ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ବିଶ୍ବନାଥପୁର ଥାନା ଅନ୍ତର୍ଗତ ଖକସୀ ଗାଁରେ ଜଣେ ଯୁବକଙ୍କ ବେକକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଥିବାବେଳେ ଦୁଇଦିନ ପରେ ପୁଲିସ ଦ୍ବାରା ଶବ ଜବତ କରାଯାଇଛି । ସୂଚନାନୁଯାୟୀ, ଲାଞ୍ଜି ଗ୍ରାମପଞ୍ଚାୟତ ଖକସୀ ଗାଁର ସନମାଝୀ (୨୩) ନାମକ ଜଣେ ବାପମାଆ ଛେଉଣ୍ଡ ଯୁବକ ନିଜ କାକା ଜାଉ ମାଝୀଙ୍କ ଘରେ ରହି ଆସୁଥିଲା । ତେବେ ଶନିବାର ସନ୍ଧ୍ୟାରେ ସେ ଖାଇପିଇ ନିଜ ରହୁଥିବା କୋଠରୀରେ ଶୋଇବାକୁ ଯାଇଥିବାବେଳେ ରବିବାର ଦିନ ଦଶଟା ଯାଏଁ ସେ ଘରୁ ନବାହାରିବାରୁ ତାର କାକୀ ନିଅଁକାଠି ମାଝୀ ପୁତୁରାର ଶୋଇବା କୋଠରୀକୁ ଦେଖିବାକୁ ଗଲେ । ଏଇ ସମୟରେ ପୁତୁରାର ରକ୍ତ ଜୁଡ଼ୁବୁଡ଼ୁ ଶବ ପଡ଼ିଥିବା ଦେଖି ସେ ପାଟି କରି ନିଜ ସ୍ବାମୀ ଜାଉ ମାଝୀଙ୍କୁ ଡାକିବାରୁ ସେ ଯାଇ ଦେଖିବା ବେଳକୁ ସନମାଝୀର ମୃତ୍ୟୁ ଘଟି ସାରିଥିଲା । ଏହା ପରେ ସନମାଝୀର ବିବାହିତ ତିନି ଭଉଣୀ ଭାଇର ମୃତ୍ୟୁ ଖବର ପାଇ ଖକସୀ ଗାଁକୁ ଆସିବା ସହିତ ପୁଲିସରେ ମାମଲା ଦାୟର କରିବାକୁ କାକା ଜାଉ ମାଝୀଙ୍କୁ କହିଥିଲେ । ଝିଆରିମାନେ କହିବା ପରେ ରବିବାର ରାତିରେ ଜାଉ ମାଝୀ ପୁତୁରାର ମୃତ୍ୟୁକୁ ନେଇ ବିଶ୍ବନାଥପୁର ଥାନାରେ ଅଭିଯୋଗ କରିବା ପରେ ଆଜି ବିଶ୍ବନାଥପୁର ଥାନାଧିକାରୀ ରୁନୁ କୁମାରୀ ମାଝୀ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ସାଇଣ୍ଟିଫିକ୍ ଟିମ୍ ର ବୀର ସାହୁ, ସନ୍ଧାନୀ କୁକୁର ପିଙ୍ଗୋ ଏବଂ ଡଗ ମାଷ୍ଟର ଚନ୍ଦ୍ରମଣି ସାହୁଙ୍କ ସହିତ ତଦନ୍ତ ଆରମ୍ଭ କରିଥିଲେ । ଘଟଣାର ଗୁରୁତ୍ବ ଦୃଷ୍ଟିରୁ କେସିଙ୍ଗା ଏସଡିପିଓ ଅଭିନବ ସୋନକର ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରିଥିବା ଜଣାପଡ଼ିଛି । ଏନେଇ ବିଶ୍ବନାଥପୁର ପୁଲିସ ପକ୍ଷରୁ କେସ୍ ନଂ ୭୭/୨୦୨୨ରେ ଏକ ହତ୍ୟା ମାମଲା ରୁଜୁ କରାଯାଇ ଲାଞ୍ଜିଗଡ଼ରେ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି । ଏଇ ମାମଲାରେ ତଦନ୍ତ ଜାରି ରହିଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ହତ୍ୟାକାରୀର ପତ୍ତା ମିଳି ନାହିଁ ।