ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଓଡ଼ିଶା ମାଟିର ସୁଯୋଗ୍ୟ ସନ୍ତାନ ବିଶିଷ୍ଟ କବି ଜୟନ୍ତ ମହାପାତ୍ରଙ୍କ ବିୟୋଗ ସାହିତ୍ୟ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ‘ଅମର ଜୟନ୍ତ’ କାର୍ଯ୍ୟକ୍ରମରେ ମତପ୍ରକାଶ ପାଇଛି। ଭବାନୀପାଟଣା ସ୍ଥିତ ହୋଟେଲ ଭାଗିରଥି ଇନ ଠାରେ ସମ୍ଭ୍ରାନ୍ତ ସାହିତ୍ୟ ପତ୍ରିକା ‘ମହୁରି’ ପକ୍ଷରୁ ଅନ୍ତର୍ଜାତୀୟ ଖ୍ୟାତନାମା କବି ଜୟନ୍ତ ମହାପାତ୍ରଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ‘ଅମର ଜୟନ୍ତ’ ଆୟୋଜିତ ହୋଇଯାଇଛି। ପ୍ରାରମ୍ଭରେ କବିଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳି ଅର୍ପଣ କରାଯାଇଥିଲା। ମହୁରି ସମ୍ପାଦକ ସୁକାନ୍ତ ସାହୁ ସ୍ୱାଗତ ଭାଷଣ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଏଥିରେ ମହୁରିର ମୁଖ୍ୟ ସମ୍ପାଦକ ଡ. ଭବାନୀ ଶଙ୍କର ନିଆଲ ଅଧ୍ୟକ୍ଷତା କରିଥିଲେ। ଜୟନ୍ତ ସାହିତ୍ୟର ଗବେଷକ ଡ. ତପନ ରଥ ଶ୍ରୀ ମହାପାତ୍ରଙ୍କ ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଦୁଇ ମିନିଟ ନୀରବ ପ୍ରାର୍ଥନା ପରେ ଉପସ୍ଥିତ କବିମାନେ ଶ୍ରୀ ମହାପାତ୍ରଙ୍କ ସ୍ମୃତିଚାରଣ କରିଥିଲେ। ସେହିପରି ତାଙ୍କର କିଛି କବିତାକୁ ଆବୃତ୍ତି କରାଯାଇଥିଲା। କାର୍ଯ୍ୟକ୍ରମରେ ଡ. ଉମେଶ ଚନ୍ଦ୍ର ଶତପଥୀ, ସୁଧୀର ରଞ୍ଜନ ମିଶ୍ର, ଲିଙ୍ଗରାଜ ପାତ୍ର, ବଙ୍କିମ କୁମାର ମୁଣ୍ଡ, ବିରଞ୍ଚି ନାରାୟଣ ମୁଣ୍ଡ, ଚନ୍ଦ୍ରଚୂଡ଼ ବେହେରା, ଯୁଧିଷ୍ଠିର ମୁଦୁଲି, ସଂଜୀବ କୁମାର ପଣ୍ଡା, ଡ. ଭରତ ବେହେରା, ସକିତ ରତେ, ସୁଧୀର ମେହେର, ସଂଜୀବ ମୁଣ୍ଡ, ଡିଲେଶ୍ୱର ରଣା, ବନଶ୍ରୀ ଦାଶ, ନିରୋଜ ପଟ୍ଟନାୟକ, ମହେନ୍ଦ୍ର ବାଗ, କୃଷ୍ଣଚନ୍ଦ୍ର ପ୍ରଧାନ, ଶ୍ରୀପତି ଯୋଶୀ ପ୍ରମୁଖ ଉପସ୍ଥିତ ଥିଲେ।