ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ମହିଳା ଓ ଶିଶୁ ବିକାଶ ନିମନ୍ତେ ସମନ୍ୱିତ ଶିଶୁ ବିକାଶ ଯୋଜନାରେ ସରକାର କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି ସତ କିନ୍ତୁ ଆଦିବାସୀ ଅଧ୍ୟୁଷିତ ଲାଞ୍ଜିଗଡ଼ ବ୍ଳକ ଦୁର୍ଗମ ଅଞ୍ଚଳରେ ଏହି ଯୋଜନା ବାଟବଣା ହେଉଥିବା ଅଭିଯୋଗ ହେଉଛି। ବର୍ଷ ବର୍ଷ ଧରି ବ୍ଲକର ଉପାନ୍ତ ଅଞ୍ଚଳର ଅତ୍ୟାଧିକ ଅଙ୍ଗନୱାଡ଼ି କେନ୍ଦ୍ର ବିଭିନ୍ନ ସମୟରେ ବନ୍ଦ ରହୁଛି। ଫଳରେ ଅନେକ କେନ୍ଦ୍ରରେ ନିୟମିତ ଭାବେ ହେଉନାହିଁ ପାଠପଢ଼ା କିମ୍ବା ମିଳୁନି ପୁଷ୍ଟିକର ଖାଦ୍ୟ। ଫଳରେ ୩ରୁ ୫ ବର୍ଷ ମଧ୍ୟରେ ଥିବା ଅଧିକାଂଶ ପିଲା ଶିକ୍ଷା ଦାନରୁ ବଞ୍ଚିତ ରହୁଥିବା ବେଳେ ଶିଶୁ, ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ ଅଣ୍ଡା, ଛତୁଆ ଭଳି ଉଚିତ ପରିମାଣର ଖାଦ୍ୟ ମିଳୁନଥିବା ନେଇ ଅନେକ ଥର ଅଭିଯୋଗ କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହିଭଳି ଅଭିଯୋଗ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଲାଞ୍ଜିଗଡ଼ ବ୍ଲକ ମାଳିଯୁବାଙ୍ଗ ପଞ୍ଚାୟତ ଅନ୍ତର୍ଗତ ସୁନାଖଡ଼ିକା ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ। ଏହି କେନ୍ଦ୍ରରେ ନିୟମିତ ଅଣ୍ଡା, ଛତୁଆ, ରନ୍ଧାଖାଦ୍ୟ ଓ ପ୍ରାକ ଶିକ୍ଷା ମିଳିପାରୁନି ବୋଲି କେନ୍ଦ୍ର ଅଧୀନରେ ଥିବା ମହିଳାମାନେ ଅଭିଯୋଗ ଆଣିଛନ୍ତି। ଏହା ବ୍ୟତୀତ ୩ କିମ୍ବା ୪ ମାସକୁ ଥରେ ୬ଟି ଅଣ୍ଡା ଓ ଛତୁଆ ଗୁଣ୍ଡ ଦିଆଯାଇଛି ବୋଲି ହିତାଧିକାରୀ ମାନେ ଅଭିଯୋଗ କରିଛନ୍ତି। ଅଙ୍ଗନୱାଡ଼ି କର୍ମୀଙ୍କୁ ପ୍ରତି ମାସରେ କାହିଁକି ଖାଦ୍ୟ ଦେଉନ ବୋଲି ପଚାରିଲେ ଅଙ୍ଗନବାଡ଼ି କର୍ମୀ ଗାଳିଗୁଳଜ କରୁଛନ୍ତି ବୋଲି ଆଦିବାସୀ ମହିଳାମାନେ ପ୍ରକାଶ କରିଛନ୍ତି। ଏନେଇ ଅଙ୍ଗନୱାଡ଼ି କର୍ମୀ ପଦ୍ମା ହରିଜନଙ୍କୁ ପଚାରିବାରୁ ମୁଁ ଛତୁଆ ଓ ଅଣ୍ଡା ଦେଉଛି। କିନ୍ତୁ ୧୨ ଗୋଟି ଅଣ୍ଡା ସ୍ଥାନରେ ଅଣ୍ଡା ରେଟ ଦେଖି ୬ରୁ ୭ଗୋଟି ଅଣ୍ଡା ଦେଉଛି କିନ୍ତୁ ଖାଦ୍ୟ ସଠିକ ସମୟରେ ମୋ ପାଖକୁ ପହଞ୍ଚି ପାରୁନି ୨ରୁ ୩ ମାସକୁ ଥରେ ମୋପାଖକୁ ଖାଦ୍ୟ ଆସୁଛି ସେଥିପାଇଁ ଖାଦ୍ୟ ବାଣ୍ଟିବାରେ ଟିକେ ବିଳମ୍ବ ହେଉଛି। ମୁଁ ନିୟମିତ କେନ୍ଦ୍ର ଖୋଲି ଖାଦ୍ୟ ରୋଷଇ କରାଉଥିଲି କିନ୍ତୁ ଗାଁ ଲୋକେ ଜାତି ଭେଦଭାବ ରଖି କେନ୍ଦ୍ରରେ ରୋଷେଇ ହୋଇଥିବା ରନ୍ଧା ଖାଦ୍ୟ ଖାଇବାକୁ ମନା କରୁଛନ୍ତି ମୁଁ କ’ଣ କରିବି ବୋଲି ପ୍ରତିକ୍ରିୟା ରଖିଛନ୍ତି।ଏନେଇ ମହିଳା ସୁପର ଭାଉଜର ପଦ୍ମାବତୀ ପ୍ରଧାନଙ୍କୁ ପଚାରିବାରୁ ପ୍ରତି ମାସରେ କେନ୍ଦ୍ରକୁ ଖାଦ୍ୟ ପଠା ଯାଉଛି ଖାଦ୍ୟ ଯୋଗାଇବାରେ କୌଣସି ଅବହେଳା ଆମେ କରୁନୁ ଏହା ଉପରେ ନିଶ୍ଚୟ ମୁଁ ତଦନ୍ତ କରିବି ବୋଲି ମତ ପ୍ରକାଶ କରିଛନ୍ତି। ତେବେ ଏହାକୁ ନେଇଁ କେବେ ଉଚିତ ତଦନ୍ତ ହେବ ଏବଂ ଉକ୍ତ ହିତାଧିକାରୀଙ୍କୁ ଉଚିତ ସେବା ଯୋଗାଇ ଦିଆଯାଉଛି ତାହା ଦେଖିବାକୁ ବାକିରହିଲା।