ଦିନ ୧ ଟା ସୁଦ୍ଧା ୯୧ ପ୍ରତିଶତ ମତଦାନ, ୪ ପରେ ହେବ ଭୋଟ ଗଣତି
ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସାରା ରାଜ୍ୟରେ ସମବାୟ ସମିତି ଗୁଡିକର ନିର୍ବାଚନ ଅନୁଷ୍ଠିତ ହେଉଛି । ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅଧିନସ୍ଥ ୭ ଗୋଟି ସମବାୟ ସମିତିରେ ମଧ୍ୟରୁ ଆଜି ୬ ଗୋଟି ସମବାୟ ସମିତିରେ ନିର୍ବାଚନ ଅନୁଷ୍ଠିତ ହେଉଥିବା ଦେଖିବାକୁ ମିଳିଛି । ରୁପ୍ରା ସମବାୟ ସମିତିରେ ସମସ୍ତ ସଭ୍ୟ ଏପରିକି ସଭାପତି ମଧ୍ୟ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇସାରିଥିବା ଜଣାପଡିଛି । ନର୍ଲା, ରୁପ୍ରାରୋଡ, ଶାନ୍ତପୁର, ଭାନପୁର, ତୁଳାପଡା, ପଲମ ପ୍ରଭୃତି ସମବାୟ ସମିତିରେ ସକାଳ ୭ ଘଣ୍ଟା ସମୟରୁ ସମବାୟ ସମିତିରେ ସଦସ୍ୟ ରହିଥିବା ବ୍ୟକ୍ତି ମାନେ ମତଦାନ କରୁଥିବା ଦେଖିବାକୁ ମିଳୁଛି । ଭାନପୁର ସମବାୟ ସମିତିରେ ଦିନ ୧୦ ଘଣ୍ଟା ସମୟରେ କିଛି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ନର୍ଲା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିବା ଖବରରୁ ଜଣାପଡିଛି । ଭବାନୀପାଟଣା କେନ୍ଦ୍ର ସମବାୟ ବ୍ୟାଙ୍କ୍ ଓ ଜିଲ୍ଲା କୃଷି ବିଭାଗ ଅଫିସ ରୁ କର୍ମଚାରୀ ମାନେ ନିର୍ବାଚନ ଅଧିକାରୀ ଭାବରେ ଆସି ନିର୍ବାଚନ ପରିଚାଳନା କରୁଥିବାବେଳେ ନର୍ଲା ହେଡକ୍ୱାଟର୍ସର ସମବାୟ ସମିତି ର କନଫନରେନ୍ସ ହଲରେ ମତଦାନ ଚାଲିଛି । ନର୍ଲା ସମବାୟ ସମିତି ଅଧିନରେ ନର୍ଲା, ସର୍ଗିଗୁଡା, ଘଣ୍ଟମାଳ, ମାଣ୍ଡେଲ ଓ କୁର୍ମେଲ ଗ୍ରାମ ପଞ୍ଚାୟତର କିଲବେଡା ଓ ବମକ୍ ଗ୍ରାମ ସାମିଲ ରହିଛି । ଏଥିରେ ୧୩ ଗୋଟି ୱାର୍ଡ ରହିଥିବା ବେଳେ ୩୧୬ ଭୋଟର୍ସ ରହିଛନ୍ତି । ଦିନ ଗୋଟାଏ ସୁଦ୍ଧା ୨୮୭ ଜଣ ସଦସ୍ୟ ମତଦାନ କରିସାରିଥିବା ଜଣାପଡିଛି । ନର୍ଲା ସମବାୟ ସମିତିର ୧୩ ଗୋଟି ୱାର୍ଡ ମଧ୍ୟରୁ କେବଳ ୧୩ ନମ୍ବର ୱାର୍ଡରୁ ହିଁ ପ୍ରାର୍ଥୀ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇସାରିଥିବାରୁ ସେହି ୱାର୍ଡ ପାଇଁ ଭୋଟ ଗ୍ରହଣ କରାଯାଉ ନଥିବା ଜଣାପଡିଛି । ସକାଳ ୭ ଘଣ୍ଟାରୁ ଅପରାହ୍ନ ୪ ଟା ଯାଏଁ ଚାଲିବ ନିର୍ବାଚନ । ଅପରାହ୍ନ ୪ ଟା ରୁ ୫ ଟା ଯାଏଁ ଭୋଟ ଗଣତି ହୋଇ ଫଳ ପ୍ରକାଶ ପାଇବ ବୋଲି ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି । ନର୍ଲା ସମବାୟ ସମିତି ନିର୍ବାଚନରେ ପ୍ରିଜାଇଡିଂ ଅଫିସର ଜଣେ, ପୁଲିଙ୍ଗ ଅଫିସର ୩ ଜଣ ଓ ପୋଲିସ୍ କର୍ମଚାରୀ ୪ ଜଣ ରହି ନିର୍ବାଚନ ପରିଚାଳନା କରୁଥିବା ଦେଖିବାକୁ ମିଳିଛି । ସମବାୟ ସମିତି ଚାଷୀ ମାନଙ୍କ ନିଜସ୍ୱ ଅନୁଷ୍ଠାନ ହୋଇଥିବା ବେଳେ ଚାଷୀ ମାନେ ହିଁ ଏଥିରେ ସଦସ୍ୟ ରହିବା କଥା । ହେଲେ ଗତ ଥର ସଦସ୍ୟ ରହିଥିବା ଓ ବିଗତ ଦିନରେ ଦୁଇ ଦୁଇ ଥର ସଭାପତି ରହି ଆସିଥିବା ନର୍ଲାର ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଗିରିଜା ଚାନ୍ଦ୍ ଭଳି ପୂର୍ବତନ ସଭାପତିଙ୍କ ସଦସ୍ୟତା କାଟି ଦିଆଯାଇଥିବାରୁ ଏବଂ ନିର୍ବାଚନ ପ୍ରକ୍ରୀୟାରୁ ତାଙ୍କୁ ବାଦ୍ ଦିଆ ଯାଇଥିବାରୁ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଉଥିବା ଶୁଣିବାକୁ ମିଳୁଛି । ପରାକ୍ରାନ୍ତରେ ଅନେକ ଅଣ ଚାଷୀ ଫିସ୍ ପଇଠ କରି ରସିଦ୍ କାଟି ସଦସ୍ୟତା ଗ୍ରହଣ କରି ନିର୍ବାଚନରେ ଅଂଶ ଗ୍ରହଣ କରୁଥିବାରୁ ଚାଷୀ ମହଲ ରେ ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।