ଭୁବନେଶ୍ୱର: “ଗପ ପଢ଼ିବା ଓ କହିବା ଏକା କଥା ନୁହେଁ। ଗୋଟେ ଫଟୋଚିତ୍ର, ଅନ୍ୟଟି ଆର୍ଟ। ଗପ, ହାତର ଚତୁର ମାୟାରେ ବଗିଚା ହେଇ ନ ଯାଉ; ଆରଣ୍ୟକ ହେଇକି ଥାଉ। ସ୍ଵାଭାବିକ ଥାଉ। ହାତରେ ସମ୍ପାଦିତ ହେଲେ ତାହା ଯାନ୍ତ୍ରିକ ହୋଇଉଠେ। ଗପ ଲେଖା ଆଦୌ କଷ୍ଟକର ନୁହେଁ। ଗାଳ୍ପିକ ନିଜେ ଯେହେତୁ ଅସହଜ, ତେଣୁ ଗପ ଲେଖା ସହଜ ହୋଇପାରେନି। ତା ଭିତରର ଏ ଅସହଜପଣ ହଟୁ। ଲେଖକ ଅମୃତକୁ ନେଇ ଲେଖିଲେ ବିଷ ଅଭିମାନ କରିବ, ଫୁଲକୁ ନେଇ ଲେଖିଲେ କଣ୍ଟା ଅଭିମାନ କରିବ, ଆଲୁଅକୁ ନେଇ ଲେଖିଲେ ଅନ୍ଧାର ଅଭିମାନ କରିବ। ଲେଖକ ଯେତେ ଈଶ୍ୱରଙ୍କର, ସେତେ ସୈତାନର ବି। ତେଣୁ ସେ ମହାନ୍ ଚରିତ୍ରକୁ ଯେତେ ଗୁରୁତ୍ବ ଦିଏ, ଅପଚରିତ୍ରକୁ ମଧ୍ୟ ସେତେ ଦେବା ଦରକାର। ଗପ ପ୍ରଥମେ ଗପ ହେଉ। ପ୍ରୟୋଗଧର୍ମୀତା ସେକେଣ୍ଡାରୀ। ଗପରେ ଏକ ଅଦେଖା ଜାଗା ରହୁ, ଯାହାକୁ ପାଠକ ଆବିଷ୍କାର କରୁ। ଯେଉଁ ଗାଳ୍ପିକର କହୁଥିବା କଥା ଭିତରେ ନ କହୁଥିବା କଥା ଦିଶେ, ସେ ହିଁ ଭଲ ଗାଳ୍ପିକ। ନଈମାନେ ସେମାନଙ୍କର ଗତି ପାଇଁ ହିଁ ଅଲଗା। ଗପମାନେ ବି ସେମିତି ତାଙ୍କ ଢଙ୍ଗ ପାଇଁ ଅଲଗା ପରସ୍ପରଠୁଁ। ନହେଲେ ପୃଥିବୀର ସବୁ ଗପକୁ ସାଉଁଟି ଆଣି ପଢିଲେ ସେଇ ପାଞ୍ଚ-ଛଅଟା ଥିମ୍ ହିଁ ପାଇବା। ସାହିତ୍ୟରେ ଅଶ୍ଳୀଳତା ଡିପେଣ୍ଡ କରେ କେମିତି ଢଙ୍ଗରେ କହାହେଇଛି। ପେଣ୍ଟି, ଟି ପୟ ଉପରେ ପଡ଼ିଲେ ତାହା ଅଶ୍ଳୀଳ; ଆଲେଣା ପଛ ପଟେ ରହିଲେ ଶ୍ଳୀଳ।” ‘ଆରଣ୍ୟକ’ର ୩୦ତମ ସ୍ଵତନ୍ତ୍ର ଅନଲାଇନ ଗପ ଆସରରେ ଓଡ଼ିଶାର ସୁନାମଧନ୍ୟ କଥାକାର ପ୍ରକାଶ ମହାପାତ୍ର ନିମନ୍ତ୍ରିତ ଅତିଥି ଭାବରେ ଯୋଗଦେଇ ଆରଣ୍ୟକ ପରିବାର ଲୋକଙ୍କୁ ଗଳ୍ପର କାରିଗରୀ କଳା ଉପରେ ଏଭଳି ଅନେକ ଶିକ୍ଷଣୀୟ କଥା କହିଥିଲେ।
