ପଛୁଆ ବର୍ଗଙ୍କ ପ୍ରତି ଡବଲ ଇଞ୍ଜିନ ସରକାରଙ୍କର ଡବଲ ଧୋକା ବଜେଟରେ ପ୍ରତିଫଳିତ ହୋଇଛି -ଶିବ ହାତୀ, ସମାଜବାଦୀ ପାର୍ଟି ରାଜ୍ୟ ସଭାପତି
ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ୨୦୨୪-୨୫ର ରାଜ୍ୟ ବଜେଟ ଉପରେ ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ଶିବ ହାତୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ବଜେଟର ଶତକଡା ୪୦ ଭାଗ ଓଡ଼ିଶା ସରକାର ଖର୍ଚ୍ଚ କରିପାରି ନ ଥିବା ବେଳେ, ଚଳିତ ୨୦୨୫-୨୬ ବଜେଟରେ ଅଧିକ ବ୍ୟୟ ବରାଦ କେବଳ ଲୋକ ଦେଖାଣିଆ ଓ ଅତି ଗରିବ ଓ ପଛୁଆ ବର୍ଗଙ୍କର ଆର୍ଥିକ ତଥା ସ୍ବାବଲମ୍ବୀ କରିବା ପାଇଁ କୌଣସି ଠୋସ୍ ଯୋଜନା ବଜେଟରେ ଉପଲବ୍ଧ ନାହିଁ। ଏଣୁ ଓଡିଶାର ଶତକଡା ୫୪ ଭାଗ ପଛୁଆ ବର୍ଗଙ୍କ ପ୍ରତି ଡବଲ ଇଞ୍ଜିନ ସରକାରଙ୍କର ଡବଲ ଧୋକା ବଜେଟରେ ପ୍ରତିଫଳିତ ହୋଇଛି। ଯାହାକି ଆଗାମୀଦିନରେ ପଛୁଆ ବର୍ଗ ଉଚିତ ଜବାବ୍ ଦେବେ। ଏତଦ୍ ବ୍ୟତୀତ ଜାତିଗତ ଜନଗଣନା ପାଇଁ ସରକାର ମଧ୍ୟ ନିରବତା ଅବଲମ୍ବନ କରିଛନ୍ତି।ପୂର୍ବୋଦୟ ବିକାଶର ଡିଣ୍ଡିମି ପିଟୁଥିବା ବିଜେପି ସରକାର ଓଡିଶାର ପୂର୍ବାଞ୍ଚଳ ପ୍ରତି ବୈମାତୃକ ମନୋଭାବ ଚଳିତ ବଜେଟ୍ ରେ ଦର୍ଶାଇଛନ୍ତି କାରଣ ଦକ୍ଷିଣ, ଉତ୍ତର ଓ ପଶ୍ଚିମାଞ୍ଚଳ ବିକାଶ ପାଇଁ ବ୍ୟୟବରାଦ ଥିବା ସ୍ଥଳେ, ପୂର୍ବାଞ୍ଚଳ ବିକାଶ ପାଇଁ କୌଣସି ପଦକ୍ଷେପ ନାହିଁ। ଏଣୁ ଏହା ପୂର୍ବ ଓଡିଶାବାସୀଙ୍କୁ ନିରାଶ କରିବ। ଏତଦ୍ ବ୍ୟତୀତ ଓଡିଶାର ଜୀବନ ରେଖା ମହାନଦୀ ଓ ଏହାର ଉପନଦୀମାନଙ୍କର ଖନନ ଯୋଜନା ଅପରିହାର୍ଯ୍ୟ ଥିବା ସ୍ଥଳେ ସମୁଦ୍ର ମୁହାଣ ଖନନ ପାଇଁ ବଜେଟ ପ୍ରବନ୍ଧ ଏକ ହାସ୍ୟାସ୍ପଦ ଯୋଜନା। ଏତଦ୍ ବ୍ୟତୀତ ବର୍ଷା ଋତୁରେ ନଦୀ ଜଳ ସମୁଦ୍ରରେ ମିଶିଯାଇ ନଦୀକୁ ଶୁଖିଲା କରିବା ଦ୍ଵାରା ଜଳର ସୁବିନିଯୋଗ କରିବା ପାଇଁ ନଦୀ ବନ୍ଧ ଯୋଜନା ପାଇଁ କୌଣସି ପ୍ରବନ୍ଧ ନାହିଁ। ଯାହା ଦ୍ଵାରା ଅଣ ମୌସୁମୀ ଋତୁରେ ଖରିଫ୍ ଫସଲ ଉପରେ ନିର୍ଭରଶୀଳ ଓଡିଶାରେ ଗରୀବ ଚାଷୀମାନେ ହତାଶ ହେବେ। ଦୁଇ ଲକ୍ଷ ନବେ ହଜାର କୋଟିର ରାଜ୍ୟ ବଜେଟ୍ ଧର୍ମକୁ ଆଖି ଠାର। ଏହା ସମ୍ପୂର୍ଣ୍ଣ ଋଣ ଉପରେ ନିର୍ଭରଶୀଳ ବଜେଟ୍। ଏହା ଦ୍ବାରା ରାଜ୍ୟର ପ୍ରତିବ୍ୟକ୍ତି ଋଣଭାର ବଢିବା ସହିତ ରାଜ୍ୟ ଦେବାଳିଆ ସ୍ଥିତିକୁ ଆସିଯିବ। ଏଣୁ ସମାଜବାଦୀ ପାର୍ଟି ଓଡିଶା ରାଜ୍ୟ ସଭାପତି ଶ୍ରୀ ଶିବ ହାତୀ ଯାଦବ ଏହାକୁ ଏକ ଗରିବ, ମଧ୍ୟବିତ୍ତ, ଚାଷୀ ବିରୋଧୀ ବଜେଟ୍ କହିବା ସହିତ ଏହା ରାଜ୍ୟ ପାଇଁ କ୍ଷତିକାରକ ବୋଲି କହିଛନ୍ତି।