ପାନୀୟ ଜଳ ଯୋଗାଣ ନିମନ୍ତେ ବିଡ଼ିଓଙ୍କୁ ଦାବିପତ୍ର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ସଦର ମହକୁମା ପଞ୍ଚାୟତ ୱାର୍ଡ଼ ନମ୍ବର ୮ର ମହିଳାମାନେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଶୀଘ୍ର ଜଳ ସମସ୍ୟାର ସମାଧାନ କରିବା ପାଇଁ ବୁଧବାର କୋକସରା ବିଡ଼ିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଆଗକୁ ଏହି ସମସ୍ୟାର ସମାଧାନ ନ ହେଲେ ଆନ୍ଦୋଳନ କରିବା ପାଇଁ ମଧ୍ୟ ଚେତାବନୀ ଦେଇଛନ୍ତି। ୱାର୍ଡ଼ ବାସୀଙ୍କ ଅଭିଯୋଗ ଅନୁସାରେ, ଗ୍ରାମର ପ୍ରତ୍ୟେକ ପଡ଼ାରେ ପିଇବା ପାଣି ଯୋଗାଣ ହେଉଛି। ହେଲେ ୱାର୍ଡ଼ ନମ୍ବର ୮ରେ ଏ ପର୍ଯ୍ୟନ୍ତ ପିଇବା ପାଣିର ସୁବିଧା ହୋଇନାହିଁ। ପଡ଼ାରେ ୩ଶହ ଲୋକେ ବସବାସ କରୁଛନ୍ତି। ଏହି ପଡ଼ାକୁ ପାଣି ଯୋଗାଣ କରିବା ଆଳରେ ଠିକାଦାର ପ୍ରତ୍ୟେକ ଘରୁ ଆଧାର କାର୍ଡର ନକଲ ସହ ୨ଶହ ଟଙ୍କା ଲେଖାଁଏ ନେଇଥିବା ବେଳେ ପାଣିର ସୁବିଧା ହୋଇନାହିଁ ବୋଲି ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି। ଏମିତିରେ ଠିକାଦାରଙ୍କ ମଧ୍ୟ ଦେଖା ଦର୍ଶନ ନାହିଁ। ଏଣୁ ଏହାର ତୁରନ୍ତ ସମାଧାନ କରିବା ସହ ଜଳ ଯୋଗାଣ କରିବା ପାଇଁ ଆଜି ମହିଳାମାନେ କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ସ୍ନେହପ୍ରଭା ମାଝୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏବଂ ଏହାର ସମାଧାନ ନକଲେ ଆସନ୍ତା ୪ ତାରିଖ ଦିନ ବ୍ଳକ କାର୍ଯ୍ୟାଳୟ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ କାର୍ଯ୍ୟାଳୟ ଆଗରେ ଧାରଣା ଦେବାପାଇଁ ଚେତାବନୀ ଦେଇଛନ୍ତି। ଏଥି ସହିତ ୱାର୍ଡ଼ବାସୀ କୋକସରା ଥାନା ଓ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗକୁ ମଧ୍ୟ ଏକ ଲିଖିତ ଅଭିଯୋଗ ଦେଇଥିବା ଜଣାଯାଇଛି। ଏହି ଦାବିପତ୍ର ପ୍ରଦାନବେଳେ ସବନୀ ଦୁର୍ଗା, ଟୁନି ଖମାରୀ, ଶାନ୍ତି ଖର୍ସେଲ, ପଦୁକା ବାଗ, ତନୁଲତା ବାଗ, ମୁସ୍କାନ ଖମାରୀ, ଚାନ୍ଦିନୀ ଦୀପ, ସରୋଜିନୀ ବାଗ, ଭାଜି ବାଗ, ଗୀତା ନାଏକ ସମେତ ବିନୋଦ ରାଉତ, ଟୁନା ବାଗ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.