ଆଦିବାସୀ କଲ୍ୟାଣ ମନ୍ତ୍ରୀଙ୍କ ଜିଲ୍ଳାରେ ମଙ୍ଗଳ ବିଭାଗ ଅଧିନ ବିଦ୍ୟାଳୟରେ ଶିକ୍ଷକ ମରୁଡି

ରାୟଗଡ, (ଶିବ ନାରାୟଣ ଗୈାଡ): ମହାମାରୀ କରୋନା ସଂକ୍ରମଣର ଦ୍ୱିତୀୟ ଲହରରେ ସଂକ୍ରମିତଙ୍କ ସଂଖ୍ୟା ନିୟନ୍ତ୍ରଣରେ ରହିିବା ପରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ପକ୍ଷରୁ ଚଳିତ ଶିକ୍ଷା ବର୍ଷରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଗତ ଜୁଲାଇ ୨୬ ତାରିଖରୁ କୋଭିଡ-୧୯ ନିୟମ ପାଳନ କରି ସମଗ୍ର ରାଜ୍ୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀର ପାଠପଢା ଅଫଲାଇନରେ ଆରମ୍ଭ ହୋଇଛି । ଏଥି ସହିତ ଆସନ୍ତା ଅଗଷ୍ଟ ୧୬ ତାରିଖରେ ନବମ ଶ୍ରେଶୀ ଛାତ୍ରଛାତ୍ରୀମାନଙ୍କ ପାଠପଢା ଆରମ୍ଭ ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ରହିଛି ଏବଂ ଅନ୍ୟ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଠପଢା ପାଇଁ ମଧ୍ୟ ସମସ୍ତ ବିଦ୍ୟାଳୟ ଖୋଲାଯିବା ନିମନ୍ତେ ରାଜ୍ୟ ସରକାର ଚିନ୍ତା କରୁଛନ୍ତି । ତେବେ ଚଳିତ ଜୁଲାଇ ମାସ ୨୩ ତାରିଖରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ ରାୟଗଡ ଜିଲ୍ଳାର ୨୧୧ଜଣ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଟିଚର ପ୍ରୋଫାଇଲ ପ୍ରସ୍ତୁତ ହେବା ପରେ ଏସଏସଡି ବିଭାଗରେ ଶିକ୍ଷାଦାନ କରୁଥିବା ଏହି ୨୧୧ଜଣଙ୍କୁ ଜିଲ୍ଳା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ନିଜ ମୂଳ ବିଦ୍ୟାଳୟକୁ ଫେରାଇ ଅଣାଯାଇଛି । ଫଳରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅଧିନସ୍ଥ ରାୟଗଡ ଜିଲ୍ଳା ମଙ୍ଗଳ ବିଭାଗ ଦ୍ୱାରା ପରିଚାଳନା ହେଉଥିବା ୧୫୬ଟି ଏସଏସଡି ବିଦ୍ୟାଳୟ ଗୁଡିକ ମଧ୍ୟରୁ ଅନେକ ବିଦ୍ୟାଳୟରେ ଏବେ ଶିକ୍ଷକ ଅଭାବ ଦେଖାଦେଇଛି । ଫଳରେ ଆଗାମୀ ଦିନରେ ଛାତ୍ରଛାତ୍ରୀମାନଙ୍କ ପାଠପଢା ଏବଂ ସେମାନଙ୍କର ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ରାୟଗଡ ଜିଲ୍ଳାରେ ହିଁ ମଙ୍ଗଳ ବିଭାଗ ଦ୍ୱାରା ପରିଚାଳନା ହେଉଥିବା ବିଦ୍ୟାଳୟରେ ଶିକ୍ଷକଙ୍କ ଅଭାବ ଘଟଣା ରାଜ୍ୟର ଅନ୍ୟ ଜିଲ୍ଳାରେ ଏହି ବିଭାଗର ଉଚିତ୍ ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ଏସଏସଡି ବିଭାଗ ବିଦ୍ୟାଳୟରୁ ଗଣଶିକ୍ଷା ବିଭାଗକୁ ଶିକ୍ଷକଶିକ୍ଷୟତ୍ରୀମାନେ ଫେରି ଆସିବା ପରେ ଜିଲ୍ଳାର ଅନେକ ବିଦ୍ୟାଳୟରେ ଶିକ୍ଷକ ମରୁଡି ଦେଖାଦେଇଛି । ଉଦାହରଣ ସ୍ୱରୂପ ରାୟଗଡ ଜିଲ୍ଳା ସଦର ମହକୁମା ଠାରୁ ମାତ୍ର ୫କିଲୋମିଟର ଦୂରରେ ଥିବା ପୀତାମହଲ ଆଶ୍ରମ ବିଦ୍ୟାଳୟ । ଏହି ଆଶ୍ରମ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ୨୮୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଏଠାରେ କଲ୍ୟାଣ ବିଭାଗରେ କାର୍ଯ୍ୟରତ ପ୍ରଧାନଶିକ୍ଷୟତ୍ରୀଙ୍କୁ ବାଦ ଦେଲ ଆଉ ୫ଜଣ ଶିକ୍ଷକ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ରହି ଏହି ବିଦ୍ୟାଳୟରେ ଦୀର୍ଘ ୧୦ବର୍ଷରୁ ଉର୍ଦ୍ଧ ସମୟ ଧରି ଶିକ୍ଷାଦାନ କରୁଥିଲେ । ବର୍ତମାନ ଜିଲ୍ଳା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶରେ ଏହି ୫ଜଣ ଶିକ୍ଷକ ମଧ୍ୟ ନିଜ ମୂଳ ବିଦ୍ୟାଳୟକୁ ଫେରି ଆସିଥିବା ବେଳେ ଆସନ୍ତା ଜୁଲାଇ ୩୧ତାରିଖ ଅର୍ଥାତ୍ ମାତ୍ର ଆଉ ୪ଦିନ ପରେ ପ୍ରଧାନଶିକ୍ଷୟତ୍ରୀ ନିଜ ଚାକିରୀରୁ ଅବସର ଗ୍ରହଣ କରିବେ । ଫଳରେ ଶିକ୍ଷକ ବିିହୀନ ହୋଇପଡିବ ଏହି ବିଦ୍ୟାଳୟ । ବର୍ତମାନ ମହାମାରୀ କରୋନା ସଂକ୍ରମଣ ଯୋଗୁଁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲାଯାଇ ନ ଥିବା ବେଳେ ଅନେକ ଶିକ୍ଷକ ସଂଗଠନଗୁଡିକ ବିଦ୍ୟାଳୟ ଖୋଲାଯିବା ନିମନ୍ତେ ସରକାରଙ୍କ ନିଷ୍ପତିକୁ ଅପେକ୍ଷା କରିଛନ୍ତି ।

