ମୋ ସ୍କୁଲ ଅଭିଯାନ ବ୍ୟାଙ୍କ ଖାତାରେ ଛାତ୍ରୀଙ୍କ ଏମଡିଏମ୍ ଟଙ୍କା ୨ ଲକ୍ଷ ୪୭ ହଜାର ୪୨୦ ଜମା ହେବା ଘଟଣା: ତଦନ୍ତ ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲା ସ୍କୁଲ ପରିଚାଳନା କମିଟି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ବନ୍ଧପାରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ‘ମୋ ସ୍କୁଲ ଅଭିଯାନ’ ବ୍ୟାଙ୍କ ଆକାଉଣ୍ଟରେ ଛାତ୍ରୀଙ୍କ କୋଭିଡ଼ ସମୟରେ ଏମଡିଏମ୍ ଓ ଅନ୍ୟାନ୍ୟ ବାବଦକୁ ଆସିଥିବା କୋଭିଡ଼ ସହାୟତା ରାଶି ୨,୪୭,୪୨୦ ଟଙ୍କା ସ୍ଥାନାନ୍ତରିତ ହୋଇଛି।ବ୍ୟାଙ୍କ ଖାତାରେ ଏହି ରାଶି ଉପରେ ଏରିଜର ମରାଯାଇ ଲିଭାଇ ଯାଇଥିବା ବେଳେ ଅନ ଲାଇନ ଟ୍ରାଞ୍ଜେସନରେ ତଥ୍ୟ ରହିଛି।ଏହି ଅର୍ଥ ହଡପ ଉଦ୍ୟମ ଚାଲିଥିବା ବେଳେ ଏହାର ତଦନ୍ତ ପାଇଁ ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ବନ୍ଧପାରି ସ୍କୁଲ ପରିଚାଳନା କମିଟି। ସୂଚନା ଯୋଗ୍ୟ ଯେ, ୨୦୨୦ ମସିହା ପୂର୍ବରୁ ସ୍କୁଲରେ ମୋଟ ଛାତ୍ରଛାତ୍ରୀ ସଂଖ୍ୟା ୫୮୪ ସେଥିମଧ୍ୟରୁ ୩୧୦ ଅନୁସୂଚିତ ଜାତି, ଜନଜାତି ଛାତ୍ରୀ ହଷ୍ଟେଲ ରହୁଥିଲେ। ୨୦୨୦ ମସିହାରେ କୋଭିଡ ପାଇଁ ହଷ୍ଟେଲ ବନ୍ଦ ରହିଥିବାରୁ ଛାତ୍ରୀମାନଙ୍କ ଖାଇବା, ପାଠପଢ଼ା ସାମଗ୍ରୀ ତଥା ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ମୋଟ ୨୫ ହଜାରରୁ ଅଧିକ ଲେଖାଁଏ ଟଙ୍କା ସେମାନଙ୍କ ବ୍ୟାଙ୍କ ଖାତାକୁ ସର୍ବଶିକ୍ଷା ଅଭିଯାନ ତରଫରୁ ଦିଆଯାଇଥିଲା। ହେଲେ ପାସ୍‌ବୁକରୁ ଟଙ୍କା ଉଠାଣ ପରେ ଛାତ୍ରୀଙ୍କ ଦାୟିତ୍ବରେ ଥିବା ତତ୍କାଳୀନ ପ୍ରଧାନ ଶିକ୍ଷୟିତ୍ରୀ ତିଳୋତ୍ତମା ଦଳେଇ ଓ ତାଙ୍କ ସ୍ଵାମୀ ଶିକ୍ଷକ ସୁବାସ ନାଏକ ୩ ହଜାର ଟଙ୍କା ଲେଖାଁଏ ଆଦାୟ କରିଥିଲେ। ଅଭିଭାବକମାନେ ରସିଦ ମାଗିବାରୁ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଦଳେଇ ଓ ତାଙ୍କ ସ୍ବାମୀ ଶ୍ରୀ ନାୟକ ରୋକଠୋକ ମନା କରିଥିଲେ। ଏହି ବାବଦରେ ଛାତ୍ରୀଙ୍କ ଠାରୁ ୬ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ଆଦାୟ କରିଥିଲେ। ଏହି ଘଟଣା ୨୦୨୧ ଅଗଷ୍ଟ ୧୨ ତାରିଖରେ ଗଣମାଧ୍ୟମ ରେ ପ୍ରକାଶିତ ପରେ କଳାହାଣ୍ଡି ତତ୍କାଳୀନ ଜିଲ୍ଲାପାଳ ଡ଼.ଗାଭାଲି ପରାଗ ହର୍ଷଦଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାଶିକ୍ଷା ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର କମିଟି ଏହାର ଯାଞ୍ଚ କରିଥିଲେ। ଏଥିରେ ସମ୍ପୃକ୍ତ ଶିକ୍ଷୟିତ୍ରୀ ଦୋଷୀ ପ୍ରମାଣିତ ହୋଇଥିଲେ ଓ ଛାତ୍ରୀଙ୍କ ପ୍ରାୟ ୩ ଲକ୍ଷ ଫେରସ୍ତ କରିଥିଲେ। ତଦନ୍ତ ଭୟରେ ୨.