ମିଠା ବାଣ୍ଟି ଦୀପାବଳି ପାଳିଲେ ଜିଲ୍ଲା ପରିଷଦ ସଭ୍ୟ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଶେଷ ହୋଇଛି ଆଲୋକର ପର୍ବ ଦୀପାବଳି । ଏହି ଉତ୍ସବକୁ ଲୋକେ ବିଭିନ୍ନ ରଙ୍ଗିନ ଆଲୋକ ମାଲା ସହିତ ବାଣ ଫୁଟାଇ ଧୁମଧାମରେ ପାଳନ କରିଛନ୍ତି । ହେଲେ ବାଣ ଫୁଟାଇ ନୁହେଁ ଲୋକଙ୍କ ମନରେ ହସ ଫୁଟେଇ ଦିପାବଳୀ ପାଳନ କରିବା ପାଇଁ ଏକ ନିଆରା ପ୍ରୟାସ କରିଛନ୍ତି ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ । ଦିର୍ଘ ଦୁଇ ବର୍ଷ ପରେ ବିନା କଟକଣାରେ ଗାଁ ଠାରୁ ସହର ଯାଏଁ, ଲୋକେ ମନଭରି ବାଣ ଫୁଟାଇ ଧୁମଧାମରେ ଉତ୍ସବ ପାଳନ କରିଛନ୍ତି । ହେଲେ ଦୀପାବଳୀକୁ ନିଆରା ଓ ସ୍ମରଣୀୟ କରିବା ପାଇଁ କୋକସରା ବ୍ଲକ ଆମପାଣି ଜୋନ୍ ନଂ-୧ ର ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝି ଆମପାଣି ସ୍ଥିତ ସରକାରୀ ଆବାସିକ ବିଦ୍ୟାଳୟରେ ପହଞ୍ଚି ଛାତ୍ରଛାତ୍ରୀ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରି ଦୀପାବଳୀ ଉତ୍ସବ ପାଳନ କରିଥିଲେ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ବାଣ ନୁହେଁ ଦୀପ ଜାଳି ଏକ ପ୍ରଦୁଷଣ ମୁକ୍ତ ଦୀପାବଳୀ ଉତ୍ସବ ପାଳନ କରିବା ପାଇଁ କହିବା ସହ ଦୀପାବଳୀର ଶୁଭେଚ୍ଛା ଜଣାଇଥିଲେ । ଏହି ସମୟରେ କୋକସରା ବ୍ଲକ ଆତ୍ମା ଅଧ୍ୟକ୍ଷ ଋତୁରାଜ ମାଝୀ, ସୁରେଶ ସାହୁ, ବିନୋଦ ସିଂ, ତାପସ ରାୟ, ପୂର୍ଣ୍ଣଚନ୍ଦ୍ର ନାଏକ, ତୁଲାରାମ ଗୋପାଳ ପ୍ରମୁଖ ଉପସ୍ଥିତ ରହିଥିଲେ । ତେବେ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ଲୋକେ ପ୍ରସଂଶା କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.