ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଅଞ୍ଚଳରେ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି ରଙ୍ଗର ପର୍ବ ହୋଲି । ପୂର୍ବ ଦିନ ନର୍ଲା ଜଗନ୍ନାଥ ମନ୍ଦିରରେ ଦୋଳପୂର୍ଣ୍ଣିମା ଉତ୍ସବରେ ଶ୍ରଦ୍ଧାଳୁ ଭକ୍ତ ମାନେ ମନ୍ଦିର ପରିଚାଳନା କମିଟିର ସଭାପତି ଚିରଞ୍ଜିବୀ ଗୌଡିଆଙ୍କ ନେତୃତ୍ୱରେ ଠାକୁରଙ୍କୁ ବିମାନରେ ବସାଇ ନର୍ଲା ବସ୍ତି, ଶିଶୁ ମନ୍ଦିର ଛକ ପ୍ରଭୃତି ପରିକ୍ରମା କରିଥିଲେ ।
ସେହିଭଳି ନର୍ଲାରୋଡ ରାଧାକୃଷ୍ଣ ମନ୍ଦିରରେ ମଧ୍ୟ ଦୋଳପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଥିଲା । ଆଜି ରଙ୍ଗର ପର୍ବ ହୋଲି। ଆଜି ସକାଳୁ ପ୍ରଥମେ ନର୍ଲା ଜଗନ୍ନାଥ ମନ୍ଦିର, ନର୍ଲାରୋଡ ରାଧାକୃଷ୍ଣ ମନ୍ଦିର ଠାରୁ ଆରମ୍ଭ ହୋଇଥିଲା ରଙ୍ଗ ଖେଳ ହୋଲି । ଭାଇଚାରାର ପର୍ବ ହୋଲିରେ ପରଷ୍ପରକୁ ଅବିର ଲଗେଇ ଲୋକେ ହୋଲିର ଶୁଭେଚ୍ଛା ଜଣାଉଥିବା ଦେଖିବାକୁ ମିଳିଥିଲା ।
ନର୍ଲାରୋଡ, ସର୍ଗିଗୁଡା, ନର୍ଲା, ଛତିକୁଡା ଓ ରୁପ୍ରାରୋଡର ସ୍ଥାନେ ସ୍ଥାନେ ହୋଲି ପାଇଁ ବିଶେଷ ଆୟୋଜନ କରାଯାଇଥିଲା। ବେଣ୍ଡ ବାଜା, ଡିଜେ ଓ ସଙ୍କୀର୍ତ୍ତନ ବାଦ୍ୟର ତାଳେ ତାଳେ ହୋଲି ଖେଳି ନଗର ପରିକ୍ରମା କରିଥିଲେ ଯୁବ ପୀଢ଼ି। ରୁପ୍ରାରୋଡରେ ମଧ୍ୟ ହୋଲିଖେଳ ବେଶ୍ ଜାକ ଜମକର ସହ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି।
ରୁପ୍ରାରୋଡ ମାରୱାଡି ଯୁବାମଞ୍ଚ ତରଫରୁ ସ୍ଥାନୀୟ ଅଗ୍ରସେନ ଭବନ ଠାରେ ଏଥିପାଇଁ ଭବ୍ୟ ଆୟୋଜନ ମଧ୍ୟ କରାଯାଇଥିଲା । ନର୍ଲା ଥାନା ପରିସରରେ ମଧ୍ୟ ହୋଲି ଖେଳକୁ ମନଭରି ଉପଭୋଗ କରିଥିଲେ ନର୍ଲା ପୋଲିସ ଷ୍ଟେସନର ସମସ୍ତ ଷ୍ଟାଫ ।
ସେହିଭଳି ନର୍ଲା ଅଞ୍ଚଳର ବୁଢ଼ୀପଦରସ୍ଥିତ ଦେବଗିରି ମଠ, ରୁପ୍ରା, ଛତିକୁଡା, ବାଲିପଡା, ସେରଗଡ ସର୍ଗିଗୁଡ଼ା ପ୍ରଭୃତି ସ୍ଥାନରେ ଆନନ୍ଦ ଉହ୍ଲାସରେ ସମ୍ପନ୍ନ ହୋଇଯାଇଛି ରଙ୍ଗ ଓ ଭାଇଚାରାର ପର୍ବ ହୋଲି । ବିଶେଷ କରି ସର୍ଗିଗୁଡା ମାଝୀପଡ଼ା ର ଯୁବବର୍ଗ ସ୍ଵତନ୍ତ୍ର ଡିଜେ ବାଜାର ଆୟୋଜନ କରି ହୋଲି ଖେଳରେ ମସଗୁଲ ହୋଇଥିବା ଦୃଶ୍ୟମାନ ହୋଇଥିଲା।
ସେହିଭଳି ନର୍ଲା ବସ୍ତିରେ ମଧ୍ଯ ଅନେକ ଉତ୍ସାହ ଏବଂ ଉଦ୍ଦୀପନା ର ସହ ହୋଲିପର୍ବ ପାଳନ କରିଥିଲେ ଯୁବବର୍ଗ। ନର୍ଲାର କୌଣସୀ ସ୍ଥାନରେ ଅପ୍ରୀତିକର ପରିସ୍ଥିତି ଉପୁଜିନଥିବା ଜଣାପଡ଼ିଛି। ରଙ୍ଗର ପର୍ବ ପବିତ୍ର ହୋଲି ଅବସରରେ ନର୍ଲା ବିଧାୟିକା ମନୋରମା ମହାନ୍ତି, ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ନର୍ଲା ବିଡ଼ିଓ ବିପିନ ବିହାରୀ ଦୀପ, ଜିଲ୍ଲା ପରିଷଦ ସଦସ୍ୟ ହରିଶ୍ନଙ୍କର ମାଝୀ, ନର୍ଲା ତହସିଲଦାର ବିଭୁ ପ୍ରସାଦ ସିଂ, ନର୍ଲା ଆଇଆଇସି ସର୍ବେଶ୍ୱର ସାମନ୍ତରାୟ, ଯୁବନେତା ପ୍ରଦୀପ କୁମାର ନାଏକ, ନର୍ଲା ସରପଞ୍ଚ ସଂଘ ସଭାପତି ଅନନ୍ତରାମ ମାଝୀ ପ୍ରମୁଖ ଅଞ୍ଚଳବାସୀଙ୍କୁ ଶୁଭେଚ୍ଛା ଜାଣାଇବା ସହ ସମସ୍ତଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି।