ଟ୍ରେନ ଯୋଗେ ହେଉଛି ଜାଳେଣି କାଠ ଚୋରା ଚାଲାଣ, ଯାତ୍ରୀ ହନ୍ତସନ୍ତ

ବିଭାଗୀୟ ଉଚ୍ଚ କତୃପକ୍ଷ ଦୃଷ୍ଟି ଦେବେକି ???

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): କୋଭିଡ ପରଠାରୁ କଳାହାଣ୍ଡି ଜିଲ୍ଲାର ରୁପ୍ରାରୋଡ, ନର୍ଲାରୋଡ, ଲାଞ୍ଜିଗଡ଼ ରୋଡ ଆଦି ଷ୍ଟେସନ ମାନଙ୍କରେ ପୂର୍ବରୁ ରହୁଥିବା ଏକ୍ସପ୍ରେସ ଟ୍ରେନ ଗୁଡିକ ଆଉ ଅଟକୁ ନାହିଁ । ଏଥିପାଇଁ ରେଳଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ପାସେଞ୍ଜର ଟ୍ରେନ ଲୋକଙ୍କ ଲାଇଫଲାଇନ ସାଜିଛି । ତେବେ ଏହାରି ଭିତରେ କାଠ ମାଫିଆ ଓ ବ୍ୟବସାୟୀମାନେ ପୂର୍ବପରି ପୁଣି ସକ୍ରିୟ ହୋଇ ଉଠିଥିବା ଦେଖାଯାଇଛି । ପ୍ରତହ୍ୟ ଲାଞ୍ଜିଗଡରୋଡ ଷ୍ଟେସନରୁ ଜାଳେଣି କାଠ ଟ୍ରେନ ଯୋଗେ ଚାଲାଣ ହେଉଛି । କାଠ ମାଫିଆ ମାନେ ଟ୍ରେନରେ କାଠ ଚଢାଇ ନର୍ଲାରୋଡ, ରୁପ୍ରାରୋଡ଼, କେସିଙ୍ଗା, ଟିଟିଲାଗଡ, ଆମ୍ବାଦଳାକୁ ଚାଲାଣ କରୁଛନ୍ତି । ଅନେକ ସମୟରେ ଟ୍ରେନର ଉଭୟ ଗେଟ୍ ପାର୍ଶ୍ଵରେ କାଠ ଭର୍ତ୍ତି କରୁଥିବାରୁ ଯାତ୍ରୀମାନେ ଚଢିବା ଓହ୍ଲାଇବା ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସବୁଠାରୁ ଅଧିକ ହଇରାଣ ହରକତ ହେଉଛନ୍ତି ବୟସ୍କ ନାଗରିକ ଓ ଦିବ୍ୟାଙ୍ଗ ଯାତ୍ରୀ । ଟ୍ରେନରେ କାଠ ଏପରି ଭାବରେ ଆସୁଛି ଯେ ସମୟ ସମୟରେ କେସିଙ୍ଗାରେ ରହିବା ଯାତ୍ରୀ ଓହ୍ଲାଇ ନପାରି ଟିଟଲାଗଡ ପର୍ଯ୍ୟନ୍ତ ଚାଲି ଯାଉଥିବା ପରିଲକ୍ଷିତ ହେଉଛି । ଟ୍ରେନରେ ଚୋରା କାଠ କାରବାର ରୋକିବା ପାଇଁ ଜନସାଧାରଣ ବହୁ ବାର ରେଳବାଇ ପୋଲିସରେ ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳୁ ନାହିଁ । ତେଣୁ ସଂପୃକ୍ତ ବିଭାଗୀୟ ଉଚ୍ଚ କତୃପକ୍ଷ ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବା ଉଚିତ ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.