ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ରବି ଧାନ ଚାଷ ନିମନ୍ତେ ଇନ୍ଦ୍ରାବତୀ ମେଗା ଉଠାଜଳସେଚନ ପ୍ରକଳ୍ପର ୧୦ ଓ ୧୧ ନମ୍ବର ଗେଟ ଅନ୍ତର୍ଭୁକ୍ତ ଚାଷୀ ମନଙ୍କୁ ନେଇ ସୋମବାର କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତର ଆଁଏଲି ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ପ୍ରାୟ ୧୧ ଖଣ୍ଡ ଗ୍ରାମର ଚାଷୀ ମାନେ ଉପସ୍ଥିତ ହୋଇ ଚଳିତ ରବି ଋତୁ ଚାଷ ପାଇଁ ଇନ୍ଦ୍ରାବତୀ ମେଗା ଉଠା ଜଳସେଚନ କୋନାଲରୁ ଜଳ ଯୋଗାଣ ଉପରେ ଆଲୋଚନା କରିଥିଲେ। ଏଥିରେ ୧୦ ଓ ୧୧ ନମ୍ବର ଗେଟ ଅନ୍ତର୍ଭୁକ୍ତ ଫୁପଗାଁ, ଆଁଏଲି, ତୁନଗାଁ, ଧନସରା, କନ୍ଦାବୁଟ୍ରା, ଘୁର୍ଲୁଗୁଡା, ଗତାବନ୍ଦ, ଚିକିଲି, ମଜୁରସାହୀ, ଚିଲିଡଙ୍ଗରୀ ଓ ସିର୍ଲିଗୁଡାର ଚାଷୀ ମାନେ ଏକତ୍ରିତ ହୋଇ ସମସ୍ତେ ଆଲୋଚନା ପରେ ଅପର ଇନ୍ଦ୍ରାବତୀ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଓ ପ୍ରକଳ୍ପ ଅଧିକାରୀ, ମୁଖିଗୁଡାଙ୍କ ଉଦ୍ଦେଶ୍ୟରେ ୧୦ ଓ ୧୧ ଗେଟ୍ ଦାଇତ୍ୱ ରେ ଥିବା ସହକାରୀ ଯନ୍ତ୍ରୀ ଅରୁଣ ପ୍ରଧାନଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଚାଷିମାନଙ୍କ ସାମୁହିକ ଦାବିକୁ ବିଭାଗ ଅଣଦେଖା କଲେ ଆଗାମୀ ଦିନରେ ଚାଷୀମାନେ ରାଜ ରାସ୍ତା କୁ ଓହ୍ଲେଇବା ପାଇଁ ଚେତାବନୀ ଦେଇଛନ୍ତି। ଚାଷୀ ମାନଙ୍କ ଦାବୀ ପୂରଣ ଓ ଉନ୍ନତି ସାଧନ ଦିଗରେ ସହାୟକ ହେବାପାଇଁ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ନେତୃତ୍ବ ନେଇ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ।