ସୋନପୁର,୧୧/୩ : ସୁବର୍ଣ୍ଣପୁରର ସାଂସ୍କୃତିକ ଅନୁଷ୍ଠାନ ‘ପଏଁରୀ’ ପକ୍ଷରୁ ଗୋଧନେଶ୍ୱର ମନ୍ଦିର ପ୍ରାଙ୍ଗଣରେ ‘ଘୁମୁରୀ ଘୁମୁରୀ କାନ୍ଦୁଛେ ମୁହୁରୀ’ ଶୀର୍ଷକ ଏକ ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅନୁଷ୍ଠାନର ସଭାପତି ଲଡୁକିଶୋର ମଲ୍ଲିକ ସଭାକାର୍ଯ୍ୟ ପରିଚାଳନ କରିଥିବା ବେଳେ ବରିଷ୍ଠ କଳାକାର ଗୋକୁଳ ମାଝୀ ଓ ଭୁଷଣ ଦେହୁରୀ ଆଲୋଚକ ଭାବରେ ଯୋଗଦାନ କରି ମୁହୁରୀ ବ୍ୟବହାରର ବିଶେଷତ୍ୱ ଉପରେ ବିଶଦ ଆଲୋକପାତ କରି ଏଭଳି ଲୋକବାଦ୍ୟ ବର୍ତ୍ତମାନ ଅବକ୍ଷୟମୁଖି ହୋଇଥିବାରୁ ଗଭୀର କ୍ଷୋଭ ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ବାବୁଲା ଥନାପତି ଓ ଭୀମ ଥନାପତି ମୁହୁରୀ ବାଦ୍ୟର ସ୍ୱାତନ୍ତ୍ରତା ଉପରେ ଆଲୋକପାତ କରିଥିଲେ । ପ୍ରଥମେ ଲୋକକଳାର ଗବେଷକ ତଥା ପଏଁରୀ ଅନୁଷ୍ଠାନର ସମ୍ପାଦକ ଚୌଧୁରୀ ବିଭାର କର୍ମଶାଳାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସହିତ ଉଡାନ, ଚଘେନ, କାଟେନ, ଉତରେନ, ମୁଡେନ, ଛିଡେନ, ବଢେନ ଆଦି ପାର୍ ବିଷୟରେ ବିଭିନ୍ନ ପ୍ରକାର ମୁହୁରୀର ସ୍ୱର ଉପରେ ଆଲୋକପାତ କରିଥିଲେ ।
ପ୍ରତ୍ୟେକ ଶୁଭ କାର୍ଯ୍ୟକ୍ରମରେ ମୁହୁରୀ ବାଜୁଥିଲା ବୋଲି ଉପସ୍ଥିତ ବକ୍ତା ମାନେ ମତ ପ୍ରକାଶ କରିଥିଲେ । ଏଥିରେ ବରିଷ୍ଠ ମୁହୁରିଆ ଝଗୁଡୁ ଗର୍ଢିଆ, ଗେଁଠୁ ନାଏକ, ଶିବ ନାଏକ, ଶିବ ବଂଛୁର, ମାଲୁ ନାଏକ ଆଦି ମୁହୁରୀର ତିଆରି ଓ ସ୍ୱର ଉପରେ ଆଲୋଚନା କରିଥିଲେ । ଶେଷରେ ଅରୁଣ ଦେହୁରୀ ଧନ୍ୟବାଦ ପ୍ରଦାନ କରିଥିଲେ । ଏଥିରେ ଅନୁଷ୍ଠାନର ଶୁକୃୁ ବେହରା, ସନ ବଘାର, ଛବି ସେଠୀ, ହଳଧର ପ୍ରଧାନ, ବିଜେ ପ୍ରଧାନ, ଚନ୍ଦ୍ର ପଧାନ, ବନ୍ଧ ପଧାନ, ତପନ ନାଏକ ପ୍ରମୁଖ ସହଯୋଗ କରିଥିଲେ ।