କାର୍ଯ୍ୟରତ ସାମ୍ବାଦିକଙ୍କୁ ନର୍ଲା ଥାନାଧିକାରୀଙ୍କ ଦୁର୍ବ୍ୟବହାର ଅଭିଯୋଗ: ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କୁ ଫେରାଦ

ବିଭିନ୍ନ ମହଲରେ ଦୃଢ ନିନ୍ଦା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି: ଦୀର୍ଘ ୧୭ ବର୍ଷ ଧରି କଳାହାଣ୍ଡି ଜିଲ୍ଲାରେ ବିଶେଷତଃ ଲାଞ୍ଜିଗଡ଼ ବ୍ଲକରେ ସାମ୍ବାଦିକ, ସଚେତନ ନାଗରିକ ଓ ସମାଜସେବୀ ତଥା ଓଡ଼ିଶାର ଅଗ୍ରଣୀ ସାମ୍ବାଦିକ ସଂଗଠନ ଲାଞ୍ଜିଗଡ ପ୍ରେସ୍ କ୍ଲବର ସାଧାରଣ ସଂପାଦକ ଭାବେ କାର୍ଯ୍ୟରତ ଯୁବ ସାମ୍ବାଦିକ ସୁଶୀଲ କୁମାର ବାଗ ଓ ତାଙ୍କ ସହିତ ପିଇଡବ୍ଲ୍ୟୁ ମିଡିଆ ଏସୋସିଏସନ୍ ସଭାପତି ତଥା ଯୁବ ସାମ୍ବାଦିକ ନୀଲେଶ କୁମାର ନାଗ ଓ ସାଧାରଣ ସଂପାଦକ ଗୋପାଳଦାସ ମହାନନ୍ଦଙ୍କୁ ନର୍ଲା ଥାନାଧିକାରୀ ଗଙ୍ଗାଧର ମେହେର ଅତ୍ୟନ୍ତ କଦର୍ଯ୍ୟ ବ୍ୟବହାର ଦେବା ସହିତ ଥାନା ପରିସରରେ ଧମକଚମକ ଦେବା ଘଟଣାକୁ ନେଇ ସେମାନେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ, କୋରାପୁଟ ପୁଲିସ ମହାନିରୀକ୍ଷକ ଓ କଳାହାଣ୍ଡି ଏସ୍‌ପିଙ୍କୁ ଅଭିଯୋଗ କରିଛନ୍ତି । ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ରୋଡ଼ ଗ୍ରାମପଂଚାୟତ କିଡ଼ିଙ୍ଗ ଗାଁର ଅହଲ୍ୟା ଶବର ନାମ୍ନୀ ଜଣେ ଅସହାୟ ମହିଳାଙ୍କ ସ୍ୱାମୀ ଅଲେଖ ଶବର ଗୁଜରାଟ ରାଜ୍ୟର ରାଜକୋଟରୁ ନିଖୋଜ ହୋଇଥିବାବେଳେ ସେ ଓ ତାଙ୍କ ସଂପର୍କୀୟ ହରି ଶବର ଓ ସତ୍ୟମ୍ବର ଶବରଙ୍କ ଅନୁରୋଧ ପରେ ଶ୍ରୀ ବାଗ ଏବଂ ଶ୍ରୀ ନାଗ ଓ ଶ୍ରୀ ମହାନନ୍ଦ ନର୍ଲା ଥାନାକୁ ନିଖୋଜ ସଂପର୍କିତ ମାମଲା ଦାୟର କରିବାକୁ ଯାଇଥିଲେ । ଏହି ସମୟରେ ସଂପୃକ୍ତ ମହିଳା ଅହଲ୍ୟା ଶବର ସ୍ୱାମୀଙ୍କ ନିଖୋଜ ଜନିତ ଘଟଣାରୁ ସେ ମାନସିକ ଭାବେ ଭାଙ୍ଗି ପଡିଥିବାରୁ ତାଙ୍କ ତରଫରୁ ସେମାନେ ନର୍ଲା ଥାନାଧିକାରୀ ଶ୍ରୀ ମେହେରଙ୍କୁ ଘଟଣା ସଂପର୍କରେ ସୂଚନା ଦେଉଥିଲେ । ଏହି ସମୟରେ ଥାନାଧିକାରୀ ଶ୍ରୀ ମେହେର ହଠାତ୍ ସେ ତିନିଜଣ ସାମ୍ବାଦିକଙ୍କ ଉପରେ ରାଗିଯିବା ସହିତ ଗାଳିଗୁଲଜ ଓ ଧମକଚମକ ଦେଇଥିବା ଅଭିଯୋଗ ହୋଇଛି । ଏପରିକି ଶ୍ରୀ ମେହେର, ସାମ୍ବାଦିକ ହୁଅ କି ସାଧାରଣ ଲୋକ, ମୋ ଥାନାରେ ମୁଁ ମାଲିକ, ମୁଁ ଉଠ କହିଲେ ଉଠିବ, ବସ୍ କହିଲେ ବସିବ ବୋଲି କହିବା ସହିତ ଏଇଟା ପଂଚାୟତ କି ବ୍ଲକ ଅଫିସ ନୁହେଁ ଏହା ଥାନା ଓ ମୁଁ ଯାହା ଚାହେଁ ତାହା କରେ, କାହାକୁ ମୁଁ ଖାତିର କରେ ନାହିଁ, ମୁଁ ପୁଲିସ ଚାକିରି କରିଛି, ତମେମାନେ ମୋର କ’ଣ ତାଡି ପକାଇବ ସମସ୍ତଙ୍କୁ ଗୋଟିଗୋଟି କରି ଆରେଷ୍ଟ କରିଦେବି । ମିଥ୍ୟା ମାମଲାରେ ଛନ୍ଦି ପକାଇବି । ତେଣିକି ସମସ୍ତେ ଦୌଡୁଥିବ ଥାନାରୁ କୋର୍ଟ କଚେରୀଯାଏଁ ବୋଲି ଧମକ ଦେଇଥିବା ଅଭିଯୋଗ ହୋଇଛି । ସେ ତିନିଜଣ ଆମେ କେବଳ ମାନବିକତା ଦୃଷ୍ଟିରୁ ସଂପୃକ୍ତ ଅସହାୟ ମହିଳାଙ୍କ ପକ୍ଷ ନେଇ ଆପଣଙ୍କୁ ଗୁହାରି କରିବାକୁ ଆସିଛୁ ବୋଲି କହିବା ପରେ ବି ସେ ଅତ୍ୟନ୍ତ କଦର୍ଯ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ତୁମ ସାମ୍ବାଦିକମାନଙ୍କ ରଙ୍ଗ ଛଡାଇଦେବି, ମୁଁ କିଏ ଜାଣିନ, ମୁଁ କାହାକୁ ଡରେନି । କୋଉ ଏସ୍‌ପି, ଆଇଜି, ଡିଆଇଜି କି ଡିଜି କେହି ମୋର କିଛି କରିପାରିବେନି, ତମେମାନେ ଯାହା କରୁଛ କର । ତମମାନଙ୍କୁ ଜଣଜଣ କରି ଦେଖିନେବି ବୋଲି ଧମକଚମକ ଦେଇଥିବା ଅଭିଯୋଗ ହୋଇଛି । ଏପରିକି କିଛି ପୁଲିସ କର୍ମଚାରୀଙ୍କୁ ଡାକି ସେମାନଙ୍କୁ ସେ ଅଟକ ରଖିବାକୁ ମଧ୍ୟ ଉଦ୍ୟମ କରିଥିବା ଜଣାପଡିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଯେତେବେଳେ ସାରା ରାଜ୍ୟରେ ପୁଲିସକୁ ଅଭିଯୋଗକାରୀ ଓ ସାଧାରଣ ଲୋକଙ୍କ ପ୍ରତି ସମ୍ବେଦନଶୀଳ ହେବାକୁ ନିର୍ଦ୍ଦେଶ ଦିଆଯାଉଛି, ଯେତେବେଳେ ପୁଲିସକୁ ଲୋକଙ୍କ ପୁଲିସ ଭାବେ ପରିଗଣିତ କରାଯିବାକୁ ଉଦ୍ୟମ କରାଯାଉଛି, କମ୍ୟୁନିଟିଂ ପୁଲିସିଂର କଥା କୁହାଯିବା ସହିତ ଆମ ପୁଲିସ ସମିତି ଗଠନ ଓ ଏହାଦ୍ୱାରା ପୁଲିସ ସେବାକୁ ବ୍ୟାପକ କରାଯିବା ପାଇଁ ପଦକ୍ଷେପ ନିଆଯାଉଛି ସେତେବେଳେ ନର୍ଲା ଥାନାଧିକାରୀ ଶ୍ରୀ ମେହେରଙ୍କ କାର୍ଯ୍ୟକଳାପ ଓ ସଚେତନ ନାଗରିକଙ୍କ ପ୍ରତି ବ୍ୟବହାର ଯୋଗୁଁ ପୁଲିସ ଉପରେ ଥିବା ଭରସା ତୁଟିଯାଉଛି । ସେହିପରି ରାଜ୍ୟ ପୁଲିସ ବିଭାଗ ମୋ ସରକାର ୫-ଟି ଅନ୍ତର୍ଭୁକ୍ତ ହେବା ପରେ ପୁଲିସ ବ୍ୟବସ୍ଥାରେ ଆହୁରି ସୁଧାର ଆସିବା ବଦଳରେ ନର୍ଲା ଥାନାଧିକାରୀ ଶ୍ରୀ ମେହେରଙ୍କ ଦୁର୍ବ୍ୟବହାର ସଚେତନ ନାଗରିକମାନଙ୍କୁ ଅତ୍ୟନ୍ତ ବ୍ୟଥିତ କରିଛି ବୋଲି ସେମାନେ ଦର୍ଶାଇଛନ୍ତି । ଥାନାକୁ ଯାଉଥିବା ଅନ୍ୟମାନଙ୍କ ପ୍ରତି ମଧ୍ୟ ତାଙ୍କ ବ୍ୟବହାର ଆଦୌ ଠିକ୍ ନଥିବାବେଳେ ପୁଲିସ ଭୟରେ ଲୋକେ କାନମୁଣ୍ଡ ଆଉଁଶି ଥାନାରୁ ଫେରିଆସୁଥିବା ଦୀର୍ଘ ଦିନ ଧରି ଅଭିଯୋଗ ହେଉଛି । ଜଣେ ଦାୟିତ୍ୱବାନ ପୁଲିସ ଅଫିସର ଭାବେ ସେ ସୌଜନ୍ୟମୂଳକ ବ୍ୟବହାର ଦେଖାଇବା ବଦଳରେ ଅଧଘଣ୍ଟା କାଳ ସେମାନଙ୍କୁ ତାଙ୍କ ଚ୍ୟାମ୍ବରରେ ଛିଡା କରାଇ ଅପରାଧୀ ଭଳି ଯେଉଁ ପ୍ରକାର ଧମକଚମକ ଓ ଦୁର୍ବ୍ୟବହାର କରିଛନ୍ତି, ଯାହା ମୋ ସରକାର ୫-ଟି ନିୟମର ବିରୁଦ୍ଧାଚରଣ କରିବା ସହିତ ସେମାନଙ୍କ ସର୍ବନିମ୍ନ ନାଗରିକ ଅଧିକାର କ୍ଷୂର୍ଣ୍ଣ କରିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ବର୍ତମାନ ସମୟରେ ଜଣେ ଅପରାଧୀଙ୍କୁ ମଧ୍ୟ ମାନବିକ ଅଧିକାରର ସୁରକ୍ଷା ଦିଆଯାଉଥିବାବେଳେ ଅଭିଯୋଗ ନେଇ ଥାନାକୁ ଯାଇଥିବା ସଚେତନ ନାଗରିକଙ୍କୁ ଅପରାଧୀଠାରୁ ଆହୁରି କୁତ୍ସିତ ବ୍ୟବହାର କରାଯିବା ଦ୍ୱାରା ସେମାନେ ଶାରୀରିକ ଓ ମାନସିକ ଭାବେ ଭୀଷଣ ଆଘାତପ୍ରାପ୍ତ ହୋଇଥିବା ଦର୍ଶାଇଛନ୍ତି । ଏହାସହିତ ଥାନାଧିକାରୀ ଶ୍ରୀ ମେହେର ପୁଲିସ ପଦବୀ ଓ କ୍ଷମତାର ଗର୍ବରେ ଧମକଚମକ ଦେବା ସହିତ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଭଳି ସେମାନଙ୍କୁ ମିଥ୍ୟା ମାମଲାରେ ଛନ୍ଦି ହଇରାଣ କରିବା ନେଇ ମଧ୍ୟ ଧମକ ଦେଇଛନ୍ତି । ପଦବୀରେ ଥିବା ହେତୁ ସେ ଉଦ୍ଦେଶ୍ୟମୂଳକ ଭାବେ ମିଥ୍ୟା ମାମଲାରେ ଛନ୍ଦି ହଇରାଣ କରିବାର ମଧ୍ୟ ଆଶଙ୍କା ରହିଛି ବୋଲି ଦର୍ଶାଇବା ସହିତ ନର୍ଲା ଥାନାଧିକାରୀ ଶ୍ରୀ ମେହେରଙ୍କ କାର୍ଯ୍ୟଶୈଳୀ ଓ ବ୍ୟବହାରକୁ ବିଭାଗୀୟ ତର୍ଜମା କରାଯିବା ସହିତ ତାଙ୍କୁ ତୁରନ୍ତ ନର୍ଲା ଥାନାରୁ ହଟାଯିବା ସହିତ ମାନବିକ ସମ୍ବେଦନା ଉପରେ ତାଙ୍କୁ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯିବାକୁ ସେମାନେ ଦାବି କରିଛନ୍ତି । ଏହାସହିତ ସେ ଦେଇଥିବା ଧମକଚମକ ଓ ଦୁର୍ବ୍ୟବହାର ପରିପ୍ରେକ୍ଷୀରେ ସେମାନେ ଅସୁରକ୍ଷିତ ମଣୁଥିବାରୁ ପୁଲିସ ପକ୍ଷରୁ ଏନେଇ ସୁନିଶ୍ଚିତ କରାଯିବା ସହ ନିର୍ବିରୋଧରେ ସେମାନଙ୍କୁ ନାଗରିକ ଅଧିକାର ସାବ୍ୟସ୍ତ କରିବାକୁ ସୁଯୋଗ ଦିଆଯିବାକୁ ଦାବି କରିଛନ୍ତି । ଥାନାଧିକାରୀଙ୍କ ଏତାଦୃଶ ବ୍ୟବହାରକୁ ସାରା ରାଜ୍ୟର ସାମ୍ବାଦିକ ମହଲରେ ନିନ୍ଦା କରାଯାଇଛି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.