ଭୂତକୋଠି ପାଲଟିବାକୁ ଯାଉଛି ଲକ୍ଷାଧିକ ଟଙ୍କାରେ ନିର୍ମିତ କୋଠା
ଠପ୍ ହୋଇପଡିଛି ଅଞ୍ଚଳର ପ୍ରାଣୀ ଚିକିତ୍ସା
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି: ପଶୁପାଳନ ଉପରେ ରାଜ୍ୟ ସରକାର ଯଥେଷ୍ଟ ଗୁରୁତ୍ବ ଦେଇଛନ୍ତି। ଗୃହ ପାଳିତ ପଶୁ ପକ୍ଷୀଙ୍କ ଚିକିତ୍ସା ପାଇଁ ରାଜ୍ୟସାରା ଗଢ଼ି ଉଠିଛି ଅନେକ ପ୍ରାଣୀ ଚିକିତ୍ସାଳୟ। ତେବେ କେତେକ ସ୍ଥାନରେ ବିଭାଗୀୟ ଅଧିକାରୀମାନଙ୍କ ଉଦାସୀନତା ସହ ଖାମଖିଆଲି ମନୋଭାବ ଯୋଗୁଁ ଏହି ଯୋଜନା ବାସ୍ତବ ରୂପ ନେଇ ପାରୁନାହିଁ। ଏପରି ଏକ ଚିତ୍ର ଆସି ପହଞ୍ଚିଛି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକରୁ। ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଭଇଁରୀଗୁଡାଠାରେ ପାଞ୍ଚ ବର୍ଷ ପୂର୍ବରୁ ନିର୍ମାଣ ହୋଇଥିବା ପ୍ରାଣୀ ଚିକିତ୍ସାଳୟ କାର୍ଯ୍ୟକ୍ଷମ ନହୋଇ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ଏହାର ଚତୁଃପାର୍ଶ୍ଵରେ ଅନାବନା ଗଛ ଲଟା ମାଡ଼ି ଯାଇଛି। ଲକ୍ଷ ଲକ୍ଷ ଟଙ୍କାରେ ନିର୍ମିତ ଏହି କୋଠାକୁ କାର୍ଯ୍ୟକ୍ଷମ କରାନଯିବା ପଛର କାରଣ ରହସ୍ୟାବୃତ ହୋଇ ରହିଛି। ବ୍ୟବହାର ହେଉନଥିବାରୁ ଭଇଁରୀଗୁଡା ପ୍ରାଣୀ ଚିକିତ୍ସାଳୟ ଏବେ ଭୂତକୋଠି ପାଲଟିବାକୁ ଯାଉଛି। ଏହି କୋଠା କାର୍ଯ୍ୟକ୍ଷମ ହୋଇନଥିବାରୁ ଭଇଁରୀଗୁଡା ଓ ଚିଙ୍ଗୁଡିଶ୍ବର ଗ୍ରାମ ପଞ୍ଚାୟତ ଅଧିନସ୍ଥ ସମସ୍ତ ଗ୍ରାମର ଗ୍ରାମବାସୀମାନେ ପ୍ରାଣୀ ଚିକିତ୍ସା ସେବା ପାଇ ନପାରି ହନ୍ତସନ୍ତ ହେଉଛନ୍ତି। ଏନେଇ ବାରମ୍ବାର ବିଭାଗୀୟ କତୃପକ୍ଷ ଓ ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ କୈାଣସି ସୁଫଳ ମିଳି ପାରିନାହିଁ। ଏବେ ବର୍ଷାଋତୁ ଚାଲିଥିବାରୁ ଗାଈଗୋରୁଙ୍କ ସମେତ ଅନ୍ୟାନ୍ୟ ଗୃହ ପାଳିତ ପଶୁ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ରହିଛି। ତେଣୁ ତୁରନ୍ତ ଭଇଁରୀଗୁଡା ପ୍ରାଣୀ ଚିକିତ୍ସାଳୟକୁ କାର୍ଯ୍ୟକ୍ଷମ କରିବାକୁ ଦାବି କରିଛନ୍ତି ସମାଜସେବୀ ଦେବରାଜ ବାଣୁଆ ଓ ଅଞ୍ଚଳବାସୀ।