ପଦ୍ମ ସମ୍ମାନ: ଓଡ଼ିଶା ପାଇଁ ଗୌରବ

● ପ୍ରତିଭା ରାୟ

ପଦ୍ମଭୂଷଣ ପାଇଁ ମନୋନୀତ ହୋଇଥିବା ପ୍ରସିଦ୍ଧ ଲେଖିକା ପ୍ରତିଭା ରାୟଙ୍କ ଘର ଜଗତସିଂହପୁର ବାଲିକୁଦା ଅଞ୍ଚଳର ଅଳାବୋଳ ଗାଁରେ। ବାଲ୍ୟକାଳରୁ ସାହିତ୍ୟ ପ୍ରତି ଆକର୍ଷିତ ହୋଇ ସେ ଲେଖାଲେଖି ଆରମ୍ଭ କରିଥିଲେ। ତରୁଣ ବୟସରୁ ପ୍ରତିଭାଙ୍କ ଲେଖା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଉଆସୁଥିଲା। ୧୯୫୫ରେ ପ୍ରଥମେ ତାଙ୍କର କବିତାଟିଏ ଏବଂ ୧୯୬୧ରେ ପ୍ରଥମ ଗଳ୍ପ ‘ଚାବି’ ପ୍ରକାଶ ପାଇଥିଲା। ୧୯୭୪ରେ ‘ବର୍ଷା ବସନ୍ତ ବୈଶାଖ’ ଉପନ୍ୟାସ ପ୍ରକାଶ ପାଇବା ପରେ ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତାଙ୍କ ଉପନ୍ୟାସ ‘ଯାଜ୍ଞସେନୀ’ ୧୯୮୫ରେ ପ୍ରଥମେ ପ୍ରକାଶ ପାଇଥିଲା। ପରେ ପରେ ଏହାର ଶତାଧିକ ସଂସ୍କରଣ ଛପା ହୋଇସାରିଛି ଏବଂ ବହୁ ଭାରତୀୟ ଓ ବିଦେଶୀ ଭାଷାରେ ଅନୂଦିତ ହୋଇଛି। ତାଙ୍କର ଅନ୍ୟ ଚର୍ଚ୍ଚିତ ଉପନ୍ୟାସ ମଧ୍ୟରେ ରହିଛି ‘ନିଷିଦ୍ଧ ପୃଥିବୀ’, ‘ପରିଚୟ’, ‘ପୁଣ୍ୟତୋୟା’, ‘ଅପରିଚିତା’, ‘ଆଶାବରୀ’, ‘ଅୟମାରମ୍ଭ’, ‘ନୀଳତୃଷ୍ଣା’, ‘ମହାରାଣୀପୁତ୍ର’, ‘ଉତ୍ତରମାର୍ଗ’, ‘ଶିଳପଦ୍ମା’ ଏବଂ ‘ମଗ୍ନମାଟି’ ଇତ୍ୟାଦି। ବଣ୍ଡା ଜନଜାତିର ଜୀବନ ଓ ସଂସ୍କୃତି ଆଧାରିତ ଉପନ୍ୟାସ ‘ଆଦିଭୂମି’ ତାଙ୍କର ଅନ୍ୟତମ ଉଲ୍ଲେଖନୀୟ କୃତୀ। ତାଙ୍କର ଗଳ୍ପ ସଙ୍କଳନ ହେଉଛି ‘ସାମାନ୍ୟକଥନ’, ‘ହାତବାକ୍ସ’, ‘ଭଗବାନର ଦେଶ’, ‘ମୋକ୍ଷ’, ‘ଉଲ୍ଲଂଘନ’, ‘ଗାନ୍ଧୀଙ୍କ ଗାଁ’, ‘ଅବ୍ୟକ୍ତ’ ଏବଂ ‘ଝୋଟିପକା କାନ୍ଥ’ ଇତ୍ୟାଦି। ‘ଚିରଦିନ ଦୋ ଦୋ ଚିହ୍ନା’ ଶୀର୍ଷକରେ ତାଙ୍କର ଗୋଟିଏ କବିତା ସଙ୍କଳନ ଏବଂ ଗୀତ ସଙ୍କଳନ ‘ଅଜଣା ଏଇ ନଈ’ ପ୍ରକାଶିତ। ତାଙ୍କର କେତେକ ପ୍ରବନ୍ଧ ସଙ୍କଳନ ଏବଂ ଭ୍ରମଣ କାହାଣୀ ମଧ୍ୟ ପ୍ରକାଶିତ। ଶ୍ରୀମତୀ ରାୟ ଏକ ଆଦିବାସୀ ବିଦ୍ୟାଳୟରେ ଶିକ୍ଷକତାରୁ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ପରେ ରେଭେନ୍ସା କଲେଜ ତଥା ଅନ୍ୟାନ୍ୟ ସରକାରୀ କଲେଜରେ ୨୯ ବର୍ଷ ଧରି ଅଧ୍ୟାପନା କରିଛନ୍ତି। ୧୯୯୮ରେ ପ୍ରଫେସର ଭାବେ ସ୍ବେଚ୍ଛାକୃତ ଅବସର ଗ୍ରହଣ କଲାପରେ ଛଅ ବର୍ଷ ଧରି ଓଡ଼ିଶା ଲୋକସେବା ଆୟୋଗର ସଦସ୍ୟ ପଦବିରେ ସଫଳତାର ସହ ଦାୟିତ୍ବ ନିର୍ବାହ କରିଥିଲେ। ୨୦୧୮ରୁ ସେ ଭାରତୀୟ ଜ୍ଞାନପୀଠର ଅଧ୍ୟକ୍ଷା ଅଛନ୍ତି। ୨୦୦୭ରେ ପଦ୍ମଶ୍ରୀ ଉପାଧି ପାଇବା ସହିତ ସେ ଜ୍ଞାନପୀଠ ପୁରସ୍କାର, ମୂର୍ତ୍ତିଦେବୀ ପୁରସ୍କାର, କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର, ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର, ଶାରଳା ପୁରସ୍କାର, ଅମୃତ କୀର୍ତ୍ତି ପୁରସ୍କାର, ରାଜୀବଗାନ୍ଧୀ ସଦ୍‌ଭାବନା ପୁରସ୍କାର ଆଦି ଅନେକ ପୁରସ୍କାର ଓ ସମ୍ମାନ ଲାଭ କରିଛନ୍ତି। ନିଜ ସ୍ବାମୀଙ୍କ ସ୍ମୃତିରେ ସେ ‘ଅକ୍ଷୟ ଉପନ୍ୟାସ’ ପୁରସ୍କାର ପ୍ରତିଷ୍ଠା କରିଛନ୍ତି।

● ବାବା ବଳିଆ

ଭକ୍ତିମାର୍ଗର ସନ୍ଥ, ସନାତନ ଧର୍ମ ପ୍ରଚାରକ କର୍ମଯୋଗୀ ପୂଜ୍ୟପୂଜକ ବାବା ବଳିଆଙ୍କୁ ଆଜି ପଦ୍ମଶ୍ରୀ ଘୋଷଣା କରାଯିବା ପରେ ସମଗ୍ର ଓଡ଼ିଶା ତଥା ଜଗତସିଂହପୁର ଜିଲ୍ଲାବାସୀ, ବଳିଆଙ୍କ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ବଳିଆ ସମ୍ବୋଧନ ଯୋଗୁଁ ସେ ବଳରାମ ଦାସ ନାମରୁ ବାବା ବଳିଆ ଭାବେ ସବୁଠି ପରିଚିତ। ନାମାଚାର୍ଯ୍ୟ ବାବା ବାୟାଙ୍କୁ ନିଜର ମାନସ ଗୁରୁ ଭାବେ ଗ୍ରହଣ କରି ଠାକୁର ନିଗମାନନ୍ଦ ସଂପ୍ରଦାୟରୁ ସେ ଦୀକ୍ଷା ଗ୍ରହଣ କରିଥିଲେ। ଏହାପରେ ଗଣେଶ ଦାସ ମହରାଜଙ୍କଠାରୁ ଭେକ ଗ୍ରହଣ କରି ସନ୍ନ୍ୟାସ ମନ୍ତ୍ରରେ ଅଭିମନ୍ତ୍ରିତ ହୋଇ ଗୌଡ଼ୀୟ ବୈଷ୍ଣବ ଭାବେ ଜୀବନଯାପନ କରୁଛନ୍ତି। ଅତି ସାଧାରଣ ମଣିଷର ଜୀବନ ପ୍ରଣାଳୀ ସହ ସମସ୍ତଙ୍କ ସୁଖଦୁଃଖରେ ଛିଡ଼ା ହେଉଛନ୍ତି। ଘର ପରିବାର ଛାଡ଼ି ମାତ୍ର ୧୭ ବର୍ଷରୁ ସମାଜରୁ ଅନ୍ଧବିଶ୍ବାସ, କୁସଂସ୍କାର ବିରୋଧରେ ସ୍ବର ଉତ୍ତୋଳନ କରି ଆସୁଛନ୍ତି ସେ।
