ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାର ତୁଳାପଡା ଖେଳ ପଡ଼ିଆରେ ଗୁରୁବାର ଦିନ ଦିବା ୧୧ ଘଣ୍ଟା ସମୟରେ ଜିଲ୍ଲା ସ୍ତରୀୟ ଶାରଦୀୟ କ୍ରୀଡା ପ୍ରତିଯୋଗୀତା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂଦେଓଙ୍କ କର କମଳରେ ଉଦ୍ଘାଟିତ ହୋଇଯାଇଛି । ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ ଟେମଲାଲ ଦୁବେଙ୍କ ସଭାପତିତ୍ୱରେ ଏହି ଉତ୍ସଵ ଅନୁଷ୍ଠିତ ହୋଇଥିବା ବେଳେ ଅତିଥି ବୃନ୍ଦ କ୍ରୀଡା ପତାକା ଉତ୍ତୋଳନ କରି ଏହି ଜିଲ୍ଲା ସ୍ତରୀୟ କ୍ରୀଡା ମହୋତ୍ସବ ର ଶୁଭାରମ୍ଭ କରିଥିଲେ । ପ୍ରତି ଗ୍ରାମ ପଂଚାୟତ ସ୍ତରରୁ ଆସିଥିବା ଟିମ ମାନଙ୍କ ମଧ୍ୟରୁ ଉତ୍ତମ ଖେଳାଳୀ ଚୟନ କରାଯାଇ ବ୍ଲକ ଟିମ ସବୁ ଗଠିତ ହୋଇଛି । ସେମାନଙ୍କ ମଧ୍ୟରେ ଆଜିଠାରୁ ଜିଲ୍ଲା ସ୍ତରୀୟ ଶାରଦୀୟ କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ ହେଉଛି । ଏଥିରେ ୧୪ ଏବଂ ୧୭ ବର୍ଷରୁ କମ ବୟସର ଛାତ୍ରଛାତ୍ରୀଙ୍କୁ ନେଇ ବିଭାଗ ଅନୁଯାୟୀ ଫୂଟବଲ, ଭଳିବଲ, ଖୋକୋ, କବାଡି, ଯୋଗାସନ, ଚେସ, ସିପାକଟାକରୋ ପ୍ରଭୃତି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଛି ।
ଏହି ଜିଲ୍ଲା ସ୍ତରୀୟ ପ୍ରତିଯୋଗୀତା ୨୮ ରୁ ୩୦ ଯାଏଁ ତିନିଦିନ ଧରି ଚାଲିବ । ୩୦ ରେ ଉଦଯାପିତ ହେବ । ଏହି କ୍ରୀଡା ପ୍ରତିଯୋଗୀତାରେ ଜିଲ୍ଲାର ସମସ୍ତ ବ୍ଲକ ର ୬୮୬ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିବା ବେଳେ ଏଥିପାଇଁ ୮୮ ରୁ ଉର୍ଦ୍ଧ୍ବ କ୍ରୀଡା ଶିକ୍ଷକ ବିଭିନ୍ନ ଇଭେଣ୍ଟର ଖେଳ ସବୁ ପରିଚାଳନା କରୁଥିବା ଜଣାପଡ଼ିଛି । ଏଥି ମଧ୍ୟରୁ ପ୍ରମୁଖ କ୍ରୀଡା ଶିକ୍ଷକ ଜିଲ୍ଲା ପିଇଟି ସଂଘର ସଭାପତି ମୁରଲୀ ଦୀପ, ନାରାୟଣ ପଧାନ, ବୃଷଧ୍ୱଜ ବୁଦ୍ଧିଆ, ନିର୍ମଲ ପଧାନ, ସନ୍ତୋଷ ନାଏକ, ଉମାକାନ୍ତ ଭୋଇ, ପ୍ରଦୀପ ସାହାଣୀ, ନାରାୟଣ ପଧାନଙ୍କ ସମେତ ଅନ୍ୟାନ୍ୟ କ୍ରୀଡା ଶିକ୍ଷକ ସମସ୍ତ କ୍ରୀଡା ପରିଚାଳନା କରିଥିଲେ । ୬ ଗୋଟି ଇଭେଣ୍ଟ ପରିଚାଳନା ପାଇଁ କ୍ରୀଡା ଶିକ୍ଷକ ମାନଙ୍କୁ ବିଭାଗ ବଣ୍ଟନ କରି ଦାଇତ୍ୱ ଅର୍ପଣ କରାଯାଇଥିଲା । ସକାଳ ୧୧ ଘଣ୍ଟା ସମୟରେ ତୁଳାପଡା ମା ପାଝରାଣୀ ପୀଠରୁ ମଶାଲ ଯାତ୍ରା ଅନୁଷ୍ଠିତ ହୋଇଥିଲା । ବ୍ୟାଣ୍ଡ ବାଜାର ତାଳେ ତାଳେ ମୁଖ୍ୟ ଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ ଏବଂ ଅନ୍ୟ ସମ୍ମାନୀତ ଅତିଥି ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଟେମଲାଲ ଦୁବେ, ବିଇଓ ତପିମଣି ଯାନୀ, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଗୋବର୍ଦ୍ଧନ ମାଝୀ, ପୂର୍ବତନ ସରପଞ୍ଚ ତଥା ତୁଳାପଡା ଖେଳପଡିଆ ପାଇଁ ଭୂମିଦାତା ମନମୋହନ ନାୟକ, ସରପଞ୍ଚ ମଲ୍ଲିହାର ପଧାନ, ଆୟୋଜକ ତୁଳାପଡା ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ସୁଲତା ସାହୁ, ଡିପିଇଓ ସଞ୍ଜୟ ମିଶ୍ର, ତୁଳାପଡା ହାଇସ୍କୁଲକୁ ପରିଚାଳନା କମିଟିର ସଭାନେତ୍ରୀ ଅଞ୍ଜଳି ପଧାନ, କାର୍ଯ୍ୟକ୍ରମର ଅଧ୍ୟକ୍ଷ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଟେମଲାଲ ଦୁବେ ପ୍ରମୁଖ ମଶାଲ ନେଇଆସି ମଞ୍ଚରେ ସ୍ଥାପନା କରିଥିଲେ ।
ଅତିଥି ବୃନ୍ଦଙ୍କ ଗଣପତି ପୂଜନ ଅନୁଷ୍ଠିତ ହୋଇଥିଲା। ଏହାପରେ ବ୍ଲକ ଅନୁଯାୟୀ ପ୍ୟାରେଡ଼ ଅନୁଷ୍ଠିତ ହେବାପରେ ମୁଖ୍ୟ ଅତିଥି କ୍ରୀଡା ପତାକା ଉତ୍ତୋଳନ କରିଥିଲେ । ଆୟୋଜକ ତୁଳାପଡା ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସାହୁ ସ୍ୱଗାତ ଭାଷଣ ପ୍ରଦାନ କରିଥିଲେ । କିକିଆ ହାଇସ୍କୁଲର ପିଇଟି ତଥା ଟେବୁଲ ଅଫିସର ଅଶ୍ଵିନ ପଧାନ ମଞ୍ଚ ପରିଚାଳନା କରିଥିଲେ । ତୁଳାପଡା ହାଇସ୍କୁଲର ସମସ୍ତ ଷ୍ଟାଫ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ମଞ୍ଚ କାର୍ଯ୍ୟକ୍ରମ ଶେଷରେ ତୁଳାପଡା ହାଇସ୍କୁଲର ହିନ୍ଦୀ ଶିକ୍ଷକ ବିମଲ ଚନ୍ଦ୍ର ପଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ ବିଭିନ ଇଭେଣ୍ଟ ର ଖେଳ ଆରମ୍ଭ ହୋଇଥିଲା । ପ୍ରଥମ ଇଭେଣ୍ଟ ଭାବରେ ଧର୍ମଗଡ଼ ବ୍ଲକ ଓ ଭବାନୀପାଟଣା ବ୍ଲକ ମଧ୍ୟରେ ଫୁଟବଲ ଖେଳ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା ।