ସଫଳତାର ସହ ସମାପନ ହେଲା ପ୍ରଭୁ ଚିତ୍ରଗୁପ୍ତଙ୍କ ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି: କଳାହାଣ୍ଡି କରଣ ସମାଜ ତରଫରୁ ଭବାନୀପାଟଣା ସହରରେ ଚାରିଦିନ ବ୍ୟାପି ଚାଲିଥିବା ପ୍ରଭୁ ଚିତ୍ରଗୁପ୍ତଙ୍କ ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ସଫଳତାର ସହ ସମାପନ ହୋଇଯାଇଛି। ସଭାପତି ରାମ ଶଙ୍କର ଦାସ ଏବଂ ସମ୍ପାଦକ ପ୍ରଦୀପ ପଟ୍ଟନାୟକଙ୍କ ନେତୃତ୍ୱରେ ଆୟୋଜିତ ଉଦଯାପନୀ ସମାରୋହରେ ଅତିଥି ଭାବେ ସମ୍ବଲପୁରର ପୂର୍ବତନ ରାଜସଭା ସାଂସଦ ସୁଶ୍ରୀ ପ୍ରମିଳା ବହିଦାର, ରାଷ୍ଟ୍ରୀୟ ସଂଗ୍ରକ୍ଷକ ଅଖିଳ ଭାରତୀୟ କାୟସ୍ଥ ମହାସଭା ରତ୍ନଭୂଷଣ ପୃସେଠ୍, ଅବସର ପ୍ରାପ୍ତ ଜିଲ୍ଲାପାଳ ଜଗନ୍ନାଥ ମହାନ୍ତି, ବିକ୍ରମାନନ୍ଦ ବହିଦାର, ଭୁବନେଶ୍ୱରରୁ ଆସିଥିବା ବରିଷ୍ଠ ସମାଜସେବୀ ଋତୁପର୍ଣ୍ଣା ମହାନ୍ତି, ଶିରିଶ କୁମାର ବହିଦାର ପ୍ରମୁଖ ମଞ୍ଚାସିନ ହୋଇ ନିଜ ନିଜର ଅଭିଭାଷଣ ରଖିଥିଲେ ଏବଂ ସମାଜର ଦାୟିତ୍ୱବୋଧ ଏବଂ ସଂଗଠନକୁ ନେଇ ମାର୍ଗଦର୍ଶନ ଦେଇଥିଲେ।

ସମାଜ ତରଫରୁ ସଭାପତି ରାମ ଶଙ୍କର ଦାସ, ସମ୍ପାଦକ ପ୍ରଦୀପ ପଟ୍ଟନାୟକ, ମୁଖ୍ୟ ଉପଦେଷ୍ଟା କାଳୀ ପ୍ରସାଦ ପଟ୍ଟନାୟକ, ମହିଳା ସମ୍ମୁଖ୍ୟ ମୁଖ୍ୟ ସୁଶ୍ରୀ ସବିତା ପଟ୍ଟନାୟକ, ଦେବାଶିଷ ପଟ୍ଟନାୟକ ଉପସ୍ଥିତ ରହିଥିଲେ। ପ୍ରମୋଦ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ। ଜିଲ୍ଲାର ବରିଷ୍ଠ ନେତା ପୂର୍ବତନ ବିରୋଧୀ ଦଳ ନେତା ଭୂପିନ୍ଦର ସିଂ ମଧ୍ୟ ତାଙ୍କର କାର୍ଯ୍ୟାବ୍ୟସ୍ତତା ଯୋଗୁଁ ଅଳ୍ପ ସମୟ ରହି ମହାପ୍ରଭୁ ଚିତ୍ରଗୁପ୍ତଙ୍କ ଆଶୀର୍ବାଦ ନେଇ କାର୍ଯ୍ୟକ୍ରମରୁ ବିଦାୟ ନେଇଥିଲେ।

