ମା’ ପାଇଁ ଦିନଟିଏ : ଆଜି ବିଶ୍ୱ ମାତୃ ଦିବସ; ଆଜିର ଦିନରେ ଶପଥ ନେବା ମା’ ଆଖିରେ କେବେ ଲୁହ ନଦେବା

ନିଲେଶ କୁମାର ନାଗ

ପାଞ୍ଚଟା ଲୋକଙ୍କୁ ପାଞ୍ଚ ପ୍ରକାରର ରାନ୍ଧିକି ଖୁଆଏ, ହେଲେ ନିଜେ କେବେ ଆଗ ନଖାଇ ବଳିଯାଏ ଯାହା ତାକୁ ହିଁ ଖାଏ । ଘରର ଘରଣୀ, ସନ୍ତାନଙ୍କ ଜନନୀ ସେ ପ୍ରତିଘରର ଦେବୀ ମା’ ବୋଲାଏ । ଦୁନିଆର ପ୍ରଥମ ପ୍ରେମ, ସବୁଠାରୁ ମୂଲ୍ୟବାନ ବରଦାନ, ଏ ମାଟିରେ ଈଶ୍ୱରଙ୍କ କାହାଣୀ, ପ୍ରକୃତିର ସୌନ୍ଦର୍ଯ୍ୟରେ ପ୍ରଥମ ଉପହାର, କଣ୍ଟାଭରା ରାସ୍ତାରେ ଫୁଲର ଅନୁଭବ, ଖୁସିର ଅମାରରେ ପ୍ରେମର ଭଣ୍ଡାର, ଭଲପାଇବା ଓ ଗାଳିର ଖଟା-ମିଠା ଖେଳ, ପର ଆପଣାର ଦୁନିଆରେ ଆପଣାର ବିଶ୍ୱାସ ମା’ …
ସାରା ଜୀବନ ସଂସାର, ସନ୍ତତିଙ୍କ ସେବାରେ କଟାଇ କେବେ ଥକୁନଥିବା ସେ ଦେବୀଙ୍କ ପାଇଁ ଆଜିର ଏ ଦିନଟିଏ । ପୁରା ପରିବାରର ସେବାରେ ଯାହାର ଜୀବନ ସମର୍ପିତ ଆଜି ବିଶ୍ୱ ମାତୃ ଦିବସ ଅବସରରେ ସାରା ବିଶ୍ୱ ଆଜି ସେହି ମା’ଙ୍କ ସେବାରେ ଲାଗିପଡ଼ିଛି । ଆଧୁନିକତାର ଦୌଡ଼ରେ ଆଜିର ସମାଜ ପିତାମାତାଙ୍କ ପାଇଁ ବୃଦ୍ଧାଶ୍ରମ ଭଳି ଏକ ଘର ତୋଳିଥିବାବେଳେ ଅନ୍ୟ କିଛି କର୍ତ୍ତବ୍ୟର ଉଦାହରଣ ଦେଇ ପିତାମାତାଙ୍କୁ ସସମ୍ମାନେ ଆଦର, ସ୍ନେହ କରୁଛନ୍ତି । ମା’ ତ କରୁଣାମୟୀ, ମମତାର ସାଗର ସନ୍ତାନର ଅଳିଅର୍ଦ୍ଦଳୀକୁ ପିଲାବେଳେ ଯେମିତି ପୁରା କରୁଥିଲା ବଡ଼ ହେବା ପରେ ସନ୍ତାନର କଡ଼ା କଥାକୁ କୌତୁହଳ ଭାବି ଏଡାଇଯାଏ । ହେଲେ ବର୍ତ୍ତମାନ ନିଜକୁ ନିଜେ ପ୍ରଶ୍ନ କରିବାର ସମୟ ଆସିଛି । ମା’ ବି ତ ଗୋଟେ ମଣିଷ । କ’ଣ ତାକୁ କେବେ କଷ୍ଟ ହୁଏନି । ପିଲାମାନେ ଅଧିକ ଜିଦଖୋର ହେଲେ ମାଡ଼ ମାରିବା ପରେ ମା’ର ଆଖିରୁ ଯେଉଁ ଲୁହ ଆସିଯାଉଥିଲା କ’ଣ ସେ ରାଗର ପ୍ରତିଶୋଧ ବାର୍ଦ୍ଧକ୍ୟ କାଳକୁ ନେଉଛି କି ସନ୍ତାନ? ଏ ବିଶ୍ୱ ମାତୃ ଦିବସ କ’ଣ ଗୋଟିଏ ଦିନ ପାଇଁ। ସମ୍ପତ୍ତି ପାଇଁ ଆଉ କେତେ ଇଟା ଲଦି ମା’କୁ ତଳେ ଦବାଇବ ପୁଅ । ପୁଅ ଘରର ଛାତ ଭିତରେ ମୁଣ୍ଡ ଗୁଞ୍ଜିବା ପାଇଁ ଆଉ କେତେ ବାରଣ୍ଡାରେ ବସିବ ମା’ କେବେ ଶୁଖିବ ମା’ ଆଖିର ଅକୁହା ଲୁହ।

ଷ୍ଟାଫ୍ ରିପୋର୍ଟର, ଓଡ଼ିଆ ବାର୍ତ୍ତା 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.