ପ୍ରକାଶ ଥାଉକି ଆରଣ୍ୟକ ପରିବାର, ଗଳ୍ପ ଓ ଉପନ୍ୟାସପ୍ରେମୀ ପାଠକଙ୍କ ଗୋଟେ ସମୂହ, ଯେଉଁଠି ଗପ ପଠନ, କଥନ ଓ ଆଲୋଚନା ହୁଏ। କୋଭିଡ କଟକଣା ଯୋଗୁଁ ଅନଲାଇନ ଆକାରରେ ହେଉଥିବା ଆସରରେ ପ୍ରତ୍ୟେକ ମାସରେ ଜଣେ ପ୍ରସିଦ୍ଧ କଥାକାରଙ୍କୁ ନିମନ୍ତ୍ରଣ କରାଯାଏ। ଏଥର ପ୍ରକାଶ ମହାପାତ୍ର ଅତିଥି ଭାବରେ ଯୋଗ ଦେଇ ଆରଣ୍ୟକ ପରିବାରର ଲୋକଙ୍କ ସହ ସିଧାସଳଖ କଥା ହୋଇ ଗଳ୍ପ ଜଗତ ଉପରେ ବିଶଦ ଆଲୋଚନା କରିଥିଲେ।
କାର୍ଯ୍ୟକ୍ରମ ଆରମ୍ଭରେ କ୍ଷୀରୋଦ ବିହାରୀ ବିଶ୍ଵାଳ ଓ ବିଜୟ ପ୍ରଧାନଙ୍କ ତିଆରି ଗୋଟେ ସୁନ୍ଦର ପରିଚୟାତ୍ମକ ଭିଡିଓ ପ୍ରଦର୍ଶନପୂର୍ବକ ଶ୍ରୀ ମହାପାତ୍ରଙ୍କୁ ସ୍ଵାଗତ କରାଯାଇଥିଲା। ପରେ ପ୍ରକାଶ ମହାପାତ୍ର ନିଜ ଜୀବନ ଦର୍ଶନ ଓ ଗଳ୍ପ ଲିଖନ ଶୈଳୀ ତଥା ଅନ୍ୟାନ୍ୟ ବିଷୟ ଉପରେ ଗଭୀର ଆଲୋଚନା କରିଥିଲେ। ସାରା ଓଡ଼ିଶା ଓ ଓଡ଼ିଶା ବାହାରୁ ଯୋଗ ଦେଇଥିବା ଗଳ୍ପପ୍ରେମୀଙ୍କ ସହ ସିଧାସଳଖ ଆଲୋଚନାପୂର୍ବକ ଶ୍ରୀ ମହାପାତ୍ର ତାଙ୍କ ସମସ୍ତ ପ୍ରଶ୍ନର ଉତ୍ତର ରଖିଥିଲେ। ଅଧ୍ୟାପକ ଖ୍ୟାତିମୟ ତ୍ରିପାଠୀ ଆରଣ୍ୟକର ଆଭିମୁଖ୍ୟ ଦେଇଥିବା ବେଳେ କ୍ଷୀରୋଦ ବିହାରୀ ବିଶ୍ଵାଳ ସଭା ପରିଚାଳନା କରିଥିଲେ। ଶେଷରେ ଅଧ୍ୟାପକ ବିଶ୍ଵନାଥ ସାହୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ। କାର୍ଯ୍ୟକ୍ରମଟି ଲୋକପ୍ରିୟ ତଥା ଶିକ୍ଷଣୀୟ ଥିଲା ବୋଲି ସଭାରେ ଥିବା ଅନେକ ବ୍ୟକ୍ତି ମତବ୍ୟକ୍ତ କରିଥିଲେ।