ସମାଜ ତରଫରୁ ନିମନ୍ତ୍ରଣ ରକ୍ଷା କରି ଆସିଥିବା ଜିଲ୍ଲାର ବିଭିନ୍ନ ସମାଜର ସଭାପତି, ସମ୍ପାଦକ ଏବଂ ସାମ୍ବାଦିକ ମାନଙ୍କୁ ମଞ୍ଚ ଉପରେ ଅତିଥିମାନଙ୍କ ଦ୍ୱାରା ଫୁଲତୋଡ଼ା, ଉତ୍ତରୀୟଏବଂ ଫଳକ ଦିଆଯାଇ ସମ୍ମାନିତ କରାଯାଇଥିଲା। ଏହାପରେ ମନ୍ଦିରର ପୂର୍ଣ୍ଣାହୁତି ହୋଇଥିଲା। ପରିଶେଷରେ ଅନ୍ତିମ ସାଂସ୍କୃତିକ ସନ୍ଧ୍ୟାରେ ମନୋରଞ୍ଜନ କାର୍ଯ୍ୟକ୍ରମ ହୋଇଥିଲା ଏବଂ ମହିଳାମାନଙ୍କ ଦ୍ୱାରା ପରିବେଶିତ ନାଟକ “ବୃଦ୍ଧାଶ୍ରମର ଶେଷ ଠିକଣା” ବେଶ ହୃଦୟ ବିଦାରକ ଥିଲା।

 

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଓଡିଶା ତଥା ସର୍ବ ଭାରତୀୟ ସ୍ତରରେ ଏହିଭଳି ଭବ୍ୟ ମନ୍ଦିର ନିର୍ମାଣ ହେବାରେ କଳାହାଣ୍ଡି ପ୍ରଥମ। ତେବେ କାର୍ଯ୍ୟକ୍ରମର ପ୍ରଥମ ଦିବସ ତଥା ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଲୋକସଭା ସାଂସଦ ମାଲବିକା ଦେବୀ, ଦ୍ଵିତୀୟ ଦିବସରେ ମୁଖ୍ୟ ଅତିଥି ଭାବରେ ଭବାନୀପାଟଣାର ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ ଯୋଗ ଦେଇଥିଲେ। ଏହି ଦିନ ସନ୍ଧ୍ୟାରେ ମହିଳା ମାନଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ଗାନ କରିବା ପରେ ନୃତ୍ୟ ଏବଂ ମନୋରଞ୍ଜନ କାର୍ଯ୍ୟକ୍ରମ ମାନ ପରିବେଷିତ ହୋଇଥିଲା। ସୌରଭ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ପ୍ରୀତି ପଟ୍ଟନାୟକ ଏବଂ ସୁଧୃତି ଦାସଙ୍କ ଦ୍ୱାରା ଅଭିନିତ ନାଟକଟି ବେଶ ହୃଦୟସ୍ପର୍ଶି ଥିଲା। ରାତ୍ର ୧୦ ଘଣ୍ଟାରେ ଚିତ୍ରଗୁପ୍ତ ବିଗ୍ରହଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ହୋଇଥିଲା।

ସେହିପରି ତୃତୀୟ ଦିବସ ତଥା ଗତ ଶନିବାର ଦିନ ନର୍ଲା ବିଧାୟିକା ମନୋରମା ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବାବେଳେ ସୁଖେନ୍ଦୁ ଦାସ, ଦେବକିଶୋର ଦାନୀ, ଦୟାସାଗର ପଟ୍ଟନାୟକ ପ୍ରମୁଖ ଅତିଥି ଭାବରେ ମଂଚାସୀନ ହୋଇଥିଲେ। ଦିବା ୩ ଘଣ୍ଟା ସମୟରେ ପୂଜା ଵିଧି ଅନୁସାରେ ମନ୍ଦିରର “ରତ୍ନମୁଦ”କାର୍ଯ୍ୟକ୍ରମ ହୋଇଥିବାବେଳେ ସାଂସ୍କୃତିକ ସନ୍ଧ୍ୟାରେ “ଚାଲିବାକୁ ଅଛି ବାକି” ନାଟକ ମଞ୍ଚସ୍ଥ ହୋଇଥିଲା। ନାଟ୍ୟକାର ବିରଞ୍ଚି ନାରାୟଣ ମୁଣ୍ଡଙ୍କ ରଚିତ ଏହି ନାଟକରେ ଅଶୋକ ରାୟ ନିର୍ଦେଶନା ଦେଇଥିଲେ।

ସମାଜ ତରଫରୁ ଚାରିଦିନ ଯାକ ସର୍ବସାଧାରଣ ପାଇଁ ମଧ୍ୟାହ୍ନ ଭୋଜନ ଓ ରାତ୍ର ଭୋଜନର ବ୍ୟବସ୍ଥା କରାଯାଇଥିଲା। ସମାଜର ସମସ୍ତ ସଦସ୍ୟ ସଦସ୍ୟା ମନ୍ଦିର ପ୍ରତିଷ୍ଠା ଏବଂ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବର ସମସ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ଦାୟିତ୍ୱମାନ ନେଇ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.