ପରିତ୍ୟକ୍ତ ହୋଇ ପଡିଛି ଆଇସିଡିଏସ୍ କାର୍ଯ୍ୟାଳୟ: କେବେ ନିର୍ମାଣ କରାଯିବ ନୂତନ ଭବନ ?

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ କ୍ୟାମ୍ପସ୍ ରେ ରହିଛି ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ । ସମନ୍ୱିତ ଶିଶୁ ବିକାଶ ଯୋଜନାର ନିଜସ୍ୱ କାର୍ଯ୍ୟାଳୟ ଭବନ ରହିଥିବା ବେଳେ ଏହା ପରିତ୍ୟକ୍ତ ହୋଇପଡିଛି । ଏହାର ବିପଦ ଶଙ୍କୁଳ ଅବସ୍ଥା ଦେଖି ଗତ ୨୦୧୧ ମସିହାରେ ଉକ୍ତ ଭବନ ଛାଡି ବ୍ଲକ୍ କ୍ୟାମ୍ପସରେ ଅଫିସର ସମ୍ମୁଖରେ ରହିଥିବା ତାଲିମ୍ କେନ୍ଦ୍ରଟିକୁ ଆଇସିଡିଏସ୍ କାର୍ଯ୍ୟାଳୟ ଭାବରେ ବ୍ୟବହାର କରାଯାଉଛି । ଏଭଳି ଅସ୍ଥାୟୀ ଭାବରେ କାର୍ଯ୍ୟାଳୟ ଚାଲିବାର ଆଜକୁ ୧୦ ବର୍ଷ ହୋଇଯାଇଥିଲେ ମଧ୍ୟ ଉକ୍ତ ପରିତ୍ୟକ୍ତ ଆଇସିଡିଏସ୍ ଭବନକୁ ଭାଙ୍ଗି ନୂତନ ଭବନ ନିର୍ମାଣର ନାଁ ଧରୁନି ବିଭାଗ । ବର୍ତ୍ତମାନ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଚାଲୁଥିବା ଅସ୍ଥାୟୀ କାର୍ଯ୍ୟାଳୟର ଛାତ ମଧ୍ୟ ଭାଙ୍ଗି ରଡ ବାହାରି ପଡିଛି । ବିପଦ ଶଙ୍କୁଳ ଅବସ୍ଥାରେ କାର୍ଯ୍ୟାଳୟରେ ବିଭାଗୀୟ ଅଧିକାରିଣୀ ଓ କର୍ମଚାରୀମାନେ ପ୍ରତ୍ୟହ କାମ କରୁଥିଲେ ମଧ୍ୟ ଏଥିପ୍ରତି କାହାରି ନିଘା ନାହିଁ । ଏହି ଅସ୍ଥାୟୀ ଭବନଟି ମଧ୍ୟ କେତେବେଳେ ଯେ ଗଳି ପଡିବ ତା’ର ମଧ୍ୟ ଠିକ୍ ଠିକଣା ନାହିଁ । ଏହାବାଦ ବିଭାଗ ପାଇଁ ଉଦ୍ଦିଷ୍ଟ ଜିପ୍ ଗାଡିଟି ମଧ୍ୟ ପୁରୁଣା ଅଫିସ୍ ବାରଣ୍ଡାରେ ପଡିପଡି ଖତ ଖାଇ ସାରିଲାଣି । ଅଫିସ୍ ପାଇଁ ଗତ ୧୫ ବର୍ଷ ହେଲା ଭଡା ଗାଡିରେ କାମ ଚାଲିଛି । ଗାଡି ଭଡା ଟଙ୍କାରେ ଦୁଇଗୋଟି ନୂଆ ଗାଡି ଆସି ପାରିଥାନ୍ତା ବୋଲି ସାଧାରଣରେ ଆଲୋଚନା ହେଉଛି । ନର୍ଲା ଶିଶୁ ବିକାଶ ଯୋଜନା ପାଇଁ ଉଦ୍ଦିଷ୍ଟ ଏହି ପରିତ୍ୟକ୍ତ ଭବନଟି ର ନିର୍ମାଣ ପାଇଁ ଜିଲ୍ଲା ତରଫରୁ ରାଜ୍ୟକୁ ପତ୍ର ଲେଖାଯାଇଥିଲେ ମଧ୍ୟ ଏଯାଏଁ ପଦକ୍ଷେପ ନିଆଯାଇନଥିବାରୁ ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି । ପରିତ୍ୟକ୍ତ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଭବନଟିକୁ ଶିଘ୍ର ନିର୍ମାଣ ଏବଂ ଅସ୍ଥାୟୀ ଭାବରେ ଚାଲୁଥିବା ଆଇସିଡିଏସ୍ ଅଫିସ୍ ଭବନଟିର ମରାମତି କିମ୍ବା ନୂତନ ଭବନ ନିର୍ମାଣ କରାଯାଉ ବୋଲି ସାଧାରଣରେ ଦାବୀ ହେଉଛି ।ଆଇଡିଏସ୍ ଅଫିସ୍ ନିର୍ମାଣ ପ୍ରସଙ୍ଗ ବିଷୟରେ ନର୍ଲା ସିଡିପିଓ ଶ୍ରୀମତୀ ନିର୍ବାସିନୀ ବିଶ୍ୱାଳଙ୍କ ମତାମତ ନେବାରୁ ସେ କହିଛନ୍ତି ଯେ, ନୂତନ ଭବନ ନିର୍ମାଣ ନିମନ୍ତେ ଟଙ୍କା ଆସି ଜମା ହୋଇ ରହିଛି । ସରକାରଙ୍କ ନିର୍ଦ୍ଦେଶ କ୍ରମେ ନର୍ଲା ତହସିଲଦାରଙ୍କ ତରଫରୁ ରେଖପୁର ଛକ ନିକଟରେ ସ୍ଥାନ ମଧ୍ୟ ଚିହ୍ନଟ କରାଯାଇ ସାରିଛି । ହେଲେ ନର୍ଲା ଶିଶୁ ମନ୍ଦିର ଛକ ନିକଟସ୍ଥ ପାଣିଟାଙ୍କି ନିକଟରେ ମିଶନ ଶକ୍ତି ଭବନ ପାଇଁ ସ୍ଥାନ ଚିହ୍ନଟ ହୋଇସାରିଥିବା ବେଳେ ଉକ୍ତ ସ୍ଥାନରେ ହିଁ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ ନିର୍ମାଣ କରାଗଲେ ଉତ୍ତମ ହୋଇଥାନ୍ତା । କାରଣ ମିଶନ ଶକ୍ତି କାର୍ଯ୍ୟାଳୟ ଓ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ ପରଷ୍ପର ଓତଃପ୍ରୋତ ଭାବରେ ଜଡିତ । ନର୍ଲାର ଦୁଇ ମୁଣ୍ଡରେ ସମନ୍ୱିତ ଶିଶୁ ବିକାଶ ଉପରେ ଉଦ୍ଦିଷ୍ଟ ଦୁଇଗୋଟି କାର୍ଯ୍ୟାଳୟ ହେଲେ ଭବିଷ୍ୟତରେ ଅନେକ ସମସ୍ୟା ଦେଖାଦେବ । ହେଲେ ସରକାରୀ ଜାଗା ଉପଲବ୍ଧ ହୋଇପାରୁ ନଥିବାରୁ ଦୁଇ ଦିଗରେ ଦୁଇଗୋଟି ଅଫିସ ଭବନ ନିର୍ମାଣ କରାଯିବ । ହେଲେ ଉକ୍ତ କାର୍ଯ୍ୟାଳୟ ଭବନ ଗୁଡିକର ନିର୍ମାଣ କାର୍ଯ୍ୟ କେବେ ଆରମ୍ଭ କରାଯିବ ତାହା ଜଣାପଡିନାହିଁ ବୋଲି ସିଡିପିଓ ଶ୍ରୀମତୀ ବିଶ୍ୱାଳ ମତବ୍ୟକ୍ତ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.