ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ସୋମବାର କଳାହାଣ୍ଡି ବନ୍ଦ

କଳାହାଣ୍ଡି,୫/୧-କଳାହାଣ୍ଡି ଜିଲ୍ଲାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଆସନ୍ତା ୭ ତାରିଖ ସୋମବାର ଦିନ କଳାହାଣ୍ଡି ବନ୍ଦ ଡାକରା ଦେଇଛି ମିଳିତ କଳାହାଣ୍ଡି ବାର୍ ୟୁନିୟନ୍ । ଏ ସମ୍ପର୍କରେ ସ୍ଥାନୀୟ ଜିଲ୍ଲା ଜଜ୍ କୋର୍ଟ ପରିସରରେ ଥିବା ବାରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମିଳିତ କଳାହାଣ୍ଡି ବାର୍ ୟୁନିୟନର ଅଧ୍ୟକ୍ଷ ତଥା କଳାହାଣ୍ଡି ଓକିଲ ସଂଘର ସଭାପତି ସନ୍ତୋଷ କୁମାର ପଣ୍ଡା ଓ କଳାହାଣ୍ଡି ଓକିଲ ସଂଘର ସମ୍ପାଦକ ଅଶୋକ କୁମାର ପଟ୍ଟନାୟକ ଏହା ସୂଚନା ଦେଇଛନ୍ତି । ଜଶବନ୍ତ ସିଂହ କମିଟିର ସୁପାରିଶ ଓ ପାଲ୍ କମିଶନର ସୁପାରିଶର ସମସ୍ତ ମାନବିନ୍ଦୁକୁ କଳାହାଣ୍ଡି ପୂରଣ କରୁଛି । ତେଣୁ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନିମନ୍ତେ କଳାହାଣ୍ଡି ଉପଯୁକ୍ତ ସ୍ଥାନ । କଳାହାଣ୍ଡି ଓକିଲ ସଂଘ ୨୦୦୯ ମସିହାରୁ ପଶ୍ଚିମ ଓଡିଶା କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିରୁ ଓହରି ଯାଇଛି ଏବଂ ଏ ସମ୍ପର୍କରେ ସଂଘ ପକ୍ଷରୁ ଆଫିଡେଫିଟ୍ ଦାଖଲ କରାଯାଇଛି । କଳାହାଣ୍ଡିରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଦୀର୍ଘ ୧୦ ବର୍ଷ ହେଲା କଳାହାଣ୍ଡି ଓକିଲ ସଂଘ ଆନ୍ଦୋଳନ ଚଳାଇ ଆସିଛି । ଏବେ ଜିଲ୍ଲାର ସମସ୍ତ ବାର୍ ମିଳିତ ହୋଇ ହାଇକୋର୍ଟ ବେଞ୍ଚ ଆନ୍ଦୋଳନକୁ ଆହୁରୀ ତୀବ୍ରତର କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି କ୍ରମରେ ଅଳ୍ପଦିନ ତଳେ ଜିଲ୍ଲାର ସମସ୍ତ ଅଦାଲତ ଓ ସରକାରୀ କାର୍ଯ୍ୟାଳୟ ବନ୍ଦ ରଖାଯାଇଥିଲା । ତେବେ ଆସନ୍ତା ସୋମବାର ଦିନ କଳାହାଣ୍ଡି ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦରେ ଜିଲ୍ଲାର ସମସ୍ତ ସ୍କୁଲ, କଲେଜ, ସରକାରୀ କାର୍ଯ୍ୟାଳୟ, ଅଦାଲତ, ବ୍ୟବସାୟିକ ପ୍ରତିଷ୍ଠାନ ଓ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରିବାକୁ କଳାହାଣ୍ଡି ମିଳିତ ବାର୍ ୟୁନିୟନ୍ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.