ଦୁଇଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ ମାନସ ଦତ୍ତ; ଚାଷୀଙ୍କୁ ମିଳିବ ଉନ୍ନତ ବିପଣନ ସୁବିଧା
ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀରେ କୃଷି ଭିତ୍ତିଭୂମିର ବିକାଶ ଓ ଚାଷୀଙ୍କୁ ଉନ୍ନତ ସୁବିଧା ଯୋଗାଇଦେବା ଦିଗରେ ଆଉ ଏକ ପଦକ୍ଷେପ ଗ୍ରହଣ କରାଯାଇଛି। ୧ କୋଟି ୧୮ ଲକ୍ଷ ୨୨ ହଜାର ୨୪୧ ଟଙ୍କା ବ୍ୟୟ ଅଟକଳରେ ସିନ୍ଧିଆ ଓ ପରିଖୀ ସେବା ସମବାୟ ସମିତି ପରିସରରେ ଦୁଇଟି ନୂତନ ଧାନ ମଣ୍ଡି ନିର୍ମାଣ ପାଇଁ ବାଲେଶ୍ୱର ସଦର ବିଧାୟକ ମାନସ କୁମାର ଦତ୍ତ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଓଡ଼ିଶା ସରକାରଙ୍କ ନିର୍ମାଣ ବିଭାଗ ପକ୍ଷରୁ ଏହି ଦୁଇଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ। ସିନ୍ଧିଆ ସେବା ସମବାୟ ସମିତି ପରିସରରେ ୫୪ ଲକ୍ଷ ୪୨ ହଜାର ୪୩୪ ଟଙ୍କା ଏବଂ ପରିଖୀ ସେବା ସମବାୟ ସମିତି ପରିସରରେ ୬୩ ଲକ୍ଷ ୭୯ ହଜାର ୮୦୭ ଟଙ୍କା ବ୍ୟୟରେ ଦୁଇଟି ପୃଥକ ଧାନ ମଣ୍ଡି ନିର୍ମାଣ କରାଯିବ। ଏହି ମଣ୍ଡିଗୁଡ଼ିକ ନିର୍ମାଣ ହେବା ଦ୍ୱାରା ସ୍ଥାନୀୟ ଚାଷୀଙ୍କ ଧାନ ସଂଗ୍ରହ ଓ ବିକ୍ରୟ ପ୍ରକ୍ରିୟା ଅଧିକ ସୁବ୍ୟବସ୍ଥିତ ହେବା ସହ ଆବଶ୍ୟକ ଭିତ୍ତିଭୂମି ସୁବିଧା ଉପଲବ୍ଧ ହୋଇପାରିବ। ବିଶେଷକରି ଧାନ ବିକ୍ରୟ ସମୟରେ ଚାଷୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଓ ଅସୁବିଧା ଦୂର କରିବାରେ ଏହି ପ୍ରକଳ୍ପ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ଆଶା କରାଯାଉଛି।
ଏହି ଅବସରରେ ବିଧାୟକ ମାନସ କୁମାର ଦତ୍ତ କହିଥିଲେ ଯେ, କୃଷକ ଆମ ଅର୍ଥନୀତିର ମେରୁଦଣ୍ଡ। ସେମାନଙ୍କ କଠିନ ପରିଶ୍ରମର ଉଚିତ ମୂଲ୍ୟ ସୁନିଶ୍ଚିତ କରିବା ସହ ଫସଲ ବିକ୍ରୟ ପାଇଁ ଉନ୍ନତ ବ୍ୟବସ୍ଥା ଯୋଗାଇଦେବା ଆମର ପ୍ରମୁଖ ଦାୟିତ୍ୱ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ସରକାର କୃଷକ କଲ୍ୟାଣ, କୃଷି କ୍ଷେତ୍ରର ଆଧୁନିକୀକରଣ ଓ ଗ୍ରାମୀଣ ଅର୍ଥନୀତିର ସୁଦୃଢ଼ୀକରଣକୁ ବିଶେଷ ପ୍ରାଧାନ୍ୟ ଦେଉଛନ୍ତି। ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର ପ୍ରତ୍ୟେକ କୃଷିପ୍ରଧାନ ଅଞ୍ଚଳରେ ଆବଶ୍ୟକ ଭିତ୍ତିଭୂମିର ବିକାଶ ସହ ଚାଷୀଙ୍କୁ ଉନ୍ନତ ସେବା ଯୋଗାଇଦେବା ପାଇଁ ନିରନ୍ତର ଉଦ୍ୟମ ଜାରି ରହିବ ବୋଲି ସେ ପ୍ରକାଶ କରିଥିଲେ।
ଏହି କାର୍ଯ୍ୟକ୍ରମରେ ସଦର ବ୍ଲକ ଅଧ୍ୟକ୍ଷା ସୁନିତା ବେହେରା, ସରପଞ୍ଚ ବୃନ୍ଦାବତୀ ପ୍ରଧାନ ଓ ରବିନାରାୟଣ ପ୍ରଧାନ, ସମିତି ସଭ୍ୟ ଅଞ୍ଜନ ପରିଡ଼ା, ଉପଖଣ୍ଡ ଯନ୍ତ୍ରୀ ଦୁର୍ଗା ପ୍ରସନ୍ନ ମାରାଣ୍ଡି, କନିଷ୍ଠ ଯନ୍ତ୍ରୀ ମନୋଜ ସାହୁଙ୍କ ସମେତ ଅନିରୁଦ୍ଧ ପ୍ରଧାନ, ପ୍ରଦୀପ୍ତ କୁମାର ମହାପାତ୍ର, ଗୌରାଙ୍ଗ ଦାସ, ଅନନ୍ତ ନାୟକ, ରାଜେନ୍ଦ୍ର ଚାଟାର୍ଜି, ମାମନୀ ହାତୀ, ଗୋରାଚାନ୍ଦ ମଣ୍ଡଳ, ବୀରେନ୍ଦ୍ର ସେନାପତି, ବୀରେନ୍ଦ୍ର କର, ଶ୍ରୀନିବାସ ମହାଳିକ, ବିଜୟ ଦାସ, ମନୋରଞ୍ଜନ ଶତପଥି, ସଂଗୀତା ପରିଡ଼ା, ଅମଲ ପ୍ରଧାନ, ଅନିଲ ପାତ୍ର, ରାଜୀବ କର, ମିଟୁ ବାରିକ ଓ କାଳିଆ ଗିରିଙ୍କ ସମେତ ବିଭିନ୍ନ ସେବା ସମବାୟ ସମିତିର ନିର୍ଦ୍ଦେଶକମାନେ ଉପସ୍ଥିତ ଥିଲେ।





