ଓଡ଼ିଆ ବାର୍ତ୍ତା/ କୋଲକାତା (କୃଷ୍ଣ କୁମାର ମହାନ୍ତି): କେନ୍ଦ୍ର ସାହିତ୍ୟ ଏକାଡେମୀର କୋଲକାତା ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ଠାରେ ଯୁକ୍ତରାଷ୍ଟ୍ର ଆମେରିକାରେ ରହୁଥିବା ବିଶିଷ୍ଟ ବଙ୍ଗଳା କବି ତଥା ‘ଅଗ୍ରବୀଜ’ ପତ୍ରିକାର ସଂପାଦକ ସୌମ୍ୟ ଦାସଗୁପ୍ତଙ୍କ ସହିତ ଏକ ପ୍ରବାସୀ ମଞ୍ଚ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ସାହିତ୍ୟ ଏକାଡେମୀର ଆଂଚଳିକ ସଚିବ ଡକ୍ଟର ଦେବେନ୍ଦ୍ର କୁମାର ଦେବେଶ ସ୍ବାଗତ ଭାଷଣ ପ୍ରଦାନ କରିବା ପୂର୍ବକ ଏକାଡେମୀର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ତଥା ଅତିଥିଙ୍କ ସଂପର୍କରେ ସଂକ୍ଷିପ୍ତ ବିବରଣୀ ଦେଇଥିଲେ। ଶ୍ରୀ ସୌମ୍ୟ ଦାସଗୁପ୍ତଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ବିଶିଷ୍ଟ ବଙ୍ଗଳା କବି ପ୍ରଫେସର ସୁବୋଧ ସରକାର। ଅତିଥି କବିଙ୍କ ସମ୍ପର୍କରେ ସେ ସଂକ୍ଷିପ୍ତ ଚର୍ଚ୍ଚା ମଧ୍ୟ କରିଥିଲେ।
ଶ୍ରୀ ଦାସଗୁପ୍ତ ନିଜ ବକ୍ତବ୍ୟରେ ଆମେରିକାରେ ବଙ୍ଗଳା ସାହିତ୍ୟର ଗତିବିଧି ସମ୍ପର୍କରେ ଉଲ୍ଲେଖ କରିଥିଲେ। ଏଥିସହିତ ସେ ‘ପିତୃତର୍ପଣ’, ‘ଭିଏନା ୨୦୦୦’, ‘ନ୍ୟୁଜଗ୍ରୁପ୍’, ‘ଚଲୋ ସମୟର ଡେନା’ ଆଦି ସ୍ବରଚିତ କବିତା ପାଠ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ସେ ଉପସ୍ଥିତ ଶ୍ରୋତାଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟକ କବି, ଲେଖକ ଓ ବିଦ୍ବାନ୍ ଯୋଗ ଦେଇଥିଲେ।
ଶେଷରେ ସାହିତ୍ୟ ଏକାଡେମୀ, କୋଲକାତାର ସହକାରୀ ସଂପାଦକ କ୍ଷେତ୍ରବାସୀ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।