• ଗୋଲାମୁଣ୍ଡା ଥାନାରେ ହତ୍ୟା ଅଭିଯୋଗ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଳକରେ ଦାଦାନ ଖଟିବାକୁ ଯାଇ ଅନେକ ଶବ ହୋଇ ଫେରୁଥିବା ବେଳେ ପୁଣି ଏପରି ଘଟଣାର ପୁନରାବୃତ୍ତି ଘଟିଛି । ହାଇଦ୍ରାବାଦ ତେଲେଙ୍ଗାନା ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରୁଛନ୍ତି ଗୋଲାମୁଣ୍ଡା ଥାନା ମାନଝରି ଗ୍ରାମର କୁମରାଜ ବିଶିଙ୍କ ପୁଅ ତ୍ରିଲୋଚନ ବିଶି । ଗତ ତିନି ମାସତଳେ ସେ ଭିଟାମାଟି ଛାଡି ହାଇଦ୍ରାବାଦ ନିକଟ ରାଚାକୋଣ୍ଡା ଜିଲ୍ଲା କୋଠୁର ଗ୍ରାମରେ ଥିବା ଏକ ଇଟା ଭାଟିରେ ଜେସିବି ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ । କିନ୍ତୁ ଗତକାଲି ସକାଳ ସମୟରେ ଏହି ଯୁବକଙ୍କ ଶବ ଗାଁ ନିକଟ ଏକ ବର ଗଛରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ଏହି ଯୁବକ ଆତ୍ମହତ୍ୟା କରିଛି ବୋଲି ସେଠାକାର ଥାନାରେ ଅଭିଯୋଗ କରିଥିଲେ ସମ୍ପୁକ୍ତ ଇଟା କମ୍ପାନୀର କର୍ମକର୍ତା । କିନ୍ତୁ ମୃତକଙ୍କ ବାପା ଓ ତାଙ୍କ ସ୍ତ୍ରୀ ଏହା ଆତ୍ମହତ୍ୟା ନୁହେଁ ତାଙ୍କୁ ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ଆଜି ଗୋଲାମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏହାର ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ପରିବାର ଲୋକେ । ସୂଚନାଯୋଗ୍ୟ ଯେ ମୃତକଙ୍କ ୪ ମାସ ର ନବଜାତ ଶିଶୁ କନ୍ୟା ଥିବା ବେଳେ ସ୍ତ୍ରୀ ଓ ବୃଦ୍ଧ ବାପା ମାଁ ଅଛନ୍ତି । ଆଜି ଶବ ବ୍ୟବଚ୍ଛେଦ ସରିବା ପରେ କଳାହାଣ୍ଡି ଜନ୍ମ ମାଟିକୁ ଦାଦନ ଶ୍ରମିକ ର ଶବ ଆସୁଥିବା ଜଣାପଡିଛି । ଅପରପକ୍ଷରେ ଏହି ଘଟଣାର ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ସମ୍ପୃକ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଦାବୀ କରିଛନ୍ତି ।