ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଦିଲ୍ଲୀରେ ଚଳିତ ମାସ ୯ ଓ ୧୦ ତାରିଖ ଦୁଇଦିନ ଧରି ଜି-୨୦ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସମୟରେ ବେଆଇନ ଘୋଷିତ ଶିଖ୍ ସଂଗଠନର ପ୍ରତିନିଧିମାନେ ଦିଲ୍ଲୀ ମେଟ୍ରୋ ଷ୍ଟେସନର କାନ୍ଥରେ ନିନ୍ଦନୀୟ ବାର୍ତ୍ତା ଲେଖିଥିବା ଘଟଣା ସାମ୍ନାକୁ ଆସିଛି। ଅନେକ ମେଟ୍ରୋ ଷ୍ଟେସନର କାନ୍ଥରେ ‘ଦିଲ୍ଲୀ ବନେଗା ଖାଲିସ୍ତାନ’ ଏବଂ ‘ଖାଲିସ୍ତାନୀ ରେଫରେଣ୍ଡମ୍ ଜିନ୍ଦାବାଦ’ ଭଳି ସ୍ଳୋଗାନମାନ ଲେଖାଯାଇଛି। ପଞ୍ଜାବୀ ବାଗ୍, ଶିବାଜୀ ପାର୍କ ମାଦିପୁର, ପଶ୍ଚିମ ବିହାର, ଉଦ୍ୟୋଗ ନଗର ଏବଂ ମହାରାଜା ସୁରଜମଲ ଭଳି ଷ୍ଟାଡିୟମରେ ଏସବୁ ଲେଖା ଦେଖିବାକୁ ମିଳିଛି। ଏଭଳି ଦେଶବିରୋଧୀ ନାରା ଲେଖିଥିବା ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଅଭିଯୁକ୍ତଙ୍କୁ ଦିଲ୍ଲୀ ପୋଲିସର ସ୍ପେଶାଲ ଟିମ୍ ଗିରଫ କରିଛି। ଗିରଫ ହୋଇଥିବା ୨ ଅଭିଯୁକ୍ତଙ୍କ ନାମ ପ୍ରୀତପାଲ ଓ ରାଜବିନ୍ଦର ସିଂହ ବୋଲି ଜଣାପଡ଼ିଛି। ପଞ୍ଜାବର ଫରିଦାକୋଟରେ ବସବାସ କରୁଥିବା ଏହି ୨ ଅଭିଯୁକ୍ତଙ୍କୁ ପଞ୍ଜାବ ପୋଲିସର ସହାୟତାରେ ଦିଲ୍ଲୀ ପୋଲିସ ଗିରଫ କରିଛି। ଦେଶବିରୋଧୀ ସ୍ଲୋଗାନ ଲେଖିବା ପାଇଁ ଶିଖ୍ ଫର୍ ଜଷ୍ଟିସ୍ର ଆତଙ୍କବାଦୀ ଗୁରୁପତନ୍ତ ସିଂ ପନ୍ନୁ ଏ ଦୁହିଁଙ୍କୁ ୪ଲକ୍ଷ ଟଙ୍କା ଦେଇଥିଲା ବୋଲି ଖବର ମିଳିଛି । ପଞ୍ଜାବର ସ୍ଥାନୀୟ ଅଞ୍ଚଳରେ ଏକ ଫ୍ୟାକ୍ଟ୍ରିରେ କାର୍ଯ୍ୟରତ ଥିବା ପ୍ରୀତପାଲ ସିଂହ, ସୋସିଆଲ ମିଡିଆ ଜରିଆରେ ଶିଖ୍ ଫର୍ ଜଷ୍ଟିସ୍ର ଆତଙ୍କବାଦୀ ଗୁରୁପତନ୍ତ ସିଂ ପନ୍ନୁ ସହିତ ସମ୍ପର୍କରେ ଥିଲା ।ଶିଖ୍ ଫର୍ ଜଷ୍ଟିସ୍ର ଆତଙ୍କବାଦୀ ଗୁରୁପତନ୍ତ ସିଂ ପନ୍ନୁ ଏହି ଘଟଣା ଘଟାଇବା ପାଇଁ ପ୍ରୀତପାଲ ଓ ରାଜବିନ୍ଦର ସିଂହଙ୍କୁ ୭ହଜାର ଡଲାର ଦେବା ପାଇଁ ଦାବି କରିଥିଲା ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଦୁଇ ଅଭିଯୁକ୍ତଙ୍କ ପାଖରେ କେବଳ ୩୫୦୦ ଡଲାର ପହଞ୍ଚିଛି । ଏହା ପୂର୍ବରୁ ଯେତେବେଳେ ପ୍ରୀତିପାଲ ଘରେ କେହି ଜଣେ ସଦସ୍ୟ ଅସୁସ୍ଥ ଥିଲେ ସେତେବେଳ ମଧ୍ୟ ଗୁରୁପତନ୍ତ ସିଂ ପନ୍ନୁ ପ୍ରୀତିପାଲକୁ ଏକ ଲକ୍ଷ ଟଙ୍କା ପଠାଇଥିଲା । ତେଣୁ ବର୍ତ୍ତମାନ ଏହି ଘଟଣାକୁ ନେଇ ପୋଲିସ୍ ଅଧିକ ତଦନ୍ତ ଜାରି ରଖିଛି।