୪୭.୪୨୦ ମୋ ସ୍କୁଲ ଅଭିଯାନ ଆକାଉଣ୍ଟରେ ଜମା କରିଥିଲେ। ସେହି ସମୟରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପତ୍ର ଅନୁଯାୟୀ ତାଙ୍କୁ ୨୦୨୧ ଅଗଷ୍ଟ ୧୮ରେ ଅନ୍ୟ ସ୍କୁଲକୁ ଦଣ୍ଡ ସ୍ବରୂପ ବଦଳି କରାଯାଇଥିଲା। କିନ୍ତୁ ବଦଳି ପରେବି ପ୍ରଧାନ ଶିକ୍ଷୟିତ୍ରୀ ନାମ ଓ ବ୍ଳକ ଶିକ୍ଷା ଅଧିକାରୀଙ୍କ ମିଳିତ ଭାବେ ଥିବା ସ୍କୁଲ ବ୍ୟାଙ୍କ ଆକାଉଣ୍ଟ ବଦଳି ନଥିଲା। ପରେ ମିନତୀ ରାଉତ ଓ ପ୍ରଭାତୀ ନାଏକ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। କିନ୍ତୁ ବ୍ୟାଙ୍କ ଆକାଉଣ୍ଟ ଯୋଗୁଁ ଘୋର ଅସୁବିଧାର ସମ୍ମୁଖୀନ ହୋଇଥିଲେ। କିନ୍ତୁ ବ୍ଳକ ଶିକ୍ଷା ବିଭାଗ ପକ୍ଷରୁ ସେମାନଙ୍କୁ ସହଯୋଗ ମିଳିନଥିଲା। ଇତି ମଧ୍ୟରେ ଜିଲ୍ଲାପାଳ ଡ଼.ଗାଭାଲି ପରାଗ ହର୍ଷଦଙ୍କ ବଦଳି ହୋଇଥିଲା। ଏହାପରେ ବ୍ଳକ ଶିକ୍ଷା ବିଭାଗ ପକ୍ଷରୁ ଚକ୍ରାନ୍ତ କରି ପୂର୍ବ ଶିକ୍ଷୟିତ୍ରୀ ଦଳେଇଙ୍କୁ ଜାନୁଆରୀ ୨୦୨୩ ରେ ପୁଣି ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପାଇଁ ଅନୁମତି ମିଳିଥିଲା। ତେବେ ଅନ୍ୟପକ୍ଷରେ କୋଭିଡ୍ ସହାୟତା ହଡ଼ପ କରିଥିବା ଘଟଣା ପ୍ରକାଶ କରିଥିବା ଛାତ୍ରୀମାନେ ସ୍କୁଲରେ ପଢୁଥିବା ବେଳେ ତତ୍କାଳୀନ ଶିକ୍ଷୟିତ୍ରୀ ଜଣକ ସ୍କୁଲକୁ ଫେରିବା ନେଇ ଜାଣିବା ପରେ ଛାତ୍ରୀମାନେ ଭୟଭୀତ ହୋଇ ପଡିଛନ୍ତି। ଏହାକୁ ବିରୋଧ କରି କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀଙ୍କୁ ଜାନୁଆରୀ ୨୦୨୩ରେ ଲିଖିତ ଅଭିଯୋଗ କରିଥିଲେ ସ୍କୁଲ ପରିଚାଳନା କମିଟି ସଦସ୍ୟ ଓ ଗ୍ରାମବାସୀ। ତୁରନ୍ତ ତାଙ୍କ ଯୋଗଦାନକୁ ବାତିଲ କରିବା ପାଇଁ ଦାବି କରିଥିଲେ। ଜିଲ୍ଲାପାଳଙ୍କୁ ଅଭିଯୋଗ ପରେ ଶିକ୍ଷୟିତ୍ରୀଙ୍କ ଯୋଗଦାନ ବାତିଲ କରାଯାଇଥିଲା। ବର୍ତ୍ତମାନ ପୁଣି ସ୍କୁଲର ପ୍ରଧାନ ଶିକ୍ଷକ ଭାବେ ଯୁଜିଷ୍ଟିର ମହାନନ୍ଦ ଦାଇତ୍ଵ ଗ୍ରହଣ କରିଛନ୍ତି। ବର୍ତ୍ତମାନ ମୋ ସ୍କୁଲ ଅଭିଯାନ ବ୍ୟାଙ୍କ ଆକାଉଣ୍ଟରେ ୭ ଲକ୍ଷ ୫୫ ହଜାରରୁ ଉର୍ଦ୍ଧ୍ବ ଟଙ୍କା ରହିଥିବା ବେଳେ ମୋ ସ୍କୁଲ ଅଭିଯାନରେ ସ୍କୁଲ କାମ କାହିଁକି ହେଉନାହିଁ। ଅନ୍ୟପକ୍ଷରେ ବ୍ୟାଙ୍କ ଆକାଉଣ୍ଟରେ ଛାତ୍ରୀଙ୍କ ଏମଡିଏମ୍ ଟଙ୍କା କାହିଁକି ଜମା କରାଗଲା ବୋଲି ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀଙ୍କ ଦ୍ବାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି ସ୍କୁଲ ପରିଚାଳନା କମିଟି ସଭାପତି ପବିତ୍ର ଦଳପତି ଓ ସଦସ୍ୟ ବୃନ୍ଦ। ଏହାର ଉଚିତ ତଦନ୍ତ ପାଇଁ ଦାବୀ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.