ତେବେ ରାୟଗଡ ଜିଲ୍ଳା ମଙ୍ଗଳ ବିଭାଗ ଅଧିନସ୍ଥ ଅନେକ ସେବାଶ୍ରମ, ଆଶ୍ରମ ଓ ହାଇସ୍କୁଲଗୁଡିକରେ ଶିକ୍ଷକଶିକ୍ଷୟତ୍ରୀଙ୍କ ପଦବୀ ଖାଲି ପଡିଛି । ଅପରପକ୍ଷେ ଜିଲ୍ଳା ଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷକମାନଙ୍କୁ ନିଜ ବିଦ୍ୟାଳୟରେ ଥଇଥାନ କରାଯାଇଥିବା ବେଳେ ଏସଏସଡି ବିଭାଗର ବଡ ରାଇସିଂ ଆଶ୍ରମ ବିଦ୍ୟାଳୟ, କୁମ୍ଭିକୋଟା ଆଶ୍ରମ ବିଦ୍ୟାଳୟ, ଜାପାଖାଲ ଆଶ୍ରମ ବିଦ୍ୟାଳୟ,ଭାକୁରଗୁଡା ଆଶ୍ରମ ବିଦ୍ୟାଳୟ ଭଳି ଅନେକ ବିଦ୍ୟାଳୟଗୁଡିକରେ ମଂଜୁରୀ ପଦବୀ ପୂରଣ ନ ହୋଇ ମାତ୍ର ଜଣେ ଦୁଇଜଣ ଶିକ୍ଷକ ରହିଥିବା ଜଣାପଡିଛି ।


ସେହିପରି ଚଳିତ ମାସ ଆସନ୍ତା ଜୁଲାଇ ୩୧ତାରିଖରେ ପୀତାମହଲ ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଅବସର ଗ୍ରହଣ ପରେ ଏହି ପଦବୀ ଖାଲି ପଡିବାକୁ ଥିବା ବେଳେ ଭାକୁରଗୁଡା ଆଶ୍ରମ ବିଦ୍ୟାଳୟରେ ମଧ୍ୟ ପ୍ରଧାନଶିକ୍ଷକ ପଦବୀ ଖାଲି ପଡି ରହିଛି । ତେବେ ଏହି ଦୁଇ ବିଦ୍ୟାଳୟର ପ୍ରଧାନଶିକ୍ଷକ ପଦବୀ ହାତେଇବାକୁ ଲବି ଆରମ୍ଭ ହୋଇଥିବା ଏକ ବିଶେଷ ସୂତ୍ରରୁ ଜଣାପଡିଥିବା ବେଳେ ଜିଲ୍ଳା ମଙ୍ଗଳ ଅଧିକାରୀଙ୍କ ପଦକ୍ଷେପ କଣ ରହିଛି ତାହା ଦେଖିବାକୁ ବାକି ରହିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.