ଓଲମା ଗ୍ରାମରେ ପାଳିତ ହେଲା ଆଦିମ କୃଷି ସଂସ୍କୃତିର ଅନନ୍ୟ ପାର୍ବଣ ଟୋକିମରା  

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା):  ଆଦିମ ଆଦିବାସୀ କୃଷି ସଂସ୍କୃତିର ଅନନ୍ୟ ପାର୍ବଣ ଟୋକିମରା ପର୍ବ  କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ଗମ୍ଭୀଗୁଡା ପଞ୍ଚାୟତର ଓଲମା ଗ୍ରାମରେ ପାରମ୍ପରିକ ରିତି ନିତି ଅନୁକ୍ରମେ ରବିବାର ଦିନ ପାଳିତ ହୋଇଯାଛି । ଶନିବାର ସନ୍ଧ୍ୟାରେ କଦଳୀ ଘରା ମସ୍ତକ ମୁଣ୍ଡନ ହୋଇଥିବାବେଳେ ନିସି ରାତିରେ କଳସ ଯାତ୍ରା ହୋଇ ପୁଜାପାଠ ହେଇଥିଲା। ରବିବାର ପ୍ରଥମେ ପୁଝାରୀ ଘରୁ ମାଟି ଗୁଡି ନିକଟରୁ ମୁତରି ପାଣି (କଲସପାଣି) ଧରଣୀ ଦେବୀଙ୍କ ପିଠକୁ ହଜାର ହଜାର ଆଦିବାସୀଙ୍କ ଗହଣରେ ନିଆଯାଇଥିଲା। ପରେ ଗାଁ ମୁଣ୍ଡରେ ସ୍ଥାପିତ ଧରଣୀ ଖୁଣ୍ଟରେ ପୁଜାର୍ଚ୍ଚନା କରାଯାଇଥିଲା । ଏହାପରେ ନିର୍ଦ୍ଦାରିତ ତିଥି ଓ ଳଗ୍ନ ଅନୁସାରେ ଦିନ ୧.୫୬ ସମୟରେ ଓଳମା ଗାଁ ପୁଝାରୀ ବଲଦେବ ପୁଝାରୀଙ୍କ ଘରୁ ଏକ ମେଣ୍ଢା (ଗଡରା) କୁ କଡ଼ା ସୁରକ୍ଷା ବଳୟରେ ପୁଜାସ୍ଥଳକୁ ନିଆଯାଇ ବଳି ଦିଆଯାଇଥିଲା। ବଳି ପରେ ଉକ୍ତ ମେଣ୍ଢା ମାଂସକୁ ନେବାପାଇଁ ବଭିନ୍ନ ଗ୍ରାମର ଆଦୀବାସୀ (କନ୍ଦ,ପରଜା) ପୁଜକ ମାନେ ଆସି ବୀରିତ୍ୱର ସହିତ ମାଂସ କୁ ଛିଣ୍ଡେଇ ନେଇଥିଲେ। ବିଶ୍ୱାସ ରହିଛି ଏହି ମାଂସକୁ ନେଇ ନିଜ ଘର ସମ୍ମୁଖରେ ପୋତିଲ ଆସନ୍ତା ବର୍ଷକୁ ଭଳ ଫସଳ ହେବା ସହ ଟୋକିପର୍ବ ପାଳନ କଲେ ଗାଁରେ ସୁଖ ଶାନ୍ତି ଫେରି ଆସିଥାଏ। ଏହି ପର୍ବ ଅବସରରେ ଆଦିବାସୀମାନେ ପରାମ୍ପାରିକ ଅସ୍ତ୍ରଶସ୍ତ୍ର ଧରି ବଜା ବଜେଇ ନୃତ୍ୟରେ ମସଗୁଲ ହୋଇ ମାତି ଉଠିଥିଲେ। ଓଲମା ଠାରେ ପ୍ରତି ୧୨ ରୁ ୧୫ ବର୍ଷରେ ଥରେ ଏହିପର୍ବ ପାଳନ କରାଯାଏ । କୁହାଯାଏ କେଉଁ ଆବାହମାନ କାଳରୁ ଆଦିବାସୀମାନେ ମାଟି ମା’ କୁ ସନ୍ତୁଷ୍ଟ କରିବାର ଏହି ପରମ୍ପରା ରହି ଆସିଛି। ପରମ୍ପରା ଅନୁଯାୟୀ ପୂର୍ବରୁ କୁଆଁରୀ ଝିଅ ମାନଙ୍କୁ ବଳି ଦିଆଯାଉ ଥିବାବେଳେ କାଳକ୍ରମେ ଏବେ ଏଠାରେ ଗଡରା (ବୋଦା) କୁ ବଳି ଦିଆଯାଉଛି । ପୂରାତନ କାଳରେ ଏଠାରେ କୁଅଁରୀ ଝିଅକୁ ବଳି