ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ ଟିକ୍ରାପଡ଼ାର ସ୍ଵପ୍ନେଶ୍ଵର ମହାଦେବ ମନ୍ଦିରରେ ମହାଶିବରାତ୍ର ଅନୁଷ୍ଠିତ ହୋଇଛି | ମହାଦେବଙ୍କ ଦର୍ଶନ ପାଇଁ ଭକ୍ତଗଣଙ୍କ ପ୍ରବଳ ଭିଡ଼ ଲାଗିଥିଲା | ବଳରାମ ଥନାପତି, ଇନ୍ଦ୍ରଜିତ ଥନାପତି ପୂଜାର୍ଚ୍ଚନା କରିଥିଲେ | ଏହି ଅବସରରେ ଅନୁଷ୍ଠିତ ୨୪ ପ୍ରହର ନାମଯଜ୍ଞରେ ହୃଦାନନ୍ଦ ରାଜପଲିଆ, ମମତା ରାଜପଲିଆ କର୍ତ୍ତା ତଥା କୌଶଳ ପୁରୋହିତ, ଗିରିଶ ପୁରୋହିତ, ଅକ୍ଷୟ ସୁଆର, ଗୌରଚନ୍ଦ୍ର ସୁଆର ପୂଜକ ଦାୟିତ୍ୱ ତୁଲାଇଥିଲେ | ନାମଯଜ୍ଞ ମାର୍ଚ୍ଚ ୧ ତାରିଖ ଯାଏ ଅନୁଷ୍ଠିତ ହେବାକୁ ଥିବା ବେଳେ କାନ୍ଦୁଲଝର (କଳାହାଣ୍ଡି), ସିଲାଟି (ସୋନପୁର), ଜାମପାଲି (ବରଗଡ), ଜୁରାବନ୍ଧ (ଖରିଆର) ସମେତ ବହୁ ସୁନାମଧନ୍ୟ ସଂକୀର୍ତ୍ତନ୍ୟ ଦଳ ଏଥିରେ ସାମିଲ ହେବେ | ଏହି ଅଵସରରେ ମହାରାଜ କଂସଙ୍କ ରାଜୁତି ଆରମ୍ଭ ହୋଇଛି | ମହାରାଜ କଂସଙ୍କ ପ୍ରବଳ ପ୍ରତାପରେ ତ୍ରିଭୁବନ କମ୍ପୁଛି | କଂସ ଦରବାର ବ୍ୟତୀତ ଦଣ୍ଡ ନୃତ୍ୟ, ମେଲୋଡି, ରାମଲୀଳା ନାଟ୍ୟାଭିନୟ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ମହୋତ୍ସବ କମିଟି ସୂତ୍ରରୁ ପ୍ରକାଶ | ରଙ୍ଗବେରଙ୍ଗର ଆଲୋକମାଳାରେ ସଜ୍ଜିତ ସମଗ୍ର ଗାଁରେ ଭକ୍ତିର ବାତାବରଣ ପରିଲକ୍ଷିତ ହୋଇଛି | ମୀନା ବଜାର ମୁଖ୍ୟ ଆକର୍ଷଣ ସାଜିଥିବା ବେଳେ ବିଭିନ୍ନ ସାମଗ୍ରୀର ଦୋକାନ ବଜାର ଲୋକଙ୍କୁ ଆକୃଷ୍ଟ କରୁଛି |