ବାବା ବଳିଆଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିବା ପରେ କେବଳ ତିର୍ତୋଲ ଅରିଲୋ ଅଞ୍ଚଳ ନୁହେଁ ସମଗ୍ର ଜିଲ୍ଲାବାସୀ ବେଶ୍ ଖୁସି ହୋଇଯାଇଛି। ପ୍ରତିକ୍ରିୟାର ବାବା ବଳିଆ ଯାହା କହିଛନ୍ତି,‘ ପଦ୍ମଶ୍ରୀ ସମ୍ମାନ ପାଇଁ ଆଜି ମୁଁ ବେଶ ଆନନ୍ଦିତ ଓ ଉତ୍ସାହିତ। ଏହି ସମ୍ମାନ ମୋତେ ମୋ କାମ କରିବାରେ ଅଧିକ ଉତ୍ସାହିତ କରିବେ। ମୁଁ ସର୍ବଦା କାମରେ ବିଶ୍ବାସ କରେ। କଥା କହି ମୁଁ ନିଜର ପରିଚୟ ସୃଷ୍ଟି କରିନାହିଁ।’

● ଶ୍ୟାମାମଣି ଦେବୀ

ଜୀବନବ୍ୟାପୀ ଶାସ୍ତ୍ରୀୟ ସଂଗୀତ ସାଧନା ପାଇଁ କଟକ ଝିଅ କୋକିଳ କଣ୍ଠୀ ଡକ୍ଟର ଶ୍ୟାମାମଣି ଦେବୀ ପଦ୍ମଶ୍ରୀ ସମ୍ମାନ ପାଇବାକୁ ଚୟନ ହୋଇଛନ୍ତି। ୧୯୩୮ମସିହା ଡିସେମ୍ବର ୨୧ତାରିଖରେ କଟକ ଜିଲ୍ଲା ସୁବର୍ଣ୍ଣପୁର ଗ୍ରାମରେ ରାଜେନ୍ଦ୍ର ମୋହନ ପଟ୍ଟନାୟକ-ନିଶାମଣି ଦେବୀଙ୍କ କୋଳମଣ୍ଡନ କରିଥିଲେ। ତାଙ୍କ ବାପା, ମା’, ବଡ଼ବାପା କବିଚନ୍ଦ୍ର କାଳିଚରଣ ପଟ୍ଟନାୟକ ସମସ୍ତେ ଥିଲେ ସଂଗୀତ ଶିଳ୍ପୀ। ମାତ୍ର ୧୨ବର୍ଷରେ ସେ ଶିଶୁ କଣ୍ଠଶିଳ୍ପୀ ଭାବେ ଅଲ୍‌ ଇଣ୍ଡିଆ ରେଡ଼ିଓରେ ଗାଇବା ସହିତ ସଂଗୀତ ଶିକ୍ଷା ମଧ୍ୟ କରୁଥିଲେ। ଶୈଳବାଳା ମହାବିଦ୍ୟାଳୟରୁ ବିଏ ଡିଗ୍ରି ହାସଲ କରିବା ସହ କଟକ ସଂଗୀତ ନାଟକ ଏକାଡେମିରୁ ସଂଗୀତ ବିଶାରଦ ଡିଗ୍ରି ହାସଲ କରିଥିଲେ। ନ୍ୟାସନାଲ ମ୍ୟୁଜିକ୍ ଆସୋସିଏସନର ଗୁରୁ ସଂଘାରୀ ଶ୍ୟାମସୁନ୍ଦର କର ଓ ଗୁରୁ ସଂଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ ଓଡ଼ିଶୀ କଣ୍ଠ ସଂଗୀତ ଶିକ୍ଷା କରିଥିଲେ। ସେ ଓଡ଼ିଶୀ ସହ ଗୁରୁ କଣ୍ଡଳା ଆଦିନାରାୟଣ ରାଓଙ୍କ ଠାରୁ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଂଗୀତ ଶିକ୍ଷା କରିଥିଲେ। ପରେ ‌ମୁମ୍ବାଇରୁ ସଂଗୀତ ଶିକ୍ଷାରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିଲେ। ପୁନେର ଗନ୍ଧର୍ବ ମହାବିଦ୍ୟାଳୟର ପ୍ରଫେସର ବି.ଆର୍. ନବରଙ୍ଗଠାରୁ ହିନ୍ଦୁସ୍ଥାନୀ ଭୋକାଲ ଓ ପ୍ରଫେସର ବି.ଆର୍ ଦେଓଧରଙ୍କଠାରୁ ଠୁମୁରି, ମୁମ୍ବାଇର ନିର୍ମଳା ଦେବୀ(ଅଭିନେତା ଗୋବିନ୍ଦାଙ୍କ ମା) ଓ ପଣ୍ଡିତ ଲକ୍ଷ୍ମୀଶଙ୍କରଠାରୁ ଲାଇଟ୍ କ୍ଲାସିକାଲ ସଂଗୀତ ଶିକ୍ଷା କରିଥିଲେ। ଏହାବ୍ୟତୀତ ସେ ଲତା ମ‌େଙ୍ଗସକର, ନୁର୍‌ଜାହାନ, ରାଜ୍‌କୁମାରୀ ଦେବୀଙ୍କ ଠାରୁ ମଧ୍ୟ ସଂଗୀତ ଶିକ୍ଷା କରିଛନ୍ତି। ପଦ୍ମଶ୍ରୀ ସମ୍ମାନ ବିଷୟରେ ଟିଭିରୁ ଖବର ଜାଣିବା ପରେ ସେ ସଙ୍ଗେ ସଙ୍ଗେ ତାଙ୍କ ସଂଗୀତ କୋଠରୀ ଯାଇ ଶ୍ରୀଜଗନ୍ନାଥଙ୍କ ସମେତ ତାଙ୍କ ପିତାମାତା, ସମସ୍ତ ସଂଗୀତ ଗୁରୁଙ୍କୁ ପ୍ରମାଣ କରିଥିଲେ। ପ୍ରତିକ୍ରିୟାରେ ଡକ୍ଟର ଶ୍ୟାମାମଣି ଦେବୀ କହିଛନ୍ତି ଯେ, ୮୪ବର୍ଷ ବୟସରେ ପଦ୍ମଶ୍ରୀ ମିଳିଥିଲେ ମଧ୍ୟ ସେ ଦୁଃଖ କରିନାହାନ୍ତି। ପଦ୍ମଶ୍ରୀ ପାଇବା ଖବର ଜାଣିବା ପରେ ଖୁସି ଲାଗିବା ସ୍ବାଭାବିକ। ’

● ପ୍ରମୋଦ ଭଗତ

ଅନେକ ପ୍ରତିବନ୍ଧକକୁ ନିଜ ସାମର୍ଥ୍ୟରେ ରୂପାନ୍ତର କରିଥିବା ପାରା ବ୍ୟାଡମିଣ୍ଟନ୍‌ ତାରକା ପ୍ରମୋଦ ଭଗତ ବର୍ଷକ ଭିତରେ ସଫଳତାର ସବୁ ଶିଡ଼ି ଚଢ଼ିଛନ୍ତି।
୪ ଜୁନ ୧୯୮୮ ମସିହାରେ ଜନ୍ମିତ ପ୍ରମୋଦ ଚାରି ବର୍ଷ ବୟସରୁ ପୋଲିଓ ରୋଗରେ ଆକ୍ରାନ୍ତ ହୋଇଥିଲେ। ନିଜ ଘର ପାଖ ଗଳିରେ ସାଙ୍ଗମାନଙ୍କୁ ଖେଳିବାର ଦେଖି ସେ ୨୦୦୨ ମସିହାରୁ (୧୪ ବର୍ଷରୁ) ବ୍ୟାଡମିଣ୍ଟନ ଖେଳିବା ଆରମ୍ଭ କରିଥିଲେ। ଏକ ଘନିଷ୍ଠ ବନ୍ଧୁଙ୍କ ଘରର ଛାତ ଉପରେ ସେ ଅଭ୍ୟାସ କରୁଥିଲେ। ସକ୍ଷମ ଖେଳାଳିଙ୍କୁ ହରାଇବା ପରେ ସେ ୨୦୦୬ ମସିହାରେ ପ୍ରତିଦ୍ବନ୍ଦ୍ବିତାମୂଳକ ପାରା-ବ୍ୟାଡମିଣ୍ଟନରେ ଖେଳିବା ଆରମ୍ଭ କରିଥିଲେ। ସକ୍ଷମ ଖେଳାଳିମାନଙ୍କ ସହିତ ଖେଳି ସେ ପ୍ରଥମେ ଜିଲ୍ଲା-ସ୍ତରରରେ ବିଜେତା ହୋଇଥିଲେ। ଏହାପରେ ସେ ପାରା-ବ୍ୟାଡମିଣ୍ଟନରେ ଖେଳିବା ଆରମ୍ଭ କରିଥିଲେ। ସେ ଅନେକ ଜାତୀୟ ସ୍ତରୀୟ ପଦକ ଜିତିଥିଲେ। ଖେଳ ଜୀବନରେ ଅଦ୍ୟାବଧି ୫୦ରୁ ଊର୍ଧ୍ବ ପଦକ ଜିତି ସାରିଥିବା ପ୍ରମୋଦ ୨୦୧୯ରେ ‌ପାରା-ବ୍ୟାଡମିଣ୍ଟନର ଏସ୍‌ଏଲ-ଥ୍ରୀ ବର୍ଗରେ ବିଶ୍ୱର ଏକ ନମ୍ବର ଖେଳାଳି ହୋଇଥିଲେ। ଓଡ଼ିଶାର ଅନୁନ୍ନତ ବରଗଡ଼ ଜିଲ୍ଲା ଅତାବିରାରୁ ଆସି ବିଶ୍ବ ଦରବାରରେ ରାଜ କରୁଥିବା ପ୍ରମୋଦ ୨୦୧୯ରେ ଅର୍ଜୁନ ପୁରସ୍କାର ପାଇଥିଲେ। ଗତବର୍ଷ ଟୋକିଓ ପାରା ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିବା ପରେ ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର ମଧ୍ୟ ଅର୍ଜନ କରିଥିଲେ। ଆଇଟିଆଇ ପଢ଼ି ନିଜ ପରିବାର ଚଳାଇବାକୁ ସ୍ବପ୍ନ ଦେଖିଥିବା ପ୍ରମୋଦଙ୍କ ଜୀବନକୁ କିନ୍ତୁ ବ୍ୟାଡମିଣ୍ଟନ୍‌ ସମ୍ପୂର୍ଣ୍ଣ ବଦଳାଇ ଦେଇଛି। ଅଜସ୍ର ପୁରସ୍କାର, ସମ୍ମାନ ସହ ଖ୍ୟାତି ପରେ ଏବେ ସେ ଓଡ଼ିଶାର ଜଣେ କିଂବଦନ୍ତି ବ୍ୟକ୍ତିତ୍ବ ।

● ଗୁରୁପ୍ରସ‌ାଦ ମହାପାତ୍ର

ପୂର୍ବତନ ଆଇଏଏସ୍‌ ସ୍ବର୍ଗତ ଡଃ. ଗୁରୁପ୍ରସାଦ ମହାପାତ୍ରଙ୍କୁ ମରଣୋତ୍ତର ପଦ୍ମଶ୍ରୀ ପୁରସ୍କାର ପାଇଁ ଚୟନ କରାଯାଇଛି। ଗତବର୍ଷ ଜୁନ୍‌ ୧୯ରେ କେନ୍ଦ୍ର ଶିଳ୍ପ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ବିକାଶ ବିଭାଗ (ଡିପିଆଇଆଇଟି)ର ସଚିବ ରୂପେ କାର୍ଯ୍ୟ କରୁଥିବା ବେଳେ କରୋନାରେ ସେ ପ୍ରାଣ ହରାଇଥିଲେ। ଗୁରୁପ୍ରସାଦ ଚଳିତ ବର୍ଷ ଏପ୍ରିଲ ୩୦ରେ ଅବସର ଗ୍ରହଣ କରିଥାନ୍ତେ। ପ୍ରଖ୍ୟାତ ଓଡ଼ିଆ ସାହିତ୍ୟିକ ସ୍ବର୍ଗତ ମହାପାତ୍ର ନୀଳମଣି ସାହୁଙ୍କ ‌ସେ କନିଷ୍ଠ ପୁତ୍ର