ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଶନିବାର ସନ୍ଧ୍ୟାରେ ଜୁନାଗଡ଼ ବ୍ଲକ ଚିଙ୍ଗୁଡିସର ନିକଟରେ ଘଟିଛି ଏକ ବଡ଼ ଅଘଟଣ । ଜଙ୍ଗଲି ହାତୀ ଝାରବନ୍ଧ ଗ୍ରାମର ଗଜିନ୍ଦ୍ର ମାଝୀ(୫୫)ଙ୍କୁ ଶୁଣ୍ଡରେ ଟେକି କଚାଡ଼ି ଦେଇ ଦାନ୍ତରେ ପେଟକୁ ଆଘାତ କରିବାରୁ ତାଙ୍କ ଅନ୍ତବୁଜୁଳା ବାହାରି ପଡିଛି । ସେ ଆଜି ସନ୍ଧ୍ୟାରେ ଚିଙ୍ଗୁଡିସର ଗାଁର ପୋଖରୀକୁ ଗାଧୋଇବାକୁ ଆସୁଥିବାବେଳେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି । ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ । ପରେ ତାଙ୍କୁ ଭବାନୀପାଟଣା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ବର୍ତ୍ତମାନ ସେଠାରେ ଗଜିନ୍ଦ୍ର ମାଝୀଙ୍କ ଚିକିତ୍ସା ଚାଲିଥିବା ସୂଚନା ରହିଛି । ଘଟଣାସ୍ଥଳରେ ବନବିଭାଗର ତଦନ୍ତ ଜାରି ରହିଛି ।