ସଲମୋନ ଦ୍ୱୀପପୁଞ୍ଜ ସହିତ ସାମରିକ ଚୁକ୍ତି ସ୍ୱାକ୍ଷର କଲା ଚୀନ୍‌

ଓଡ଼ିଆ ବାର୍ତ୍ତା/ ବେଜିଙ୍ଗ: ନିରାପତ୍ତା ସହଯୋଗ ଦୃଷ୍ଟିରେ ରଖି ଚୀନ୍‌ ଏବଂ ସଲମୋନ ଦ୍ୱୀପପୁଞ୍ଜ ମଧ୍ୟରେ ଏକ ସାମରିକ ରାଜିନାମା ସ୍ୱାକ୍ଷରିତ ହୋଇଛି । ଏନେଇ ଚୀନ୍‌ର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ୱାଙ୍ଗ୍‌ ୱନ୍ୱିନ୍‌ ସୂଚନ ଦେଇଛନ୍ତି । ରିପୋର୍ଟ ଅନୁସାରେ, ଚୀନ୍‌ ଓ ସଲମୋନ ଦ୍ୱୀପପୁଞ୍ଜର ସରକାରଙ୍କ ଦ୍ୱାରା ଅନୁମୋଦିତ ଦୁଇ ଦେଶ ମଧ୍ୟରେ ନିରାପତ୍ତା ସହଯୋଗ ଲାଗି ଚୀନ୍‌ର ଷ୍ଟେଟ୍‌ କାଉନ୍ସିଲର୍‌ ତଥା ବେଦେଶିକ ମନ୍ତ୍ରୀ ୱାଙ୍ଗ୍‌ ୟି ଏବଂ ସଲମନ ଦ୍ୱୀପପୁଞ୍ଜର ବୈଦେଶିକ ବ୍ୟାପାର ମନ୍ତ୍ରୀ ସ୍ୱାକ୍ଷର କରିଛନ୍ତି । ଚୀନ୍‌ ଓ ସଲମନ ଦ୍ୱୀପପୁଞ୍ଜ ସାମରିକ ସହଯୋଗୀତା କୌଣସି ତୃତୀୟ ରାଷ୍ଟ୍ରକୁ ଆକ୍ରମଣ କରିବା ଲାଗି ଉଦ୍ଦିଷ୍ଟ ନୁହେଁ । ସଲମନ ଦ୍ୱୀପରେ ସାମାଜିକ ସ୍ଥିରତା ଏବଂ ଦୀର୍ଘକାଳୀନ ଶାନ୍ତି ବୃଦ୍ଧି ଏହି ରାଜିନାମାର ଉଦ୍ଦେଶ୍ୟ । ଏଥିସହ ଦକ୍ଷିଣ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ମଧ୍ୟ ଏହାର ସାଧାରଣ ସ୍ୱାର୍ଥ ଦିଗରେ ଦୃଷ୍ଟି ଦେବ ବୋଲି ଚୀନ୍‌ର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର କହିଥିଲେ । ତେବେ ଯୁକ୍ତରାଷ୍ଟ୍ର ଆମେରିକା ଏହି ରାଜିନାମା ଉପରେ ଚିନ୍ତାପ୍ରକଟ କରିଛି । ଆମେରିକା ବୈଦେଶିକ ବିଭାଗର ମୁଖପାତ୍ର ନେଡ୍‌ ପ୍ରାଇସ୍‌ କହିଛନ୍ତି ଯେ, ଏହି ନିରାପତ୍ତା ରାଜିନାମାର ସାମଗ୍ରିକ ବେଶିଷ୍ଟ୍ୟରୁ ଜଣାପଡ଼ୁଛି ଯେ, ଚୀନ୍‌ ସଲମୋନ ଦ୍ୱୀପପୁଞ୍ଜରେ ନିଜର ସେନା ମୁତୟନ କରିପାରିବ । ଏହି ରାଜିନାମା ସଲମୋନ ଦ୍ୱୀପପୁଞ୍ଜର ଅସ୍ଥିରତା ବୃଦ୍ଧି କରିବା ସହ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପାଞ୍ଚଳରେ ଚିନ୍ତାର କାରଣ ମଧ୍ୟ ହେବ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.