ଥିଲେ। ଭୁବନେଶ୍ବରରେ ଜନ୍ମଗ୍ରହଣ କରିଥିବା ଗୁରୁପ୍ରସାଦ ବିଜେବି କଲେଜ ଏବଂ ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟରୁ ଉଚ୍ଚ ଶିକ୍ଷା ଲାଭ କରିଥିଲେ। ପରବର୍ତ୍ତୀ ସମୟରେ ସେ ଆଇଏଏସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ୧୯୮୬ ମସିହାରେ ଗୁଜରାଟ କ୍ୟାଡର୍‌ରେ ଯୋଗ ଦେଇଥିଲେ। ସେ ସୁରତ ମହାନଗର ନିଗମର କମିସନର ଭାବେ ଉଲ୍ଲେଖନୀୟ କାର୍ଯ୍ୟ କରି ଚର୍ଚ୍ଚାକୁ ଆସିଥିଲେ। ବୟନ ଶିଳ୍ପ ପେଣ୍ଠସ୍ଥଳୀ ସୁରତକୁ ଏକ ଆଦର୍ଶ ନଗରରେ ପରିଣତ କରିଥିଲେ। ୨୦୧୪ରେ କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାର କ୍ଷମତାକୁ ଆସିବା ପରେ ଗୁରୁପ୍ରସାଦ କେନ୍ଦ୍ରୀୟ ଡେପୁଟେସନ୍‌ରେ ଆସି ବାଣିଜ୍ୟ ବିଭାଗର ଯୁ୍ଗ୍ମ ସଚିବ ରୂପେ କାର୍ଯ୍ୟଭାର ସମ୍ଭାଳିଥିଲେ। ସେ ଏହି ବିଭାଗର ସ୍ବତନ୍ତ୍ର ଅର୍ଥନୈତିକ ଜୋନ୍‌ଗୁଡ଼ିକର ବିକାଶ ସହ ବହୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ସମ୍ଭାଳିଥିଲେ। ଏହାପରେ ସ୍ବର୍ଗତ ମହାପାତ୍ର ଭାରତୀୟ ବିମାନ ବନ୍ଦର ପ୍ରାଧିକରଣର ଅଧ୍ୟକ୍ଷ ରୂପେ ନିଯୁକ୍ତି ପାଇଥିଲେ। ଦେଶର ବିମାନ ବନ୍ଦରଗୁଡ଼ିକର ଭିତ୍ତିଭୂମି ବିକାଶ ସହିତ ଛୋଟଛୋଟ ସହରମାନଙ୍କରେ ବିମାନ ଭିତ୍ତିଭୂମି ପ୍ରତିଷ୍ଠା କରିବାରେ ତାଙ୍କର ବିଶେଷ ଅବଦାନ ଥିଲା। ୨୦୧୯ରେ ସେ ଡିପିଆଇଆଇଟିର ସଚିବ ରୂପେ ଦାୟିତ୍ବ ଗ୍ରହଣ କରିଥିଲେ। ୨୦୨୦ ମାର୍ଚରେ ଦେଶରେ କରୋନାର ପ୍ରଥମ ଲହର ସମୟରେ କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଗଠନ କରାଯାଇଥିବା କ୍ଷମତାସଂପନ୍ନ ଗୋଷ୍ଠୀ-୨ର ଅଧ୍ୟକ୍ଷ ଭାବେ ଦେଶରେ ଅକ୍ସିଜେନ୍‌ ଯୋଗାଣକୁ କି ଭଳି ସୂଚାରୁରୂପେ କାର୍ଯ୍ୟକାରୀ କରାଯିବ ସେ ନେଇ ବିସ୍ତୃତ ଯୋଜନା ପ୍ରସ୍ତୁତ କରିଥିଲେ।

● ନରସିଂହ ପ୍ରସାଦ ଗୁରୁ

