ଓଡ଼ିଆ ବାର୍ତ୍ତା/ କେସିଙ୍ଗା: ସୁକୁନାଭଟା ସ୍ଥିତ ଖର୍ସେଲ ଡୁଙ୍ଗରୀଠାରେ ଚାଲିଥିବା ଗିରିଗୋବର୍ଦ୍ଧନ ପୂଜା ଓ ଷୋହଳ ପ୍ରହର ନାମଯଜ୍ଞ ବୁଧବାର ପୂର୍ଣ୍ଣାହୁତି ସହ ସମ୍ପନ୍ନ ହୋଇଛି। କେସିଙ୍ଗା ବ୍ଲକ ଯାଦବ ସମିତି ପକ୍ଷରୁ ଆୟୋଜିତ ଉକ୍ତ ଧାର୍ମିକ ଅନୁଷ୍ଠାନରେ କଳସ ଯାତ୍ରା, ଗୋବର୍ଦ୍ଧନ ପୂଜା, ଷୋହଳ ପ୍ରହର ନାମ ଯଜ୍ଞ, ଅନ୍ନ ଯଜ୍ଞ, ଭାଗବତ ପାରାୟଣ, ଗୋସେବା ଆଦି ଅନୁଷ୍ଠିତ ହୋଇଥିଲା। କେସିଙ୍ଗା ବ୍ଲକ ଯାଦବ ସମିତି ସଭାପତି ପାନ୍ନାଲାଲ ବେମାଲ, ସାଧାରଣ ସମ୍ପାଦକ ମହୀପାଳ ନାଏକ, ଉପସଭାପତି ଜଗନ୍ନାଥ ବାଗ, ସହ ସମ୍ପାଦକ ପ୍ରେମଲାଲ ରାଉତ, କୋଷାଧ୍ୟକ୍ଷ ପ୍ରଶାନ୍ତ ପୋଢ, କୁରୁପତି ବାଗ, ନବୀନ ଛତର, କ୍ଷୀରସିନ୍ଧୁ ବିଶି ପ୍ରମୁଖଙ୍କ ସହ ଅନେକ ବରିଷ୍ଠ ଯାଦବଙ୍କ ତତ୍ବାବଧାନରେ ତଥା ସମସ୍ତ ଆଞ୍ଚଳିକ ଯାଦବ କମିଟି କର୍ମକର୍ତ୍ତା, କେସିଙ୍ଗା ଏନଏସି ଯାଦବ ସମିତି କାର୍ଯ୍ୟକର୍ତ୍ତାଙ୍କ ସହଯୋଗରେ ପୂଜାକାର୍ଯ୍ୟ ସଫଳତାର ସହ ସମାପନ ହୋଇଛି। ମନ୍ଦିରର କର୍ତ୍ତା ଭାବେ ସିଦ୍ଧେଶ୍ୱର ବାଗ ଓ ତାଙ୍କ ଧର୍ମପତ୍ନୀ ଦମୟନ୍ତୀ ବାଗ, ନାମଯଜ୍ଞର କର୍ତ୍ତା ଭାବେ ଅଶୋକ ପୋଢ ଓ ତାଙ୍କ ଧର୍ମପତ୍ନୀ ରଶ୍ମିତା ପୋଢ ଦାଇତ୍ୱ ନିର୍ବାହ କରିଥିଲେ। ଭଗବାନ ରାଧାକୃଷ୍ଣଙ୍କ ଆଶିଷ ଲାଭ ସହ ଗିରିଗୋବର୍ଦ୍ଧନଙ୍କ ପୂଜା ଏବଂ ଷୋହଳ ପ୍ରହର ନାମ ଯଜ୍ଞ ଦେଖିବା ପାଇଁ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଯାଦବ ଓ ଶ୍ରଦ୍ଧାଳୁମାନଙ୍କ ସମାଗମ ହୋଇଥିଲା।





