ଓଡ଼ିଆ ବାର୍ତ୍ତା/ କୋରାପୁଟ (ସୁନ୍ଦର କୁମାର ପାଣି): ସେମିଲିଗୁଡ଼ା କଲେଜର ୪୧ତମ ପ୍ରତିଷ୍ଠା ଦିବସ ଶନିବାର ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି ଅବସରରେ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଦାମନଯୋଡ଼ି ରେଳ ଷ୍ଟେସନରେ ପହଞ୍ଚିବା ପରେ କୋରାପୁଟିଆ ପରମ୍ପରା ଅନୁଯାୟୀ ଢେମ୍ସା ନୃତ୍ୟର ତାଳେ ତାଳେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ପରେ ସେ ଦାମନଯୋଡ଼ିଠାରେ ଆୟୋଜିତ ‘ହର ଘର ମେ ତ୍ରିରଙ୍ଗା’ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।
ପରେ ସେମିଲିଗୁଡ଼ା କଲେଜର ୪୧ତମ ପ୍ରତିଷ୍ଠା ଦିବସ ସମାରୋହରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କଲେଜର ଉନ୍ନତି ପାଇଁ ନୂତନ ଭବନ ନିର୍ମାଣ ଓ ଆଧୁନିକ କମ୍ପ୍ୟୁଟର ଲ୍ୟାବ୍ ପାଇଁ ଆର୍ଥିକ ଅନୁଦାନ ଘୋଷଣା କରିଥିଲେ। ଭିଡିୟୁ କୁଳପତି ପ୍ରଫେସର ହୃଷିକେଶ ସେନାପତି ଉଚ୍ଚଶିକ୍ଷାର ଗୁଣାତ୍ମକ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। କଲେଜ ଅଧ୍ୟକ୍ଷ ଡ. ଝାନସି ସିଂ କଲେଜର ୪୧ ବର୍ଷର ଯାତ୍ରା ଓ ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ।

ଏହାବ୍ୟତୀତ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟର ଯୁବ ଆଇକନ୍ ଶ୍ରୀ ସତ୍ୟ ପ୍ରକାଶ ମିଶ୍ର, ଜିଲ୍ଲା ବିଜେପି ସଭାପତି ଶ୍ରୀ ଶିବ ମୁଡୁଲି, ବରିଷ୍ଠ ବିଜେପି ନେତା ତଥା ସୁପ୍ରିମକୋର୍ଟର ସରକାରୀ ଆଡଭୋକେଟ୍ ଶ୍ରୀ ଜୀବନ କୁମାର ସାହୁ, ରାଜ୍ୟ କାର୍ଯ୍ୟକାରୀ ନେତା ଶ୍ରୀ ନିକୁଞ୍ଜ ପଟ୍ଟନାୟକ ଓ ରାଜ୍ୟ ବିଜେପି ଯୁବ ନେତା ଶ୍ରୀ ରୁଦ୍ର ସାମନ୍ତରାୟ ପ୍ରମୁଖ ଯୋଗଦେଇଥିଲେ।

ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆଦିବାସୀ ନୃତ୍ୟ, ଦେଶଭକ୍ତିମୂଳକ ଗୀତ ଓ ନାଟକ ପରିବେଷଣ କରାଯାଇଥିଲା। ପରେ ଶିକ୍ଷା, କ୍ରୀଡ଼ା ଓ ସାଂସ୍କୃତିକ କ୍ଷେତ୍ରରେ ଉତ୍କର୍ଷ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କୁ ପୁରସ୍କୃତ କରାଯାଇଥିଲା। କଲେଜର ପ୍ରତିଷ୍ଠାତା ଶ୍ରୀ କୃଷ୍ଣ ସିଂ ଉଦ୍ବୋଧନ ଦେଇଥିଲେ। ଅଧ୍ୟାପକ-ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ସମଗ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।





