ପାକିସ୍ତାନକୁ ଋଣ ଦେବାକୁ ମନା କରିଦେଲା ଅନ୍ତର୍ଜାତୀୟ ମୁ୍ଦ୍ରାପାଣ୍ଠି, ରଖିଲା ଏମିତି ସର୍ତ୍ତ

ଓଡ଼ିଆ ବାର୍ତ୍ତା/ ଇସଲାମାବାଦ: ଅନ୍ତର୍ଜାତୀୟ ମୁ୍ଦ୍ରାପାଣ୍ଠି ବା ଆଇଏମଏଫ ପାକିସ୍ତାନକୁ ଋଣ ଦେବାକୁ ମନା କରିଦେଇଛି। ଦେବାଳିଆ ପରିସ୍ଥିତିର ସାମ୍ନା କରୁଥିବା ପାକିସ୍ତାନ ଆଇଏମଏଠୁ ଋଣ ପାଇଁ ଆବେଦନ କରିଥିଲା। ଏହି ସମୟରେ ପାକିସ୍ତାନକୁ ଋଣ ଦେବାକୁ ମନା କରିଦେଇଛି ଆଇଏମଏଫ। ଯଦି ଋଣ ପ୍ରଦାନ କରିବ ତାହେଲେ ସେଥିପାଇଁ ଏକ ସର୍ତ୍ତ ରଖିଛି ଆଇଏମଏଫ। ଯଦି ପାକିସ୍ତାନର ସମସ୍ତ ରାଜନୈତିକ ଦଳ ଏକାଠି ହୋଇ ଋଣର ଗ୍ୟାରେଣ୍ଟି ପଡ଼ିବେ ତାହେଲେ ଯାଇ ଆଇଏମଏଫ ଋଣ ଦେବାକୁ ବିଚାର କରିବ ବୋଲି କହିଛି।ପାକିସ୍ତାନରେ ଶାସକ ଦଳ ଓ ଇମ୍ରାନ ଖାନଙ୍କ ଦଳ ମଧ୍ୟରେ ବିବାଦ ଚରମସୀମାରେ ପହଞ୍ଚିଛି। ଇମ୍ରାନଙ୍କ ଦଳର ନେତା ଜଣେ ପରେ ଜଣେ ଗିରଫ ହେଉଛନ୍ତି। ଅନ୍ୟପଟେ ଆଗକୁ ପାକିସ୍ତାନରେ ନିର୍ବାଚନ ରହିଛି। ତେଣୁ ଦଳ ଏକାଠି ହୋଇ ଗୋଟିଏ ଟେବୁଲକୁ ଆସିବା ଏବେର ପକ୍ଷରେ ସମ୍ଭବ ନୁହେଁ।ପାକିସ୍ତାନ ଦେବାଳିଆ ପରିସ୍ଥିତିର ସାମ୍ନା କରୁଛି। ତେଣୁ ସ୍ଥିତିରେ ସୁଧାର ଆଣିବାକୁ ଯାଇ ଆଇଏମଏଫର ସହଯୋଗ ଲୋଡିଛି। ଆଇଏମଏଫ ଆଗରେ ପାକିସ୍ତାନ ଏକ ଆବର୍ତ୍ତି ଋଣ ପରିଚାଳନା ଯୋଜନା ଦାଖଲ କରିଛି। ଯାହା ଅବାସ୍ତବ କହି ଆଇଏମଏଫ ଏବେ ଖାରଜ କରିଦେଇଛି। ତେଣୁ ପାକିସ୍ତାନକୁ ମିଳିବାକୁ ଥିବା ଋଣ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି । ସେହିପରି ଆଇଏମଏଫର ଏକ ଟିମ୍ ମଧ୍ୟ ପାକିସ୍ତାନ ଗସ୍ତରେ ରହିଛନ୍ତି। ଯଦି ଋଣ ଦିଆଯିବ ତାହେଲେ ପାକିସ୍ତାନ କେଉଁ ବାଟରେ ଖର୍ଚ୍ଚ କରିବ ତାର ଅନୁଧ୍ୟାନ କରୁଛି ଏହି ଟିମ୍। ପାକିସ୍ତାନ ବିଦ୍ୟୁତ ବିଭାଗରେ ବ୍ୟାପକ ସଂସ୍କାର ଆଣିବା ସହ ସବସିଡି କମାଇବାକୁ ଆଇଏମଏଫ ନିର୍ଦ୍ଦେଶ ଦେଇଛି। ଏହା ସହିତ ୟୁନିଟ ପିଛା ଦର ୧୨ ଟଙ୍କା ୫୦ ପଇସାକୁ ବୃଦ୍ଧି କରିବାକୁ ଆଇଏମଏଫ ପାକିସ୍ତାନକୁ କହିଛି। ହେଲେ ଆଗକୁ ସାଧାରଣ ନିର୍ବାଚନ ରହିଛି। ଦରଦାମ ଆକାଶ ଛୁଆଁ ରହିଛି। ଯାହା ବି ସବସିଡି ରହିଛି ତାକୁ କମ୍ କରି ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ଚାହୁଁନାହିଁ ପାକିସ୍ତାନକ ଶେହବାଜ ସରକାର।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.