ସାଂସଦ ବସନ୍ତ ପଣ୍ଡାଙ୍କ ଜରିଆରେ କଳାହାଣ୍ଡି ପ୍ରେରକ ସଂଘର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ ଓ ଦାବୀପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ସାକ୍ଷରତା ମିଶନ ଅଧିନ ପ୍ରେରକ ସଂଘ ପକ୍ଷରୁ ସାଂସଦ ବସନ୍ତ ପଣ୍ଡାଙ୍କ ଜରିଆରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରାଯାଇଛି। କେନ୍ଦ୍ର ସରକାର ଦ୍ୱାରା ପ୍ରଚଳିତ ସମଗ୍ର ଶିକ୍ଷା ଅଭିଯାନରେ ସମସ୍ତ ପ୍ରେରକ ମାନଙ୍କୁ ସାମିଲ କରିବା ପାଇଁ ଅନୁରୋଧ କରାଯାଇଛି। ସୂଚନା ଯୋଗ୍ୟ ଯେ, ଭାରତ ସରକାରଙ୍କ ସକ୍ଷରତା ଅଭିଯାନରେ ୧୫ ବର୍ଷରୁ ଉର୍ଦ୍ଧ ଅଣସାକ୍ଷରମାନଙ୍କୁ ସାକ୍ଷର କରିବା ଲକ୍ଷ୍ୟରେ ୨୦୧୧ରୁ ୨୦୧୮ ମସିହା ପର୍ଯ୍ୟନ୍ତ ସାକ୍ଷର ଭାରତ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହୋଇଥିଲା। ଏଥିରେ କଲାହାଣ୍ଡି ଜିଲ୍ଲାର ୨୭୩ ଟି ଗ୍ରାମପଞ୍ଚାୟତରୁ ୫୪୭ ଜଣ ପ୍ରେରକ ନିୟୋଜିତ ହୋଇ ମାସିକ ୨୦୦୦ ଟଙ୍କା ପ୍ରୋତ୍ସାହନ ରାଶି ପାଉଥିଲେ। ପ୍ରେରକମାନେ ପୌଢ ଶିକ୍ଷା ମାଧ୍ୟମରେ ଅଣସାକ୍ଷର ମାନଙ୍କୁ ସାକ୍ଷର କରିବା ସଙ୍ଗେ ସଙ୍ଗେ ପଞ୍ଚାୟତର ପିଡ଼ିଏସ, ଭତ୍ତା ବଣ୍ଟନ, ସ୍ୱଚ୍ଛଭାରତ ମିଶନ ହିତାଧିକାରୀ, ବିପିଏଲ, ଏପିଏଲ ସର୍ଭେ ରେ ପଞ୍ଚାୟତ କର୍ମଚାରୀଙ୍କୁ ସହଯୋଗ କରିଥିଲେ। ତେବେ ୨୦୧୮ରୁ ଏହି କାର୍ଯ୍ୟକ୍ରମ ବନ୍ଦ ହୋଇ ଥିବାରୁ ବର୍ତ୍ତମାନ ପ୍ରେରକ ମାନେ ରୋଜଗାର ହରେଇବା ସହ ତାଙ୍କ ପରିବାର ଦୟନୀୟ ପରିସ୍ଥିତିରେ କାଳାତିପାତ କରୁଛନ୍ତି। କେନ୍ଦ୍ର ସରକାରଙ୍କ ନୂତନ କାର୍ଯ୍ୟକ୍ରମ ସମଗ୍ର ଶିକ୍ଷା ଅଭିଯାନ ଓ ପ୍ରି ସ୍କୁଲ ଯୋଜନାରେ ପ୍ରେରକ ମାନଙ୍କୁ ଶିକ୍ଷା ପ୍ରେରକ ଭାବରେ ନିଯୁକ୍ତି ଦେବା ପାଇଁ କଳାହାଣ୍ଡି ପ୍ରେରକ ସଂଘ ସଭାପତି ଅକ୍ରୁର ମହାଳିକ, ସହ ସମ୍ପାଦକ ଛବି ବିହାରୀ, ସାମାଜିକ କର୍ମୀ ଚିନ୍ମୟ ବେହରା ପ୍ରମୁଖ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରେରକଙ୍କ ସାମୁହିକ ସମସ୍ୟା ଓ ପୁନଃ ନିଯୁକ୍ତିକୁ ଗୁରୁତ୍ୱ ଦେଇ ଏହାର କାର୍ଯ୍ୟକାରିତା ଦିଗରେ ଦୃଷ୍ଟି ଦେବେ ବୋଲି କହିଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.