ସର୍ଗିଗୁଡା ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଗ୍ରାମବାସୀ

ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ବଦଳି ଏବଂ ଗ୍ରାମର ଏସଏଚଜିଙ୍କୁ ମଧ୍ୟାହ୍ନ ଭୋଜନ ଦାୟିତ୍ୱ ଦେବା ଦାବୀ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସର୍ଗିଗୁଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଙ୍କ ବଦଳି ଓ ଗ୍ରାମର ଏସଏଚଜିଙ୍କୁ ମଧ୍ୟାହ୍ନ ଭୋଜନ ଦାୟିତ୍ୱ ଦେବା ଦାବୀରେ ଆଜି ବିଦ୍ୟାଳୟରେ ତାଲା ପକାଇ ଧାରଣାରେ ବସିଛନ୍ତି ପରିଚାଳନା କମିଟି, ଗ୍ରାମବାସୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ । ଅଭିଯୋଗରୁ ଜଣାଯାଏ ଯେ ସର୍ଗିଗୁଡା ଗ୍ରାମରେ ୧୬ ଗୋଟି ସକ୍ରିୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଅଛନ୍ତି । ସର୍ଗିଗୁଡା ଗ୍ରାମରେ ଥିବା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଯୋଗାଇ ପାଇଁ ଏହି ଗ୍ରାମର କୌଣସି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ନଦେଇ ବାବେଗୁଡା ଗ୍ରାମର ଏକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଦାୟିତ୍ୱ ଦିଆଯାଇଛି । ଯାହାକି ସଂପୂର୍ଣ୍ଣ ନିୟମ ବାହରେ ହୋଇଛି । ଅପର ପକ୍ଷରେ ପ୍ରଧାନ ଶିକ୍ଷକ କୌଣସି ନୋଟିସ ଜାରି ନକରି ଓ ବିଦ୍ୟାଳୟର ସଭାପତି ତଥା ପରିଚାଳନା କମିଟିକୁ ନଜଣାଇ କିପରି ବାହାର ଗାଁର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ମଧ୍ୟାହ୍ନ ଭୋଜନ ଦାୟିତ୍ୱ ଦିଆଗଲା ଏହା ସମସ୍ତଙ୍କୁ ସନ୍ଦେହ ସୃଷ୍ଟି କରିଛି । ଏଣୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ବଦଳି ସହିତ ଗ୍ରାମର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ମଧ୍ୟାହ୍ନ ଭୋଜନ ଯୋଗାଣ ଦାୟୀତ୍ୱ ଦେବା ଦାବୀ ନେଇ ବିଦ୍ୟାଳୟର ପରିଚାଳନା କମିଟି, ଗ୍ରାମବାସୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଆଜି ସକାଳ ସମୟରୁ ବିଦ୍ୟାଳୟରେ ତାଲା ମାରି ଧାରଣାରେ ବସିଛନ୍ତି । ଖବରପାଇ ବିଦ୍ୟାଳୟ ପରିସରକୁ ବ୍ଲକ ଶିକ୍ଷା ଅଧିକାରୀ ନବ କିଶୋର ସାହୁ ଯାଇ ଧାରଣାକାରୀଙ୍କୁ ବୁଝା ସୁଝା କରିଥିଲେ ସୁଦ୍ଧା ଦାବୀ ପୁରଣ ନହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଧାରଣାକାରୀମାନ ପ୍ରକାଶ କରିଥିଲେ । ଉକ୍ତ ଧାରଣାରେ ଗଣ୍ଡାମେର ସରପଞ୍ଚ ବୃନ୍ଦାବନ ନାଏକ, ସମିତି ସଭ୍ୟ ଦଇତାରୀ ରାଉତ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଚମ୍ପେଶ୍ୱର ନାଏକ, ଉପସଭାପତି ଅର୍ଣ୍ଣଦା ବାଗ, ୱାର୍ଡ ମେମ୍ବର ଲୋକେଶ୍ୱର ମାଝୀ, ରଞ୍ଜିତା ନାଏକ, ମନ ମେହେର, ଶୁକ୍ରୁ ମେହେର, ଗୋରେଖ ନାଏକ, ଶିଶିର ରଞ୍ଜନ ନାଏକ, ମହିନ୍ଦ୍ର ମାଝୀ, ରାଏଧର ତାଣ୍ଡି ପ୍ରମୁଖ ଉପସ୍ଥିତ ରହି ଆସନ୍ତା ସୋମବାର ଦିନ ଏହି ଦାବୀ ପୁରଣ ହେଲେ ଧାରଣା ପ୍ରତ୍ୟାହୃତ ହେବ ନଚେତ ଧାରଣ ଜାରୀ ରହିବ ବୋଲି ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.