ମହିଳାଙ୍କ ଫଟୋ ଭାଇରାଲ କରିବା ପଡିଲା ମହଙ୍ଗା: କୋର୍ଟ ଫରଓ୍ବାର୍ଡ ହେଲେ ରେଲୱେ କର୍ମଚାରୀ କିରଣ ମହାନନ୍ଦ ଓ ଏସଟିବିଏର ସଞ୍ଜୀବ ଦାସ 

ଓଡ଼ିଆ ବାର୍ତ୍ତା କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଥାନା ଅଞ୍ଚଳର ଜଣେ ମହିଳାଙ୍କ ଫଟୋକୁ ଅଶ୍ଲିଳ ଏଡିଟିଙ୍ଗ କରି ଭାଇରାଲ କରିବା ମହଙ୍ଗା ହୋଇଛି। ଏହି ସ୍ପର୍ଶକାତର ବିଷୟରେ ୬ ଜଣ ଅଭିଯୁକ୍ତ ଛନ୍ଦି ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୩ ଜଣ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି। ଗିରଫ ଯୁବକମାନେ ହେଲେ ତୁଲାଗାଁ ବାସିନ୍ଦା ତଥା ରୁପ୍ରାରୋଡ ରେଲୱେ ଷ୍ଟେସନରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ କିରଣ ମହାନନ୍ଦ, ରୁପ୍ରାରୋଡ ରେଲୱେ ଷ୍ଟେସନରେ ଷ୍ଟେସନ ଟିକେଟ୍ସ ବୁକିଙ୍ଗ ଏଜେନ୍ସି (ଏସଟିବିଏ)ର ସଞ୍ଜୀବ ଦାସ ଏବଂ ଆଉ ଜଣେ ଅର୍ଜୁନ ଗାଁର ଡ୍ରାଇଭର ମହେଶ ସା ବୋଲି ଜଣାପଡିଛି। ଏମାନଙ୍କ ବିରୁଦ୍ଧରେ ଅଶ୍ଲିଳ ଫଟୋ ଭାଇରାଲ କରିଥିବା ନେଇ ଗତ ଅଗଷ୍ଟ ୩୧ରେ ଜଣେ ମହିଳା ନର୍ଲା ଥାନାରେ ଏତଲା ଦାଏର କରିଥିଲେ। ମହିଳା ଜଣକ କଳାହାଣ୍ଡି ଏସପିଙ୍କ ଦ୍ବାରସ୍ଥ ହେବା ପରେ ଗତ ସେପ୍ଟେମ୍ୱର ୨ ତାରିଖରେ ତିନି ଅଭିଯୁକ୍ତ; କିରଣ ମହାନନ୍ଦ, ସଞ୍ଜୀବ ଦାସ ଓ ମହେଶ ସାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ଏହି ଘଟଣାରେ ଅନ୍ୟ ତିନି ଅଭିଯୁକ୍ତ; ଆଶୁ ଅଗ୍ରୱାଲ, ରୋମାଞ୍ଚଳ ଡାକୁଆ (ମିଟୁ) ଓ ମଣ୍ଟୁ ଦାସ ଫେରାର ଅଛନ୍ତି। ତେବେ ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରେ ଜଣେ ରେଲୱେ କର୍ମଚାରୀ ଏବଂ ଜଣେ ଏସଟିବିଏ ରହିଥିବାରୁ ନର୍ଲା ଓ ରୁପ୍ରାରୋଡ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି। ଏହି ଦୁଇ ଯୁବକଙ୍କ ପାଇଁ ରେଲୱେ ଅଜଥାରେ ବଦନାମ ହେଉଥିବା କୁହାଯାଉଛି।

କିରଣ ଓ ସଞ୍ଜୀବ ଅନେକ ସମୟରେ ରେଲୱେ ଷ୍ଟେସନକୁ ଆସୁଥିବା ମହିଳା ମାନଙ୍କ ଉପରେ ଖରାପ ନଜର ପକାଇଥାନ୍ତି ଏବଂ ମହିଳାମାନେ ରୁପ୍ରାରୋଡ ଷ୍ଟେସନକୁ ଆସିବାକୁ ମଧ୍ୟ ସୁରକ୍ଷିତ ମଣୁନାହାନ୍ତି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଆଲୋଚନା ଜୋର ଧରିଛି। ତେଣୁ ଏପରି ବିଶୃଙ୍ଖଳିତ ବ୍ୟକ୍ତି ମାନଙ୍କ ଉପରେ ଅଇନଗତ କାର୍ଯ୍ୟାନୁଷ୍ଠାନ ତ ହେବ କିନ୍ତୁ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ମଧ୍ୟ ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.