ବଲାଙ୍ଗୀରର ଅନନ୍ୟ ସାରସ୍ୱତ ସାଧକ ତଥା ବିଶିଷ୍ଟ ସାହିତ୍ୟିକ, ଅଭିଜ୍ଞ ଶିକ୍ଷାବିତ, ଶିଶୁ ସାହିତ୍ୟିକ ଓ ଅଭିଧାନକାର ନରସିଂହ ପ୍ରସାଦ ଗୁରୁଙ୍କ ନାମ ପଦ୍ମଶ୍ରୀ ପାଇଁ ଆଜି ଘୋଷଣା ହେବା ପରେ ବଲାଙ୍ଗୀରରେ ଖୁସିର ମାହୋଲ ସୃଷ୍ଟି ହୋଇଛି। ବଲାଙ୍ଗୀର ରାମଜୀପଡ଼ା ନିବାସୀ ଶ୍ରୀ ଗୁରୁ ଓଡ଼ିଆ ଭାଷା ତଥା ପଶ୍ଚିମ ଓଡ଼ିଶାରେ ପ୍ରଚଳିତ କୋଶଲି ଭାଷା, ସାହିତ୍ୟ ସଂସ୍କୃତିର ମହାନତା ଓ ବୈଶିଷ୍ଟ୍ୟକୁ ସୁପ୍ରତିଷ୍ଠିତ କରିବା ପାଇଁ ଦୀର୍ଘ ଅର୍ଦ୍ଧ ଶତାବ୍ଦୀ ଧରି ସାଧନାରତ। ୧୫ ଅକ୍ଟୋବର ୧୯୩୨ରେ ଜନ୍ମିତ ଶ୍ରୀ ଗୁରୁ ଅନେକ ଚମତ୍କାର ପୁସ୍ତକ ରଚନା କରିଛନ୍ତି। ଶିକ୍ଷକତା ଜୀବନରେ ରହି ପିଲାଙ୍କୁ ଶିକ୍ଷାଦାନ କରିବା ସହ ସେ ଭାଷା ସଂସ୍କୃତିର ଗବେଷଣାରେ ଅନେକ ସମୟ ଦେଇଛନ୍ତି। ନିରବଚ୍ଛିନ୍ନ ଉଦ୍ୟମ କରି ଉଭୟ ଓଡ଼ିଆ ଏବଂ କୋଶଲି ସାହିତ୍ୟରେ ଲେଖିଆସିଛନ୍ତି। ଶିଶୁ ସାହିତ୍ୟ, ଲୋକକଥା-କଥନିକା, ଗୀତିକବିତା, ଉପନ୍ୟାସ, ନାଟକ ଆଦି ସାହିତ୍ୟର ବିଭିନ୍ନ ବିଭାଗରେ ଲେଖାଲେଖି କରି ସେ ସଫଳ ହୋଇଛନ୍ତି। ଶିକ୍ଷକତା ଜୀବନରୁ ଅବସର ନେବା ପରେ ମଧ୍ୟ ପରିଣତ ବୟସରେ ଏବେ ମଧ୍ୟ ସୃଜନୀ କର୍ମରେ ସେ ଚଳଚଞ୍ଚଳ। ତାଙ୍କ ରଚିତ ଉପନ୍ୟାସ ଭିତରେ ତୀର୍ଥ ମାଟି, ମାଟି ଓ ଆକାଶ, ମୁଠାଏ ମାଟି। ସେହିପରି ସାହିତ୍ୟ କୃତି ଓ ଗବେଷଣା ପୁସ୍ତକ ଭିତରେ କୋଶଲି ଶିଶୁ କଥା, ପଶ୍ଚିମ ଓଡ଼ିଶାର ଲୋକ ସାହିତ୍ୟ ସମ୍ପଦ, ଉଦିଆଁ ଜନ। ଅନୁବାଦ ବ୍ୟଙ୍ଗ ଉପନ୍ୟାସ ନରକକୁ ଯାଅ ହେ ସାଧୁମାନେ ଇତ୍ୟାଦି ଅନେକ ପୁସ୍ତକ ରଚନା କରିଛନ୍ତି। ସବୁଠୁ ଚର୍ଚ୍ଚିତ ପୁସ୍ତକ ଭିତରେ ୨୦୧୬ ମସିହାରେ ପ୍ରକାଶିତ କୋଶଲି-ଓଡ଼ିଆ ଅଭିଧାନ। ଯାହାକି ଆଞ୍ଚଳିକ ଭାଷା ପ୍ରତି ତାଙ୍କର ଶ୍ରେଷ୍ଠ ଅବଦାନ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.