ଦିଆଯାଉଥିବାରୁ ଏହାକୁ ଟୋକିମରା ପର୍ବ ବୋଲି କୁହାଯାଏ। ସ୍ୱାଧିନତା ପରେ ମଣିଷ ବଳିକୁ ବନ୍ଦ କରି ଦିଆଯାଇଥିଲା । ଏବେ ମଣିଷ ବଦଳରେ ବୋଦାକୁ କୌଣସି ଝିଅର ନାମକରଣ କରି ବଳି ଦିଆଯାଉଛି । ଆଦିବାସୀଙ୍କ ଏହି ପରମ୍ପରାରେ ରଂଗ ଢଙ୍ଗରେ କିଛିଟା ପରିବର୍ତ୍ତନ ହୋଇଛି ସତ ତଥାପି, ଏହି ପ୍ରାଚୀନ ପରମ୍ପରା ଆଜିବି ବଞ୍ଚି ରହିଥିବାବେଳେ ଆଦିବାସୀଙ୍କ କୃଷି ଓ ପରମ୍ପରା ସହିତ ଏହି ପର୍ବର ବେଶ୍ ସାମଞ୍ଜସ୍ୟ ରହିଛି । ଟୋକୀମରା ପର୍ବ ପରଦିନ ପାଳିତ ହୁଏ ଧାଙ୍ଗଡି ଝୋଲା । ଏହିଦିନ ଖୁସି ମାତନ୍ତି ଆଦିବାସୀ । ଗାଁର ବୟୋଜ୍ୟେଷ୍ଠ ବ୍ୟକ୍ତି ହେଉ କି ଧାଙ୍ଗଡା ଧାଙ୍ଗଡି ହେଉ ସେଦିନ ଖଟରେ ଝୁଲାଇ ନଚାନ୍ତି ଲୋକଙ୍କୁ । ବିଶ୍ୱାସ ରହିଛି ଏହିଦିନ କୌଣସି ଆଦିବାସୀ ପିଲା କେହି ଯୁବତୀକୁ ଯଦି ନେଇ ପଳାଏ ତଥା ଦୁହିଁଙ୍କ ମର୍ଜିରେ ଗଲେ ସେମାନଙ୍କୁ ସମାଜ ସ୍ୱାମୀ ସ୍ତ୍ରର ମର୍ଯ୍ୟଦା ଦେଇଥାଏ । ବିଭିନ୍ନ ଗାଁରେ ପୁଷପୁନିରେ ପାଳିତ ହେଉଥିବା ଏହି ପର୍ବର ସ୍ୱତନ୍ତ୍ରତା ପାଇଁ ଅନେକ ଲୋକଙ୍କୁ ଆକର୍ଷିତ କରିଥାଏ । ଚଳିତ ବର୍ଷ ଓଲମା ଉତ୍ସବ କମିଟିର ସଭାପତି ବିଭୁତି ଭୁଷଣ ପଣ୍ଡା, ସମ୍ପାଦକ ବ୍ରହ୍ମାନନ୍ଦ ମାଝୀ, କୋଷାଧ୍ୟକ୍ଷ ଅଚ୍ୟୁତ କୁମାର ସାହୁ, ସହ ସମ୍ପାଦକ ବାଲ ସାଗର, ପର୍ଯ୍ୟବେକ୍ଷକ ଭାଗବତ କଟା, ଫୁଲଚନ୍ଦ ସାହୁ, ତ୍ରିନାଥ ସବର, ପ୍ରମୋଦ କୁମାର ପଣ୍ଡା, ସଞ୍ଜିବ କୁମାର ପଣ୍ଡା, ଧନଞ୍ଜୟ ସାହୁ, ବିଶ୍ଵ ରଞ୍ଜନ ପଣ୍ଡା, ବଲ୍ଲଭ ସାହୁ ପ୍ରମୁଖ ରହିଛନ୍ତି। ଟୋକୀମରା ପର୍ବ ପାଇଁ ଆଖପାଖର ଆଦିବାସୀ ଗାଁ ମାନଙ୍କୁ ନିମନ୍ତ୍ରଣ ଦେଇଥିବା ବେଳେ ରବିବାର ଉତ୍ସବ ଥିବାରୁ ଗାଁ ମୁଣ୍ଡରେ ଥିବା ଧରଣୀ ପିଠ ଉତ୍ସବ ମୁଖର ହୋଇଉଠିଥିଲା। ବଭିନ୍ନ ଗ୍ରାମର ଆଦିବାସୀ ଜାନୀ ପୁଜକ ପର୍ବରେ ସାମିଲ ହୋଇଥିବାବେଳେ ଏହାକୁ ନେଇ ଆଦିବାସୀଙ୍କ ମଧ୍ୟରେ ଖୁବ୍‌ ଆନନ୍ଦ ଉଲ୍ଲାସ ଦେଖିବାକୁ ମିଳିଥିଲା। ଏହା ସହିତ ହାତରେ ଠେଙ୍ଗା, ଖଣ୍ଡା, କଣ୍ଡରୀ ଧରି ଆଦିବାସୀ ମାନେ ମହୁଲି ରସରେ ମାତାଲ୍ ହୋଇ ନାଚ ଗୀତରେ ମସଗୁଲ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.