନିର୍ମାଣ ହୋଇଥିଲା। ରାସ୍ତା ନିର୍ମାଣ ସମୟରୁ ମହେନ୍ଦ୍ର ଏନେଇ ଅଭିଯୋଗ କରି ଆସୁଥିଲେ, କିନ୍ତୁ ଦାଇତ୍ୱରେ ଥିବା ପଞ୍ଚାୟତ କର୍ତ୍ତୃପକ୍ଷ ଏକଥାକୁ କର୍ଣ୍ଣପାତ କରିନଥିଲେ। ଗତ ୮ ତାରିଖ ଗୁରୁବାର ଦିନ ମହେନ୍ଦ୍ର ନିଜ ଜମିକୁ ମାପିବା ପରେ ଜମି ଉପରେ ରାସ୍ତା ନିର୍ମାଣ କରାଯାଇଥିବା ସ୍ପଷ୍ଟ ହେବାରୁ ୯ ତାରିଖ ଶୁକ୍ରବାର ଠାରୁସେ ରାସ୍ତାକୁ ଅବରୋଧ କରିଥିଲେ। ଏନେଇ ଲାଞ୍ଜିଗଡ଼ ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଖାମ ଖିଆଲି ମନୋଭାବ ଯୋଗୁଁ ସର୍ବସାଧାରଣ ନାନାଦି ଅସୁବିଧା ହେଉଥିବା ଓ ବ୍ଲକ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏହା ପରେ ଛିଲପାଭଟା ପଡାବାସୀ ୧୨ ତାରିଖ ଦିନ ଲାଞ୍ଜିଗଡ଼ ପଞ୍ଚାୟତ, ଲାଞ୍ଜିଗଡ଼ ଥାନା ଓ ଲାଞ୍ଜିଗଡ଼ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ରାସ୍ତାର ଶିଘ୍ର ସମାଧାନ ପାଇଁ ଲିଖିତ ଅଭିଯୋଗ କରିଥିଲେ। ଶନିବାର ଲାଞ୍ଜିଗଡ଼ ସରପଞ୍ଚ ସୁଶ୍ରୀ ମଣି ମାଝୀ, ଲାଞ୍ଜିଗଡ଼ ରାଜସ୍ୱ ନିରୀକ୍ଷକ ରସିକ ଶବର, ଲାଞ୍ଜିଗଡ଼ ପୋଲିସ ଓ ପଡାବାସୀଙ୍କ ଉପସ୍ଥିତରେ ପୁଣି ଜମି ଉପରେ ଥିବା ରାସ୍ତା ମପା ଯାଇଥିଲା। ରାସ୍ତାଟି ଚାଷୀ ମହେନ୍ଦ୍ରଙ୍କ ଜମି ଉପରେ ପ୍ରାୟ ୧୩୦ ଫୁଟ ନିର୍ମାଣ କରାଯାଇଥିବା ସ୍ପଷ୍ଟ ପ୍ରମାଣିତ ହୋଇଥିଲା। ଏହା ପରେ ସମସ୍ତଙ୍କ ଉପସ୍ଥିତରେ ରାସ୍ତାକୁ ଚାଷୀ ମହେନ୍ଦ୍ରଙ୍କ ଜମିକୁ ଛାଡି ଉପର ପାର୍ଶ୍ଵରେ ରାସ୍ତା ନିର୍ମାଣ କରିବା ପାଇଁ ସ୍ଥିର କରାଯାଇଥିଲା। ବର୍ତ୍ତମାନ ଯାତାୟାତରେ ଅସୁବିଧା ଯୋଗୁଁ ପଞ୍ଚାୟତ ପକ୍ଷରୁ ଏହି ରାସ୍ତାଟି ତୁରନ୍ତ ନିର୍ମାଣ କରିବାକୁ ପଡ଼ାବାସୀ ଦାବି କରିଛନ୍ତି।

ଲାଞ୍ଜିଗଡରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.