ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡ଼ିକରେ ଖାଲି ପଡ଼ିଥିବା ଶିକ୍ଷକ ଓ ଅଣଶିକ୍ଷକ ପଦ ଖୁବଶୀଘ୍ର ପୂରଣ କରାଯିବ । ଚଳିତ ବର୍ଷ ରାଜ୍ୟରେ ଥିବା ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ କଲେଜ, ବିଶ୍ୱବିଦ୍ୟାଳୟଗୁଡ଼ିକରେ ଏହି ନିଯୁକ୍ତି ଦିଆଯିବ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ ଥିବା ବିଭିନ୍ନ ଡିଗ୍ରୀ କଲେଜରେ ଖାଲି ଥିବା ୩ ହଜାର ୮ ଶହ ୩୧ଟି ଅଧ୍ୟାପକ ପଦ ପୂରଣ କରାଯିବ । ଏ ସମ୍ପର୍କରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି), ରାଜ୍ୟ ଚୟନ ବୋର୍ଡ (ଏସଏସବି)କୁ ଚିଠି ଲେଖାଯାଇଛି । ଏଥିସହିତ ଏହି ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ବିଭାଗ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି । ଏହାସହ ଗ୍ରୁପ-ସି ଓ ଗ୍ରୁପ-ଡି ପଦ ପୂରଣ ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ କରାଯିବ । ଚଳିତ ବର୍ଷ ଉଚ୍ଚଶିକ୍ଷାରେ ୫ ହଜାରରୁ ଅଧିକ ପଦରେ ନିଯୁକ୍ତି ଦିଆଯିବ । ଏହି ନିଯୁକ୍ତି ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ଏକ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିଥିବା ଜଣାପଡ଼ିଛି ।